ନୂଆଦିଲ୍ଲୀ,୦୭/୦୪; ଆମେରିକାର ଏଫ୍‌-୧୫ଇ ଯୁଦ୍ଧ ବିମାନକୁ ଇରାନ ଗତ ଶୁକ୍ରବାର ଖସାଇ ଦେଇଥିଲା । ଏହି ସମୟରେ ବିମାନରୁ ଦୁଇଜଣ ପାଇଲଟ୍‌ ପାରାସୁଟ୍‌ ସହାୟତାରେ ଓହ୍ଲାଇଥିଲେ । ଦୁର୍ଘଟଣାର କିଛି ସମୟ ଭିତରେ ହିଁ ମୁଖ୍ୟ ପାଇଲଟ୍‌ଙ୍କୁ ଆମେରିକା ସେନା ସୁରକ୍ଷିତ ଭାବେ ଉଦ୍ଧାର କରିନେଇଥିଲା । କିନ୍ତୁ ଏୟାରମ୍ୟାନ୍‌ ଜଣକ ଓହ୍ଲାଇବା ବେଳେ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ତେବେ ଜୀବନ ବଞ୍ଚାଇବା ଲାଗି ସେ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ । ଶନିବାର ତାଙ୍କୁ ଆମେରିକୀୟ ସେନା ଉଦ୍ଧାର କରିବାରେ ସଫଳ ହୋଇଥିଲା । ତେବେ ଏହି ଉଦ୍ଧାର ଅଭିଯାନ ସହଜ ନ ଥିଲା । ଏହି ଉଦ୍ଧାର ଅଭିଯାନ ଚର୍ଚ୍ଚାରେ ରହିଛି । ପାଇଲଟଙ୍କୁ ଉଦ୍ଧାର ପାଇଁ ୧୫୫ ବିମାନ ପଠାଇଥିଲା ଆମେରିକା । କିପରି ଶତ୍ରୁ ମାଟିରେ ଲଢିଥିଲେ ପାଇଲଟ ତାହା କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ଇରାନ କାଳେ ଏହି ପାଇଲଟ୍‌ଙ୍କୁ ଉଠାଇନେବ, ସେହି ଡରରେ ଜୋରଦାର ଅପରେସନ ଚଳାଇଥିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ହ୍ୱାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କୁ ସୂଚନା ଦେଇ ଏହି ଅପରେସନ ବାବଦରେ ବଡ଼ ତଥ୍ୟ ଦେଇଛନ୍ତି । କହିଛନ୍ତି, ଦ୍ୱିତୀୟ ଉଦ୍ଧାର ଅଭିଯାନ ଲାଗି ୪ଟି ବୋମାବର୍ଷୀ ବିମାନ, ୬୪ଟି ଯୁଦ୍ଧ ବିମାନ, ୪୮ଟି ରିଫୁଏଲିଂ ଟ୍ୟାଙ୍କର, ୧୩ଟି ଉଦ୍ଧାରକାରୀ ବିମାନ ନିୟୋଜିତ ହୋଇଥିଲା । ଏହି ମିଶନରେ ମୋଟ ୧୫୫ଟି ବିମାନ ବ୍ୟବହାର ହୋଇଥିଲା । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର ଲାଗି ଏତେ ସାଧନ ବ୍ୟବହାର ଅସ୍ୱାଭାବିକ ମନେ ହେଉଛି । ସମ୍ଭବତଃ ସେମାନେ ଇସଫହାନସ୍ଥିତ ଆଣବିକ କେନ୍ଦ୍ରରୁ ୟୁରାନିୟମ ହାସଲ ଲାଗି ଏହି ଅପରେସନ ଚଳାଇଥିଲେ ।

ଏହା ବି ପଢନ୍ତୁ...ଡୋନାଲ୍ଡଙ୍କ ‘ମଙ୍ଗଳବାର ଡେଡ୍‌ଲାଇନ୍‌’ ଧମକକୁ ଇରାନର ଫୁ, କହିଲା ଆମେରିକାକୁ ‘ଜିଅନ୍ତା ନର୍କ’କୁ ଟାଣୁଛନ୍ତି ଟ୍ରମ୍ପ୍  


ଟ୍ରମ୍ପ କହିଛନ୍ତି, ଆମେରିକା ସେନାର କେବଳ ଗୋଟିଏ ନୀତି ଅଛି । ଆମେ ଆମର କୌଣସି ସେନାଙ୍କୁ କେବେବି ପଛରେ ଛାଡିବୁ ନାହିଁ । ୩୭ ଦିନରେ ଆମେରିକା ଇରାନ ଉପରେ ୧୦ ହଜାର ରୁ ଅଧିକ ଉଡ଼ାଣ କରିଛି ଏବଂ ୧୩ ହଜାରରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି । ଏତେ ବଡ଼ ଅପରେସନରେ ଏହା ପ୍ରଥମ ଥର ଥିବା ଯେ ଆମେରିକୀୟ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା । କିନ୍ତୁ ଉଭୟ ସୈନିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଇଥିଲା । ଟ୍ରମ୍ପ ଏହି ଅପରେସନକୁ ସାମରିକ ଇତିହାସର ସବୁଠାରୁ ବଡ଼ ଏବଂ ବିପଦପୂର୍ଣ୍ଣ ରେସ୍କ୍ୟୁ ମିଶନ ମଧ୍ୟରୁ ଗୋଟିଏ ଭାବରେ କହିଛନ୍ତି ।