ଭୁବନେଶ୍ବର,୧।୯ : ଏଥର ଦୁର୍ଗା ପୁଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି । ଲୋକଙ୍କ ଉପରକୁ ପଡିବନି ଲେଜର ଲାଇଟ। ଭୁବନେଶ୍ବର କମିଶନରଙ୍କ ଅଧକ୍ଷତାରେ ଭୁବନେଶ୍ବର ୟୁପିଡିରେ ୧୯୦ ମଣ୍ଡପର କର୍ମକର୍ତ୍ତାଙ୍କ ଏକ ବୈଠକରେ ନିଷ୍ପତ୍ତି ହୋଇଛି । ଏଥି ସହିତ ଭସାଣ ବେଳେ ଦେଖାଯାଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଦୁର୍ଗାପୁଜା କମିଟିର କର୍ମକର୍ତ୍ତାମାନେ ପୋଲିସ କମିଶନରଙ୍କ ବୃଷ୍ଟି ଆକର୍ଷଣ କରିଛନ୍ତି ।

ରାଜଧାନୀର ଦୁର୍ଗା ମଣ୍ଡପ ଗୁଡିକରେ ଚଳିତବର୍ଷ ବାଜିବନି ଡିଜେ । ଭସାଣ ସମୟରେ ମଧ୍ଯ କୌଣସି ମେଢ ପକ୍ଷରୁ ଡିଜେ ପ୍ରତି ଲାଗିଲା ରୋକ । ଏହା ସହିତ ଭୁବନେଶ୍ବର ୟୁପିଡିରେ ଫୁଟିବନି ବାଣ । କେବଳ ରାବଣ ପୋଡିରେ ନିର୍ଦ୍ଧିଷ୍ଟ ଡେସସିବେଲିର ଆତସବାଜିକୁ ଅନୁମତି ଦିଅ।ଯିବ । ମେଢ ଗୁଡିକରେ ଲାଗିବନି ଲେଜର ଲାଇଟ । ଅନେକ ସମୟରେ ଲୋକଙ୍କ ଆଖିରେ ପଡୁଥିବା ଲେଜର ଲାଇଟ ଯୋଗୁ ଆଖି ହରାଉଛନ୍ତି ସାଧାରଣ ଲୋକେ । ସେହିପରି ଝାରପଡା ମଣ୍ଡପରେ ଏଥର ପୁଜା  ପାଇବେନି ମା’ ଦୁର୍ଗା । ଦୁଇ ଗୋଷ୍ଠୀ କନ୍ଦଳ  ଯୋଗୁ ଦୁଇ ପକ୍ଷକୁ ଅନ୍ୟତ୍ର ଭିନ୍ନ ଭିନ୍ନ ସ୍ଥାନରେ ପୁଜା କରିବା ପାଇଁ ଅନୁମତି ଦିଆଯାଇଛି ।

କମିଟି ସଦସ୍ୟଙ୍କ ଅଭିଯୋଗ ବର୍ଷା ଯୋଗୁ ପ୍ରାୟ ମଣ୍ଡପ ସାମ୍ନା ରାସ୍ତାର ଅବସ୍ଥ ଶୋଚନୀୟ ହୋଇପଡିଛି। ମଣ୍ଡପ ନିକଟରେ ଥିବା ବଡ ବଡ ଗଛ କଟାଯାଉ । ତୋରଣ ପାଇଁ ମଣ୍ଡପ ନିକଟରେ ଯାଇଥିବା ବିଦ୍ୟୁତ ତାର କାଢିବାର ବ୍ୟବସ୍ଥା କରାଯାଉ । ପ୍ରତି ମଣ୍ଡପରେ ଗତବର୍ଷ ଭଳି ସିସିଟିଭି ଲାଗିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯିବ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଟ୍ରାଫିକ ଡିସିପି । ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ ପୋଲିସ ପୁଜା ସମୟରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।