ନୂଆଦିଲ୍ଲୀ,୧୫/୦୫: ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ଦୋହା ଡାଏମଣ୍ଡ ଲିଗ୍ । ପ୍ୟାରିସ ଅଲିମ୍ପିକ୍ସରେ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିବା ବୋଟ୍ସୱାନାର ଲେସଲି ତେବୋଗୋ ପ୍ରଥମ କରି ଦୋହା ଟ୍ରାକ୍ରେ ରେସ ଲଢିବାକୁ ଯାଉଛନ୍ତି । ଜାମାଇକା ଭେଟେରାନ ତଥା ପ୍ରସିଦ୍ଧ ଧାବିକା ସେଲି ଆନ୍-ଫ୍ରେଜର-ପ୍ରାଇସ ମଧ୍ୟ ଦୋହାରେ ରେସ୍କୁ ଓହ୍ଲାଇବେ । କେବଳ ସେତିକି ନୁହେଁ ମୋଟ୍ ୪୫ଜଣ ଅଲିମ୍ପିକ୍ସ ଓ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନସିପ୍ରେ ପଦକ ଜିତିସାରିଥିବା ଆଥ୍ଲେଟ୍ ଦୋହାରେ ବିଭିନ୍ନ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।
ଦୋହା ଚଳିତ ସିଜନର ତୃତୀୟ ସଂସ୍କରଣ । ପୂର୍ବରୁ ଜିଆମେନ ଓ ସାଙ୍ଘାଇରେ ଦୁଇଟି ସଂସ୍କରଣ ଶେଷ ହୋଇଛି । ତୋବୋଗୋ ଉଭୟ ଲିଗ୍ରେ ଭାଗ ନେଇଥିଲେ । ଗତ ସିଜନରେ ତେବୋଗୋଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା । ସେ ପ୍ରାୟତଃ ଅଧିକାଂଶ ପ୍ରତିଯୋଗିତାରେ ରାଜୁତି କରିଥିଲେ । ଅଲିମ୍ପିକ୍ସରେ ସେ ୨୦୦ ମିଟର ରେସ୍ରେ ସ୍ୱର୍ଣ୍ଣ ଓ ୧୦୦ ମିଟର ରେସ୍ରେ ରୌପ୍ୟ ପଦକ ହାସଲ କରିଥିଲେ । ଏହା ବ୍ୟତୀତ ବର୍ଷକ ମଧ୍ୟରେ ସେ ୯ଟି ପ୍ରତିଯୋଗିତାରେ ୨୦୦ ମିଟର ଇଭେଣ୍ଟକୁ ୨୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଶେଷ କରିଥିଲେ । ଏଥର ଦୋହାରେ ତାଙ୍କ ସହ କାନାଡ଼ାର ଆରନ ବ୍ରାଉନ୍, ଆମେରିକା(ୟୁଏସଏ)ର କର୍ଟନ ଲିଣ୍ଡସେ, କାଇରି କିଙ୍ଗ, ଦକ୍ଷିଣ ଆଫ୍ରିକାର ସନ ମାସ୍ୱାଗନୱି ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଚଳିତ ବର୍ଷ ଅବସର ନେବାକୁ ଘୋଷଣା କରିସାରିଥିବା ଫ୍ରେଜର-ପ୍ରାଇସ ୧୦୦ ମିଟର ଇଭେଣ୍ଟ ଜରିଆରେ ଚଳିତ ସିଜନ ଆରମ୍ଭ କରିବେ । ତାଙ୍କ ସହ ଅନ୍ୟ ଜାମାଇକା ପ୍ରତିଯୋଗୀ ନତାଶା ମୋରିସନ, ଟିଆ କ୍ଲେଟନ ଓ ଟିନା କ୍ଲେଟନ ମଧ୍ୟ ଏହି ଇଭେଣ୍ଟରେ ଭାଗ ନେବେ ।
୪୦୦ ମିଟର ଦୌଡ(ମହିଳା)ରେ ସାଡା ୱିଲିୟମ୍ସ, ନାତାଲିଆ ବୁକୋୱିକା, ଲିକି କ୍ଲାଭର, ସଲୱା ଇଦ ନେସର, ୪୦୦ମିଟର ହର୍ଡଲ୍ସ(ପୁରୁଷ) ଇଭେଣ୍ଟରେ କାର୍ଲ ବେଙ୍ଗଷ୍ଟ୍ରମ, ସିଜେ ଆଲେନ, ମାଲିକ ଜେମ୍ସ-କିଙ୍ଗ, ୧୧୦ ମିଟର ହର୍ଡଲ୍ସରେ ଡାନିଏଲ ରୋବୋର୍ଟ୍ସ, ରସିଦ ବ୍ରୋଡବେଲ, ହାଇଜମ୍ପରେ ଅଲିମ୍ପିକ୍ସ ଚାମ୍ପିଅନ ନ୍ୟୁଜିଲାଣ୍ଡର ହାମିଶ କେର, ରେମଣ୍ଡ ରିଚାର୍ଡ୍ସ, ମୁତାଜ ବର୍ସିମ ପ୍ରମୁଖ ଭାଗ ନେବାକୁ ଯାଉଛନ୍ତି ।
ଜାଭେଲିନ(ପୁରୁଷ) ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ । ତାଙ୍କ ସହ ଚେକ ଗଣରାଜ୍ୟର ଜାକୁବ ଭାଡଲେଜ, ଆଣ୍ଡରସନ ପିଟର୍ସ, କିସର୍ଣ୍ଣ ୱାଲକଟ, ଜୁଲିଆନ ୱେବର ଓ ଜୁଲିୟସ ୟେଗୋ ପ୍ରମୁଖ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।
୩୦୦୦ ମିଟର ଷ୍ଟିପଲଚେଜରେ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ବିଜେତା ପୁନର୍ବାର ଲଢେଇ କରିବେ । ବାହାରିନର ୱିନଫ୍ରେଡ ୟାଭିଙ୍କ, ୟୁଗାଣ୍ଡାର ପେରୁଥ ଚେମୁତାଇ ଓ କେନିଆର ଫେଥ ଚେରୋଟିଚଙ୍କ ସହ ବିଶ୍ୱ ଆଥ୍ଲେଟିକ୍ସ ଉଦୀୟମାନ ଖେଳାଳି ପୁରସ୍କାର ଜିତିଥିବା ସେମ୍ବୋ ଅଲ୍ମାୱେ ମଧ୍ୟ ରେସ୍କୁ ଓହ୍ଲାଇବେ ।
ଟ୍ରିପଲ୍ ଜମ୍ପରେ ୧୫ମିଟର ଅତିକ୍ରମ କରିଥିବା ୩ ପ୍ରତିଯୋଗୀ ଅଲିମ୍ପିକ୍ସ ଚାମ୍ପିଅନ୍ ଥିଆ ଲାଫଣ୍ଡ, ରୌପ୍ୟ ଜିତିଥିବା ସାନିଏକା ପିକେଟ୍ସ ଓ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ବିଜୟିନୀ ମାରିନା ବେଖ-ରୋମନଚୁକ୍ଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଏମାନଙ୍କ ସହ ବିଶ୍ୱ ଲଙ୍ଗ ଜମ୍ପ ଚାମ୍ପିଅପ ଇଭାନା ସ୍ପାନୋଭିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୨୨ ପରେ ସ୍ପାନୋଭିକ ପୁନର୍ବାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି । ପୋଲ ଭଲ୍ଟରେ ୟୁଏସଏର କାଟି ମୁନ୍ ଓ କାନାଡ଼ାର ଆଲିସା ନ୍ୟୁମାନଙ୍କ ମଧ୍ୟରେ ପୁଣି ଥରେ ଲଢେଇ ଦେଖିବାକୁ ମିଳିବ । ଏମାନଙ୍କ ସହ ୨୦୨୪ ବିଶ୍ୱ ଇନ୍ଡୋର ଚାମ୍ପିଅନ୍ ମୋଲି କାଉଡ୍ରେ, ଦୋହା ଡିଫେଣ୍ଡିଂ ଚାମ୍ପିଅନ୍ ସାଣ୍ଡି ମୋରିସ୍ ପ୍ରତିଦ୍ୱନ୍ଦ୍ୱିତା କରିବେ ।