ନୂଆଦିଲ୍ଲୀ,୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ବର ସର୍ବାଧିକ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ସମ୍ପର୍କରେ ତିକ୍ତତା ବଢିରେ ଲାଗିଛି। ଏକଦା ଘନିଷ୍ଠ ଥିବା ଦୁଇ ପ୍ରମୁଖ ବ୍ୟକ୍ତିତ୍ବ  ଏବେ ପରସ୍ପରକୁ ଧମକ ଦେବାକୁ ପଛାଉ ନାହାନ୍ତି। ନିର୍ବାଚନ ପରେ ଆମେରିକା ପ୍ରଶାସନରେ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିବା ପରେ ଟ୍ରମ୍ପ ଓ ମସ୍କଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏହାର କାରଣ ଥିଲା ଇଭି ଇଲେକ୍ଟ୍ରିକ୍ ବାହନକୁ ନେଇ ତିଆରି କରାଯାଇଥିବା ନୀତି।  ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ତାଙ୍କୁ  ଇଶାରାରେ ଦେଇଛନ୍ତି ଧମକ। ସେ କହିଛନ୍ତି, ଏବେ ମସ୍କଙ୍କୁ ନିଜର ଦୋକାନ ବନ୍ଦ କରିବାକୁ ପଡିପାରେ। 

ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ‘ରାଷ୍ଟ୍ରପତି ଭାବରେ ମୋର ପ୍ରଚାର କରିବା ପୂର୍ବରୁ ଏଲନ୍ ମସ୍କ ଜାଣିଥିଲେ, ମୁଁ ଇଭି ବାହନର ସମ୍ପୂର୍ଣ୍ଣ ବିରୋଧ କରେ। ଏହା କେବଳ ମିଛ ଓ ସବୁବେଳେ ମୋର ପ୍ରଚାର ଅଭିଯାନର ଅଂଶ ଥିଲା। ଇଲେକ୍ଟ୍ରିକ୍ କାର ଠିକ୍ ଅଛି, କିନ୍ତୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ କିଣିବାକୁ ବାଧ୍ୟ କରିହେବନି। ଏଲନ୍‌ଙ୍କୁ ଅତୀତରେ ବି କାହାଠାରୁ ବି ଅଧିକ ସବସିଡି ମିଳିପାରିଥାନ୍ତା। ବିନା ସବସିଡି୍‌ରେ ଏଲନ୍‌ଙ୍କୁ ବୋଧହୁଏ ଏବେ ନିଜର ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ।’ ସେ ଆହୁରି ଲେଖିଛନ୍ତି ‘କୌଣସି ରକେଟ୍ ଲଞ୍ଚ,ସାଟେଲାଇଟ୍ କିମ୍ବା ଇଲେକ୍ଟ୍ରିକ୍ କାର ଉତ୍ପାଦନ ନୁହେଁ ଓ ଆମ ଦେଶର ଖୁବ୍ ଟଙ୍କା ବଞ୍ଚିଯିବ। ବୋଧହୁଏ DOGE କୁ ଏହା ଉପରେ ଗମ୍ଭୀରତାର ସହ ବିଚାର କରିବାକୁ ହେବ। ବହୁତ ଟଙ୍କା ବଞ୍ଚିଯିବ।’ 

ସେପଟେ  ଟ୍ରମ୍ପଙ୍କ ଏହି କଥାର ମଧ୍ୟ କଡ଼ା ଜବାବ୍ ରଖିଛନ୍ତି ଏଲନ୍ ମସ୍କ। ଦିନକ ତଳେ ଟ୍ରମ୍ପ ସରକାରଙ୍କ ଆସିଥିଲା ‘ଓ୍ବାନ୍ ବିଗ୍, ବିୟୁଟିଫୁଲ୍’ ବିଲ୍। ଏହି ବିଲ୍ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରମୁଖ ନୀତି, ପ୍ରତିରକ୍ଷା, ଶକ୍ତି ଏବଂ ସୀମା ସୁରକ୍ଷା ପାଇଁ ବଡ଼ ବଜେଟ୍ ଦାବି କରୁଛି, କିନ୍ତୁ ପୁଷ୍ଟିସାର ଏବଂ ସ୍ୱାସ୍ଥ୍ୟ ସେବାରେ କାଟଛାଣ୍ଟ କରାଯାଇଛି । କଂଗ୍ରେସ ବଜେଟ୍ ଅଫିସ୍ ରିପୋର୍ଟ କରିଛି ଯେ ଆଗାମୀ ଦଶ ବର୍ଷ ମଧ୍ୟରେ, ଏହି ବିଲ୍ ଜାତୀୟ ନିଅଣ୍ଟକୁ ପ୍ରାୟ ୩.୩ ଟ୍ରିଲିୟନ ଡଲାର ବୃଦ୍ଧି କରିବ।  ଟ୍ରମ୍ପଙ୍କ ବିଲ୍‌କୁ କଟାକ୍ଷ କରି କହିଥିଲେ ମସ୍କ କହିଥିଲେ ‘ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲ୍’ ଏକ ‘ପାଗଳାମୀ ଭରା ବିଲ୍’, ଯାହାକି କରଦାତାଙ୍କ ଉପରେ ବୋଝ ପାଲଟିବ। ଏହି ବିଲରେ ୫ ଲକ୍ଷ କୋଟି ଡଲାର ଋଣ ସୀମା ବୃଦ୍ଧି ଦ୍ବାରା ସାଧାରଣ ଆମେରିକୀୟଙ୍କୁ ବହୁତ କ୍ଷତି ହେବ। ଏହା ସହ ସେ ଚେତାବନୀ ଦେଇଛନ୍ତି, ଯଦି ସିନେଟ୍ ଏହି ବିଲ୍‌କୁ ମଞ୍ଜୁରୀ ଦିଏ, ତେବେ ସେ ଆଗାମୀ ଦିନରେ ‘ଆମେରିକା ପାର୍ଟି’ ନାମକ ଏକ ନୂଆ ରାଜନୈତିକ ଦଳ ଲଞ୍ଚ କରିବେ।