ପଟନା: ବିହାରର ରାଜଧାନୀ ପଟନାରେ ୪୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡବଲ ଡେକର ଫ୍ଲାଇଓଭର ବ୍ରିଜର ଏକ ଅଂଶ ରବିବାର ଦିନ ପ୍ରବଳ ବର୍ଷା ପରେ ଧସି ପଡ଼ିଛି। ଏହି ଫ୍ଲାଇଓଭର ବ୍ରିଜଟି ଅଶୋକ ରାଜପଥରେ ଟ୍ରାଫିକ ଜାମ ହ୍ରାସ କରିବା ପାଇଁ ନିର୍ମାଣ କରାଯାଇଥିଲା। ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଗତ ଜୁନ ମାସ ୧୧ ତାରିଖରେ ଏହାର ଉଦଘାଟନ କରାଯାଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ଏପରି ଧସିଯିବା ଘଟଣା ନିର୍ମାଣର ଗୁଣବତ୍ତା ଏବଂ ପ୍ରଶାସନିକ ନିରୀକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନବାଚି ସୃଷ୍ଟି କରିଛି।
ଖବର ଅନୁସାରେ, ଏହି ୨.୨ କିଲୋମିଟର ଲମ୍ବା ଫ୍ଲାଇଓଭର ଗାନ୍ଧୀ ମୈଦାନ ନିକଟସ୍ଥ କାର୍ଗିଲ ଚୌକରୁ ପଟନା ମେଡିକାଲ କଲେଜ ଓ ହସ୍ପିଟାଲ (ପିଏମସିଏଚ) ହୋଇ ସାଇନ୍ସ କଲେଜ ପର୍ଯ୍ୟନ୍ତ ଲମ୍ୱି ରହିଛି। ଏହା ବିହାରର ପ୍ରଥମ ଦୁଇ ଲେନ ବିଶିଷ୍ଟ ଡବଲ ଡେକର ଏଲିଭେଟେଡ କରିଡର ଭାବେ ପରିଚିତ। ଉପର ଡେକ (ଟିୟର-୨) ୨,୧୭୫.୫ ମିଟର ଲମ୍ବା ଏବଂ ଗାନ୍ଧୀ ମୈଦାନରୁ ସାଇନ୍ସ କଲେଜ ଅଭିମୁଖେ ଯାତାୟାତ ପାଇଁ ନିର୍ମିତ ହୋଇଥିବା ବେଳେ ନିମ୍ନ ଡେକ (ଟିୟର-୧) ୧,୪୪୯.୩ ମିଟର ଲମ୍ବା ଏବଂ ପଟନା କଲେଜରୁ ଗାନ୍ଧୀ ମୈଦାନ ଅଭିମୁଖେ ଯାତାୟାତ ପାଇଁ ବ୍ୟବହୃତ ହୁଏ। ଉଭୟ ଡେକର ପ୍ରସ୍ଥ ୮.୫ ମିଟର ରହିଛି।
ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଫ୍ଲାଇଓଭରର ଉପର ଡେକରେ ଏକ ବଡ଼ ଗାତ ଦେଖାଯାଇଛି। ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମ ସାଇଟରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାସହ ନିକଟରେ ବିହାର ନିର୍ବାଚନ ଆୟୋଜିତ ହେବାକୁ ଥିବାରୁ ବିରୋଧିମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ଗତ କିଛି ଦିନ ଧରି ପଟନା ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ଲାଗି ରହିଛି। ଯାହା ଫଳରେ କାଙ୍କଡ଼ବାଗ, ରାଜେନ୍ଦ୍ର ନଗର, ଏକ୍ସିବିସନ ରୋଡ଼ ଓ ଗାନ୍ଧୀ ମୈଦାନ ଆଦି ଅଞ୍ଚଳରେ ଜଳାକ୍ରାନ୍ତ ସ୍ଥିତି ସୃଷ୍ଟି ହୋଇଛି। କାରଣ ଏହି ବର୍ଷାରେ ଜମା ହେଉଥିବା ଜଳ ନିଷ୍କାସିତ ହୋଇପାରୁ ନାହିଁ। ଯାହା ଫଳରେ ବର୍ଷା ପାଣି ରାସ୍ତା, ଘର, ହସ୍ପିଟାଲ ଓ ବିଦ୍ୟାଳୟଗୁଡ଼ିକରେ ପଶିଯାଇଛି। ପାମିପାଗ ବିଭାଗ ପଟନା ସମେତ ଅନ୍ୟାନ୍ୟ ଜିଲ୍ଲାମାନଙ୍କ ପାଇଁ ଆଗାମୀ ୪୮ ଘଣ୍ଟା ପାଇଁ 'ଅରେଞ୍ଜ' ଆଲର୍ଟ ଜାରି କରିଛି। ତେଣୁ ଆଗକୁ ଏହି ପରିସ୍ଥିତି ଆହୁରି ବିଗିଡିବ ବୋଲି ଅନୁମାନ କରାଯାଉଛି।
ଏହି ଘଟଣା ବିହାରରେ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତାର ଅଭାବକୁ ପ୍ରତିଫଳିତ କରୁଛି। ଅନ୍ୟପଟେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନାଗରିକମାନେ ଏନେଇ ପ୍ରଶାସନଠାରୁ ଜବାବ ମାଗିଛନ୍ତି।