ନୂଆଦିଲ୍ଳୀ,୨୯।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଚରମ ସୀମାରେ ପହଁଞ୍ଚିଛି। ଆମେରିକା ଏବେ ଇରାନରେ ସ୍ଥଳ ସେନା ଅଭିଯାନ ଆରମ୍ଭ କରିଛି। ସେଭଳି ତେହରାନ କଡା ଚେତାବନୀ ଦେଇ ଆମେରିକା ସୈନିକଙ୍କୁ ପାରସ୍ ଖାଡିର ସାର୍କ ଶିକାର କରିବେ ବୋଲି ଧମକ ଦେଇଛନ୍ତି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ମୁଖପାତ୍ର ବ୍ରିଗେଡିଅର ଜେନେରାଲ ଇବ୍ରାହିମ୍ ଜୋଲଫାଗାରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ଇରାନରେ ଆକ୍ରମଣ କରେ ତେବେ ପାରସ୍ ଖାଡିର କୌଣସି ଦ୍ବୀପ, ବିଶେଷ ଭାବରେ ଖାର୍ଗ ଦ୍ବୀପ ଉପରେ କବଜା କରିବାର ଚେଷ୍ଟା କରିପାରେ, ତେବେ ଆମେରିକା ସୈନିକଙ୍କୁ ଅପମାନଜନକ ପରାୟଜ, କଏଦ ଓ ଅଙ୍ଗଭଙ୍ଗର ସାମନା କରିବାକୁ ପଡିବ।

ସେ କହିଛନ୍ତି, ଆମେରିକା ସୈନିକ ପାରସ୍ ଖାଡିର ସାର୍କଙ୍କ ପାଇଁ ଭଲ ଖାଦ୍ୟ ପ୍ରମାଣିତ ହେବେ। ଇସ୍ଲାମ ଯୋଦ୍ଧା ଦୀର୍ଘ ସମୟ ଧରି ଆକ୍ରମକ ପଦକ୍ଷେପ ଗ୍ରହଣ କରିବାର ଅପେକ୍ଷା କରୁଛନ୍ତି। ଏହି ସମୟରେ ଜୋଲଫାଗାରି ଟ୍ରମ୍ପଙ୍କ ଉପରେ ଗମ୍ଭୀର ଅଭିଯୋଗ କରି କହିଛନ୍ତି, ଜେଫ୍ରି ଏପଷ୍ଟିନ୍ କାଣ୍ଡରେ ନିଜର ସମ୍ପୃକ୍ତି କାରଣରୁ ମୋସାଦର ବ୍ଲାକମେଲର ଶିକାର ହୋଇଛନ୍ତି। ତେଣୁ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଇଶାରାରେ ନାଚୁଛନ୍ତି। ସେ ଟ୍ରମ୍ପକୁ ‘ଦୁନିଆର ସବୁଠାରୁ ବେଇମାନ ରାଷ୍ଟ୍ରପତି’ ବୋଲି ଘୋଷଣା କରିଛନ୍ତି ଓ ତାଙ୍କ ନୀତିକୁ ଅସ୍ଥିର ତଥା ଅବ୍ୟବହାରିକ ବୋଲି କହିଛନ୍ତି।

ଅନ୍ୟପକ୍ଷେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକିର କାଲିବଫ୍ ରବିବାର ଆମେରିକାକୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଇରାନ ସେନା ତୃଣମୂଳ ସ୍ତରରେ ଓହ୍ଲାଉଥିବା ଆମେରିକୀୟ ସୈନିକଙ୍କୁ ଅପେକ୍ଷା କରୁଛି, ଯାହାଫଳରେ ତାଙ୍କୁ ଜାଳି ପାଉଁଶ କରିପାରିବ। ତାଙ୍କ ଆଞ୍ଚଳିକ ସହଯୋଗୀଙ୍କୁ ସଜା ଦେଇପାରିବ। କାଲିବଫ୍ କହିଛନ୍ତି, ଆମର ଗୁଳିକାଣ୍ଡ ଜାରି ରହିଛି, ମିସାଇଲ ମୁତୟନ ରହିଛି ଓ ଆମର ସଂକଳ୍ପ ଆହୁରି ମଜବୁତ ହୋଇଛି। ଯଦି ଆମେରିକା ସେନା ଇରାନ ମାଟିରେ ଓହ୍ଲାଏ ତେବେ ତାଙ୍କ ସୈନିକଙ୍କୁ କଡା ପାଲଟା ଆକ୍ରମଣ କରାଯିବ।