ନୂଆଦିଲ୍ଲୀ,୦୨/୦୩; ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ୭ ଦିନ ପର୍ଯ୍ୟନ୍ତ ସରକାରୀ ଛୁଟି ହୋଇଛି । ଖାମେନେଇଙ୍କ ମୃତ୍ୟୁରେ ସାରା ଦେଶ ଶୋକରେ ବୁଡ଼ିଛି । ଏଭଳି ସ୍ଥିତିରେ ଇରାନକୁ ତାଙ୍କର ଶେଷ ବାର୍ତ୍ତାକୁ ନେଇ ଚର୍ଚ୍ଚା ହେଉଛି । ଦେଶବାସୀଙ୍କୁ ଫେବ୍ରୁଆରୀ ୧୭ରେ ଦେଇଥିବା ନିଜ ଶେଷ ଭାଷଣରେ ଖାମେନେଇ କହିଥିଲେ, ମୋ ଶରୀରର କୌଣସି ମୂଲ୍ୟ ନାହିଁ । ସେମାନେ ଯଦି ମୋତେ ହତ୍ୟା କରନ୍ତି, ଏହାକୁ କ୍ଷତି ଭାବେ ଗ୍ରହଣ କରାଯିବା ଅନୁଚିତ ।
ଦେଶବାସୀଙ୍କୁ ଶେଷ ମେସେଜରେ ସେ କହିଥିଲେ, ଯେ ପର୍ଯ୍ୟନ୍ତ ଦେଶର ଜନତା ଇମାମ ହୁସେନଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତାରେ ଅଟଳ ଅଛନ୍ତି, ସେ ପର୍ଯ୍ୟନ୍ତ ମୋ ମୃତ୍ୟୁରେ ଶୋକ କରିବା ଦରକାର ନାହିଁ । ମୁଁ ଜାଣେ ମୋ ଦେଶବାସୀ ମୋ ମୃତ୍ୟୁରେ ମୁଣ୍ଡ ନୁଆଁଇବେ ନାହିଁ । ମୋ ମୃତ୍ୟୁ ପରେ କ’ଣ କରିବାକୁ ହେବ, ତାହା ଦେଶକୁ ଭଲ ଭାବେ ଜଣା । ଇରାନୀ ଦେଶ ନିଜ ଇସଲାମୀ ଓ ଶିୟା ଶିକ୍ଷାକୁ ଭଲ ଭାବେ ଶିଖିନେଇଛି । ଇମାମ ହୁସେନ ଦିନେ ଘୋଷଣା କରିଥିଲେ କି ମୋ ଭଳି କେହି ବି ‘ୟଜୀଦ’ କାହା ଆଗରେ ନଇଁବେ ନାହିଁ । ଖାମେନେଇ ନିଜ ଅନ୍ତିମ ଭାଷଣରେ ଆମେରିକା ଉପରେ ବି ଭୀଷଣ ବର୍ଷିଥିଲେ । କହିଥିଲେ, ଆମେରିକାର ସାମ୍ରାଜ୍ୟ ପତନମୁହାଁ ହୋଇଛି । ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ସମସ୍ୟାରେ ଏହା ରୁନ୍ଧି ହୋଇଗଲାଣି । ଏହାର ୫୦% ଲୋକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଖୁସି ନାହାନ୍ତି । ତାଙ୍କୁ ନିନ୍ଦା କରୁଛନ୍ତି । ଆମେରିକୀୟ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି ।
ଏହା ବି ପଢନ୍ତୁ...ଇରାନର ଜବାବୀ ହମ୍ଲାରେ ରାଗି ନିଆଁ ଡୋନାଲ୍ଡ ଟ୍ରମ୍ପ, ଚେତାବନୀ ଦେଇ କହିଲେ ଅସ୍ତ୍ର ଛାଡ ନଚେତ୍ ମୃତ୍ୟୁ ନିଶ୍ଚିତ
ସେ ଆହୁରି କହିଥିଲେ ଯେ, କାହାକୁ ରୋକିବା ପାଇଁ ଆମ ପାଖରେ ଅସ୍ତ୍ର (ପରମାଣୁ) ରହିବା ଜରୁରି । ଯଦି ରୋକିବା ଲାଗି କୌଣସି ଦେଶ ପାଖରେ ଅସ୍ତ୍ର ନ ଥିବ, ତେବେ ତାହାକୁ ପାଦରେ ଦଳି ମକଚି ଦିଆଯିବ । ଆମେରିକା ଅକାରଣରେ ଏହି ମାମଲାକୁ ନେଇ ଅଯଥା ଦଖଲ ଦେଉଛି । ଏହି ଦେଶ ପାଖରେ ନିଜସ୍ୱ ଅସ୍ତ୍ର ମହଜୁଦ ରହିଛି । କିନ୍ତୁ ଅନ୍ୟ ଦେଶ ଏହାକୁ ରଖିଲେ ତାହାର ମୁଣ୍ଡ ବିନ୍ଧୁଛି । ସେମାନଙ୍କ ପାଖରେ ସବୁ ରେଞ୍ଜର ଅସ୍ତ୍ର ରହିଛି । କିନ୍ତୁ ଆମ ରେଞ୍ଜ ଉପରେ ସେମାନେ ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି । ଏହା ଅନୁଚିତ । ଏହାଛଡ଼ା ଖାମେନେଇ କରିଥିବା ଶେଷ ‘ଏକ୍ସ’ ପୋଷ୍ଟକୁ ନେଇ ବି ଚର୍ଚ୍ଚା ହେଉଛି । ସେ ଫାରସି (ପର୍ଶିଆ) ଭାଷାରେ ଲେଖିଥିଲେ, ‘ବେ ନାମ୍-ଏ ନାମୀୟେ ହାଇଦର, ଆଲାୟିହିସ-ସଲାମ’ । ଏହାର ଅର୍ଥ ହେଉଛି ହାଇଦର (ସେମାନଙ୍କ ଉପରେ ଶାନ୍ତି ରୁହ)ଙ୍କ ପବିତ୍ର ନାମ’ । ‘ହାଇଦର’ ଶିୟା ଇସଲାମଙ୍କ ପ୍ରଥମ ଇମାମ ହଜରତ ଅଲ୍ଲୀଙ୍କର ଏକ ନାମ ।