ନୂଆଦିଲ୍ଲୀ,୦୯/୧୧: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଇମିଗ୍ରେସନ ପଲିସିକୁ ନେଇ ଚିନ୍ତାରେ ଭାରତୀୟ। ଆମେରିକାରେ ରହୁଥିବା ଭାରତୀୟମାନେ ହୋଇ ପଡିଛନ୍ତି ଚିନ୍ତିତ । କାରଣ ଇମିଗ୍ରେସନ ପଲିସିକୁ କଡାକଡ଼ି କରିବାକୁ ସେ ଘୋଷଣା କରିଛନ୍ତି। ବିଶେଷ କରି ନେଚୁରାଲ ସିଟିଜେନସିପ୍ ମିଳିବନି ବୋଲି ସେ ନିର୍ବାଚନ ବେଳେ ପ୍ରଚାର କରିଥିଲେ। ଆଉ ଏଥିସହ କହିଥିଲେ, ଦାୟିତ୍ଵ ନେବାର ପ୍ରଥମ ଦିନରେ ହିଁ ଏହାକୁ ସେ ବାତିଲ କରିବେ।
ତେବେ ଆମେରିକା ନିୟମ ଅନୁସାରେ, ଆମେରିକାରେ ଯେଉଁ ଭାରତୀୟ ରହୁଛନ୍ତି, ସେମାନଙ୍କର ପୁଅ ଝିଅ ଆମେରିକାରେ ଜନ୍ମ ହେଲେ, ସେମାନେ ସ୍ଵାଭାବିକ ଭାବେ ଆମେରିକାର ନାଗରିକ ହୁଅନ୍ତି। ଆପେ ଆପେ ସେହି ପିଲାଙ୍କୁ ଆମେରିକାର ନାଗରିକତ୍ଵ ମିଳିଯାଏ। ଟ୍ରମ୍ପ ଘୋଷଣା କରିଛନ୍ତି, ଏବେ କିନ୍ତୁ ସେପରି ହେବନି। ବାପା କିମ୍ଵା ମାଆଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିଲେ ହିଁ ପିଲାକୁ ଆମେରିକାର ସିଟିଜେନସିପ୍ ମିଳିବ । ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ତା’ଛଡ଼ା ଆମେରିକାର ଏବେ ବି ବହୁତ ଭାରତୀୟ ବେଆଇନ ଭାବେ ରହୁଥିବା ଜଣାପଡିଛି ।