ନୂଆଦିଲ୍ଲୀ,୧୭/୦୫:  ଭାରତ ଏବଂ ଚୀନ୍‌  ମଧ୍ୟରେ ତିକ୍ତତା ସୃଷ୍ଟି ଲାଗି ପାଶ୍ଚାତ୍ୟ ଦେଶଗୁଡ଼ିକ ଅଭିଯାନ ଚଲାଇଛନ୍ତି ବୋଲି କହିଛନ୍ତି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ । ଏହି ଦୁଇ ଏସୀୟ ପଡ଼ୋଶୀ ଦେଶକୁ ଜାଣିଶୁଣି ପରସ୍ପର ବିରୋଧରେ ପାଶ୍ଚାତ୍ୟ  ଦେଶଗୁଡ଼ିକ ଉସୁକାଉଛନ୍ତି । 

ସେ କହିଛନ୍ତି, ଏସିଆ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ଘଟଣାବଳୀକୁ ଦେଖାଯାଉ । ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜ ନୀତିକୁ ସ୍ପଷ୍ଟ ଭାବେ ଚୀନ୍‌ ବିରୋଧୀ ଛବି ଦେବା ପାଇଁ ଏହାକୁ  ‘ଭାରତ-ପ୍ରଶାନ୍ତ ମହାସାଗରୀୟ’ ଅଞ୍ଚଳ ବୋଲି କହିବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ରୁଷ୍‌ର ବନ୍ଧୁ ରାଷ୍ଟ୍ର ଭାରତ ଏବଂ ଚୀନ୍‌ ମଧ୍ୟରେ ବିବାଦ ଆରମ୍ଭ ହେବ ବୋଲି ଆଶା କରୁଛନ୍ତି । ‘ବିଭାଜନ କରି ବିଜୟୀ ହେବା’ ନୀତି  ଉପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବାରମ୍ବାର ଆଲୋକପାତ କରୁଥିବା ଲାଭରୋଭ୍‌ କହିଛନ୍ତି । ପାଶ୍ଚାତ୍ୟ ଦେଶଗୁଡ଼ିକ ଆଞ୍ଚଳିକ ବ୍ୟାପାରରେ ଏସିଆନ୍‌ର ଭୂମିକାକୁ  କ୍ଷୂଣ୍ଣ କରିବାକୁ ଚେଷ୍ଟା କରୁଥିବା ସେ ଚେତାଇଛନ୍ତି ।

ବିଶ୍ୱର ଅନ୍ୟ ଦେଶପରି ପାଶ୍ଚାତ୍ୟ ଶକ୍ତି ଏସିଆରେ  ନିଜ ଦବଦବା ବନାଇ ରଖିବାକୁ ଚାହାଁନ୍ତି । ସେମାନେ  ଦୀର୍ଘ ଦଶନ୍ଧି ଧରି ସଭିଁଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ  ଅବଦାନ ଥିବା ଏସିଆନ୍‌ (ଦକ୍ଷିଣ-ପୂର୍ବ ଏସୀୟ  ଦେଶଗୁଡ଼ିକର ସଙ୍ଗଠନ) କେନ୍ଦ୍ରୀକ ଭୂମିକାକୁ ଦୁର୍ବଳ  କରିଦେବାକୁ ଚେଷ୍ଟା କରୁଛନ୍ତି । ଏସିଆନ୍‌ ଦେଶଗୁଡ଼ିକ  ଦୀର୍ଘ ସମୟ ଧରି ନିଜ ସଦସ୍ୟଙ୍କ ସମେତ ବାହାର  ରାଷ୍ଟ୍ରଗୁଡ଼ିକ ସହ ମଧ୍ୟ ରାଜନୈତିକ, ପ୍ରତିରକ୍ଷା, ସାମରିକ  ସହଯୋଗ ରଖିଆସିଛି । ଧୀରେ ଧୀରେ ପାଶ୍ଚାତ୍ୟ  ଦେଶଗୁଡ଼ିକ ଏସିଆନ୍‌ ଦେଶଗୁଡ଼ିକୁ ଏକୀକୃତ ମଞ୍ଚ  ବଦଳରେ ବିରୋଧୀ ମଞ୍ଚକୁ ନେଇ ପରସ୍ପର ବିରୋଧୀ  କାର୍ଯକଳାପରେ ଲିପ୍ତ ହେବାକୁ ପ୍ରଲୋଭନ ଦେଉଛନ୍ତି ।  ୟୁରୋସିଆ ଭଳି ଅନ୍ୟ କୌଣସି ମହାଦ୍ୱୀପ ନାହିଁ ଯେଉଁଠି  ବ୍ୟାପକ ସଭ୍ୟତା ଏକସଙ୍ଗରେ ରହିଥାନ୍ତି ଏବଂ ଆଧୁନିକ  ଯୁଗରେ ବି ସେମାନଙ୍କ ପରିଚୟ ଓ ପ୍ରାସଙ୍ଗିକତା ବଜାୟ  ରଖିଛନ୍ତି ବୋଲି ଲାଭରୋଭ୍‌ କହିଛନ୍ତି ।