ଭୁବନେଶ୍ୱର ୨୭/୧୨: ଶୀତ ବଢିବା ସହ ହାତଗୋଡ଼ର ତାପମାତ୍ରା ତୀବ୍ର ବେଗରେ କମିଚାଲେ । କିଛି ଲୋକଙ୍କୁ ଅଧିକ ଥଣ୍ଡା ଲାଗୁଥିବା ବେଳେ ଆଉ କିଛି ଲୋକଙ୍କୁ ଅଧିକ ଥଣ୍ଡା ଲାଗି ନଥାଏ । ଏପରି ହେବାର ଅନେକ କାରଣ ରହିଥାଏ । ଚାଲନ୍ତୁ ଜାଣିବା ବିଶେଷଜ୍ଞଙ୍କଠାରୁ । ଶୀତଦିନେ ହାତଗୋଡ଼ ଥଣ୍ଡା ଲାଗିବା ଖୁବ୍‌ ସାଧାରଣ । କିନ୍ତୁ କିଛି ଲୋକଙ୍କର ହାତଗୋଡ଼ ଅଧିକ ଥଣ୍ଡା ଲାଗିଥାଏ । ଏପରିକି କମ୍‌ ଥଣ୍ଡା ସମୟରେ ମଧ୍ୟ ସେମାନଙ୍କର ହାତଗୋଡ଼ ବରଫ ପରି ଲାଗୁଥାଏ । ଯଦି ଥଣ୍ଡା ବଢିଚାଲେ ତେବେ ସମସ୍ୟା ଆହୁରି ବଢେ । ଏହା ପଛରେ ଅନେକ କାରଣ ରହିଥାଏ । ଶରୀରରେ କେତେକ ପୋଷକ ତତ୍ତ୍ୱ ଅଭାବରୁ ଏପରି ହୋଇଥାଏ ବୋଲି ଡାଏଟିସିଆନ୍‌ କହନ୍ତି ।

ବିଶେଷଜ୍ଞଙ୍କ ମତରେ ଯେତେବେଳେ ତାପମାତ୍ରା ଖସିଚାଲେ, ହାତପାଦର ଆଙ୍ଗୁଳି ଓ ହାଡ଼କୁ ଅମ୍ଲଜାନ ଠିକ୍‌ ଭାବେ ପହଞ୍ଚିପାରି ନଥାଏ । ତେଣୁ ହାତ ଓ ପାଦ ଥଣ୍ଡା ପଡିଚାଲେ । ଯଦି ଶରୀରରେ ରକ୍ତର ଅଭାବ ରହିଥାଏ ଅର୍ଥାତ ଆନେମିଆ ରହିଥାଏ । ତେବେ ମଧ୍ୟ ଏହି ସମସ୍ୟାର ସାମ୍‌ନା କରିବାକୁ ପଡିଥାଏ । କିନ୍ତୁ ଯଦି ଶରୀର ଗରମ ରହିବା ସତ୍ତେ୍ୱ ମଧ୍ୟ ହାତପାଦ ଥଣ୍ଡା ଲାଗୁଥାଏ, ତେବେ ଏହାକୁ ଅଣଦେଖା ଆଦୌ କରନ୍ତୁନି । ମଧୁମେହ ରୋଗୀଙ୍କୁ ମଧ୍ୟ ଏହି ସମସ୍ୟା ହୋଇପାରେ । ଶରୀରରେ ଭିଟାମିନ୍‌ବି ୧୨ ଅଭାବରୁ ମଧ୍ୟ ହାତଗୋଡ଼ ଥଣ୍ଡା ହୋଇପାରେ । ସେହିପରି କୋଲେଷ୍ଟେରଲ୍‌ ବଢିଲେ ମଧ୍ୟ ଏପରି ଥଣ୍ଡା ଅନୁଭୂତ ହୋଇଥାଏ । ଯଦି କମ୍‌ ଶାରୀରିକ ପରିଶ୍ରମ କମ୍‌ କରୁଥାନ୍ତି, ତେବେ ମଧ୍ୟ ଅଧିକ ଥଣ୍ଡା ଲାଗିଥାଏ । ଏହାବ୍ୟତୀତ ରକ୍ତ ସଞ୍ଚାଳନ କମ୍‌ ହେଉଥିଲେ ମଧ୍ୟ ଅଧିକ ଥଣ୍ଡା ଲାଗିପାରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ରହିଥିଲେ, ଅଧିକ ଥଣ୍ଡା ଲାଗିଥାଏ ।