ଦୋହା,୧୭/୦୫: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ଜାଭେଲିନ ଥ୍ରୋରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ପ୍ରଥମ  ଭାରତୀୟ ଭାବେ ସେ ୯୦ ମିଟର ଥ୍ରୋ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଆଜି ଦୋହା ଡାଏମଣ୍ଡ ଲିଗ୍‌ରେ  ସେ ସିଜନ ଆରମ୍ଭ କରିଥିଲେ । ନିଜର ତୃତୀୟ  ପ୍ରୟାସରେ ୯୦.୨୩ ମିଟର ଥ୍ରୋ କରିଥିଲେ ।  ଏହା ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ।  ଏଥିସହ ନୀରଜ ନିଜର ପୂର୍ବ ଜାତୀୟ ରେକର୍ଡ  ଭଙ୍ଗ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । 

 ପଞ୍ଚମ ଥ୍ରୋ ପର୍ଯ୍ୟନ୍ତ ନୀରଜ ପ୍ରଥମ ସ୍ଥାନରେ  ରହି ସ୍ୱର୍ଣ୍ଣ ଦାବିଦାର ରହିଥିଲେ । ମାତ୍ର ଜର୍ମାନୀର  ଜୁଲିଆନ ୱେବର ଷଷ୍ଠ ପ୍ରୟାସରେ ୯୧.୦୬ ମିଟର  ଥ୍ରୋ କରି ସ୍ୱର୍ଣ୍ଣ ହାସଲ କରିଥିଲେ । ନୀରଜ ଦ୍ୱିତୀୟ  ସ୍ଥାନରେ ରହି ରୌପ୍ୟ ଏବଂ ଜର୍ମାନୀର ଆଣ୍ଡରସନ  ପିଟର୍ସ (୮୫.୬୪ ମିଟର) ବ୍ରୋଞ୍ଜ ପଦକ  ଜିତିଥିଲେ । ଫାଇନାଲ ତାଲିକାରେ ଥିବା ଦ୍ୱିତୀୟ  ଭାରତୀୟ କିଶୋର କୁମାର ଜେନା ଦ୍ୱିତୀୟ ଥ୍ରୋରେ  ସିଜନରେ (୭୮.୬୦ ମିଟର) ଶ୍ରେଷ୍ଠ ପ୍ରଦର୍ଶନ  ଦେଇ ଅଷ୍ଟମ ସ୍ଥାନରେ ରହିଥିଲେ । ମୋଟ୍‌ ୧୧ ଜଣ  ପ୍ରତିଯୋଗୀ ପ୍ରତିଯୋଗିତାରେ ସାମିଲ ରହିଥିଲେ ।

 ନୀରଜ ପ୍ରଥମ ଥ୍ରୋରେ ୮୮.୪୪ ମିଟର  ଫିଙ୍ଗିଥିଲେ । ଦ୍ୱିତୀୟ ଥ୍ରୋ ଫାଉଲ ଯାଇଥିଲା । ତୃତୀୟ  ପ୍ରୟାସରେ ୯୦ ମିଟର ମାର୍କ ଅତିକ୍ରମ କରିଥିଲେ ।  ପରବର୍ତ୍ତୀ ୩ଟି ପ୍ରୟାସରେ ଗୋଟିଏ ଫାଉଲ ଥିଲା ଏବଂ  ଅନ୍ୟ ୨ଟି ୮୦.୫୬ ଓ ୮୮.୨୦ ମିଟର ଥିଲା । ୱେବର  ୮୩.୮୨ ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ପଞ୍ଚମ  ପ୍ରୟାସ ପର୍ଯ୍ୟନ୍ତ ସେ ୯୦ ମିଟର ଅତିକ୍ରମ କରିବା ନେଇ  ସଂଘର୍ଷ ଜାରି ରଖିଥିଲେ । ଶେଷରେ ଅନ୍ତିମ ଥ୍ରୋରେ  ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସ୍ୱର୍ଣ୍ଣ ଜିତି ନେଇଥିଲେ । 

୨୦୨୦ ଅଲିମ୍ପିକ୍ସରେ ନୀରଜ ୮୭.୫୮  ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । କିନ୍ତୁ ୨୦୨୪  ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ବଜାୟ ରଖିବାରେ ବିଫଳ  ହୋଇଥିଲେ । ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ  ତାଙ୍କର କଡ଼ା ଟକ୍କର ହୋଇଥିଲା । 

ଶେଷରେ ନଦୀମ  ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଓ ନୀରଜ  ୮୯.୪୫ ମିଟର ସହ ରୌପ୍ୟ ପଦକ ଜିତିଥିଲେ ।  ୨୦୨୨ ଜୁନ ୩୦ ତାରିଖରେ ସେ ଷ୍ଟକହୋଲ୍ମରେ  ୯୦ ମିଟର (୮୯.୯୪) ନିକଟତର ହୋଇଥିଲେ ।  କିନ୍ତୁ ନୀରଜ ଅଳ୍ପକେ ବଞ୍ଚିତ ହୋଇଥିଲେ ।