ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୀର୍ଘ ଦୁଇଘଣ୍ଟା ଧରି ଫୋନ ଯୋଗେ କଥା ହୋଇଥିବା ଜଣାପଡିଛି। ୟୁକ୍ରେନ ଯୁଦ୍ଧ ବିରାମକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ବୋଲି ହ୍ୱାଇଟ ହାଉସ ଘୋଷଣା କରିଛି। କ୍ରେମଲିନର ପ୍ରବକ୍ତା ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ କଥାବର୍ତ୍ତା ହୋଇଥିବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି।

ଏହା ପୂର୍ବରୁ, ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଡାନ୍ ସ୍କାଭିନୋ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ଓଭାଲ୍ ଅଫିସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ଜାରି ରଖିଛନ୍ତି ବୋଲି ଟ୍ୱିଟ୍ କରିଥିଲେ। ତେବେ ଏହି ଆଲୋଚନା ସମୟରେ ୟୁକ୍ରେନ ସହ ଚାଲୁଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ଜଣାପଡିଛି।

ଆପଣଙ୍କୁ ଜଣାଇରଖୁ ଯେ, ପୂର୍ବରୁ ଟ୍ରମ୍ପ କହିଥିଲେ, ଆସନ୍ତା ମଙ୍ଗଳବାର ସୁଦ୍ଧା ଆମେ କିଛି ବିଶେଷ ଘୋଷଣା କରିବୁ। ମୁଁ କିଛି ବିଶେଷ କଥା ଉପରେ ମଙ୍ଗଳବାର ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବି। ଆମେ ଉଭୟ ନେତା କଥା ହୋଇ ଦେଖିବାକୁ ଚାହୁଁଛୁ ଯେ ଆମେ ଏହି ଯୁଦ୍ଧକୁ ସମାପ୍ତ କରିପାରିବା କି ନାହିଁ। ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ ଭୂମି ଏବଂ ବିଦ୍ୟୁତ୍ କେନ୍ଦ୍ର ଆଲୋଚନାର ଏକ ଅଂଶ ଭାବେ ଆଲୋଚନା କରାଯିବ। ଶେଷରେ ଆଜି ଟ୍ରମ୍ପ ନିଜ କଥା ରଖି ପୁଟିନଙ୍କ ସହ କଥା ହୋଇଛନ୍ତି। 

କ୍ରେମିଲିନର ପ୍ରବକ୍ତା ଦିମିତ୍ରି ପେସକୋଭ ସୋମବାର ଉଭୟ ନେତାଙ୍କ ମଧ୍ୟରେ କଥାବର୍ତ୍ତା ହେବାକୁ ଯାଉଛି ବୋଲି ଘୋଷଣା କରିଥିଲେ। କିନ୍ତୁ କେଉଁ ବିଷୟରେ ଉଭୟ ନେତା କଥା ହେବାକୁ ଯାଉଛନ୍ତି ସେନେଇ ଦିମିତ୍ରି କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ତେବେ ଟ୍ରମ୍ଫଙ୍କ ଋଷ ପ୍ରତି ସମର୍ଥନ ଦେଖି ଯୁରୋପିୟ ସଂଘ ନିଜର ଚିନ୍ତାବ୍ୟକ୍ତ କରିଛି। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍କି ମଧ୍ୟ ଧିରେ ଧିରେ ଯୁକ୍ରେନ ଉପରୁ ନିଜର କତ୍ତୃତ୍ତ୍ୱ ହାରାଉଥିବା ନଜରକୁ ଆସୁଛି। ଦୁଇସପ୍ତାହ ତଳେ ଓଭାଲ ଅଫିସରେ ଟ୍ରମ୍ପଙ୍କ ସହ ମୁହାଁମୁହିଁ ପରିସ୍ଥିତି ପରେ ଜେଲେନ୍କି ବର୍ତ୍ତମାନ ଆମେରିକାଠୁ ପାଉଥିବା ସହାୟତା ରାଶି ହରାଇ ସାରିଛନ୍ତି। 

୨୦୨୨ ମସିହାରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଚାରିଟି ଅଞ୍ଚଳରେ ଅବୈଧ କବ୍ଜା କରିନେଇଛି। ଏହା ମଧ୍ୟରେ ପୂର୍ବରେ ଥିବା ଡେନିତସ୍କ ଓ ଲୁହାନ୍ସ୍କ ଓ ଦକ୍ଷିଣ-ପୂର୍ବାଞ୍ଚଳରେ ଥିବା ଖେରସାନ ଓ ଜେପୋରିଜ୍ଜିୟା ଅଞ୍ଚଳକୁ ଋଷ କବ୍ଜା କରିସାରିଛି। କିନ୍ତୁ କବ୍ଜା କରିଥିବା ସମସ୍ତ ଅଞ୍ଚଳରେ ଋଷର ପୁରା ନିୟନ୍ତ୍ରଣ ନାହିଁ ବୋଲି ଜଣାପଡିଛି।