ନୂଆଦିଲ୍ଲୀ,୨୫/୦୨; ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଛନ୍ତି । ଜାନୁଆରି ୨୦୨୫ରେ ଆରମ୍ଭ ହୋଇଥିବା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୩ ମାସର ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଆମେରିକାରେ ପୂର୍ବରୁ କେବେ ଏଭଳି ପରିବର୍ତ୍ତନ ଦେଖିନଥିଲା । ଏବେ ଆମେରିକାରେ ସୁବର୍ଣ୍ଣ ଯୁଗ ଚାଲିଛି । ଅର୍ଥନୀତି, ସୀମା ସୁରକ୍ଷା, ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଗୁରୁତ୍ୱାରୋପ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣ ଆରମ୍ଭ କରି କହିଛନ୍ତି, ''ମୁଁ ଏକ ସଙ୍କଟରେ ଥିବା ଦେଶର ଦାୟିତ୍ୱ ଗ୍ରହଣ କରିଥିଲି । ସେତେବେଳେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ଥିଲା । ବିଶ୍ବରେ ଯୁଦ୍ଧ ଓ ବିଶୃଙ୍ଖଳା ରାଜୁତି କରୁଥିଲା। କିନ୍ତୁ ଆଜି ମୁଁ ଗର୍ବର ସହିତ କହିପାରିବି ଯେ, ଆମେ ଏପରି ପରିବର୍ତ୍ତନ ହାସଲ କରିଛୁ ଯାହା ପୂର୍ବରୁ କେହି ଦେଖି ନଥିଲେ, ଏବଂ ଏହି ପରିବର୍ତ୍ତନ ଯୁଗ ଯୁଗ ଧରି ଚାଲିବ। ସେ ଦାବି କରିଛନ୍ତି ଅର୍ଥନୀତି ମାତ୍ର ତିନି ମାସ ମଧ୍ୟରେ ପୁନରୁଦ୍ଧାର ହୋଇପାରିଛି। ଗ୍ୟାସ୍ ମୂଲ୍ୟ ହ୍ରାସ ପାଇଛି। ଆମ ଦେଶ ପୂର୍ବ ଅପେକ୍ଷା ବଡ଼ ଏବଂ ଶକ୍ତିଶାଳୀ ହୋଇପାରିଛି । ବିଶ୍ବ ମଞ୍ଚରେ ଆମେରିକାକୁ ପୁଣି ପୂର୍ବ ସମ୍ମାନ ମିଳିଛି । ଆମେରିକାର ସୀମା ଏବେ ସବୁଠୁ ସୁରକ୍ଷିତ, ଶତ୍ରୁ ଭୟଭୀତ ଅଛନ୍ତି । ମୋ କାର୍ଯ୍ୟକାଳ ସବୁବେଳେ ମନେ ରହିବ । ''
ଆମେରିକା ଇଜ୍ ବ୍ୟାକ୍- ଟ୍ରମ୍ପ କହିଛନ୍ତି, ''ଆମ ଦେଶ ପୁଣିଥରେ ଟ୍ରାକ୍କୁ ଫେରିଛି । ପୂର୍ବ ଅପେକ୍ଷା ବଡ଼, ଭଲ, ସମୃଦ୍ଧ ଏବଂ ଶକ୍ତିଶାଳୀ ହୋଇଛି । ଆମେରିକାର ସ୍ୱବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ଆଜିଠାରୁ ୫ ମାସରୁ କମ୍ ସମୟ ମଧ୍ୟରେ, ଆମ ଦେଶ ଆମେରିକୀୟ ଇତିହାସର ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବ । ଆମର ଗୌରବ, ଆମେରିକୀୟ ସ୍ୱାଧୀନତାର ୨୫୦ ତମ ବାର୍ଷିକୀ । ଏହା ଜୁଲାଇ ୪ ତାରିଖରେ,ଆମେ ପୃଥିବୀର ସବୁଠାରୁ ଅବିଶ୍ୱସନୀୟ ଏବଂ ସ୍ୱତନ୍ତ୍ର ଭାବେ ବିଜୟ, ପ୍ରଗତି ଓ ସ୍ୱାଧୀନତାର ଅଢ଼େଇ ଶତାବ୍ଦୀ ପାଳନ କରିବୁ । ଆମେ ଏପରି ହେଉଥିବାର କିଛି କେବେ ଦେଖିନାହୁଁ । ଆମେ ଆହୁରି ଭଲ କରିବାକୁ ଯାଉଛୁ ।''
ଏହା ବି ପଢନ୍ତୁ...'ମୁଁ ଅନେକ ଲୋକଙ୍କ ଟାର୍ଗେଟରେ ଜାଣିନି ଆଉ କେତେ ଦିନ ବଞ୍ଚିବି'... କାହିଁକି ଏମିତି କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ନେଇ କଣ କହିଲେ ? ବିଦେଶ ନୀତରେ ଟ୍ରମ୍ପ ଇରାନ୍ ପରମାଣୁ କାର୍ଯ୍ୟକଳାପ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, "ଯେତେ ସମ୍ଭବ ମୁଁ ଶାନ୍ତି ସ୍ଥାପନ କରିବି, କିନ୍ତୁ ଯଦି ଆମେରିକାକୁ ଧମକ ଦିଆଯାଏ ତେବେ ମୁଁ କେବେ ବି ସଂକୋଚ କରିବି ନାହିଁ । ଆମେରିକା ଇରାନ ନିକଟରେ ତାର ସାମରିକ ଉପସ୍ଥିତି ବୃଦ୍ଧି କରୁଛି ।'' ଏହା ସହିତ ବିଭିନ୍ନ ଦେଶ ଉପରେ ଲାଗୁ ଟାରିଫକୁ ଯଥାର୍ଥ ବୋଲି କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଯେଉଁ ଦେଶ ଆମକୁ ଠକୁଥିଲେ ଏବେ ଆମକୁ ଶହ ଶହ କୋଟି ଡଲାର ଦେଉଛନ୍ତି । ଟାରିଫ୍ ଉପରେ ଆସିଥିବା ସୁପ୍ରିମକୋର୍ଟଙ୍କ ରାୟ ଦୁର୍ଭାଗ୍ୟଜନକ । କିନ୍ତୁ ଖୁସିର କଥା, ପ୍ରାୟ ସବୁ ଦେଶ ଏହି ଡିଲ୍କୁ ବଜାୟ ରଖିବାକୁ ଚାହାନ୍ତି ।''