ବେଜିଂ, ୦୫/୦୨ : ଚୀନ ସେନାରେ ବଡ଼ ପରିବର୍ତ୍ତନ। ୩ ବର୍ଷରେ ୨୩ ଜେନେରାଲଙ୍କୁ ହଟାଇଛନ୍ତି ସି ଜିନ୍ପିଙ୍ଗ୍। ଏମାନଙ୍କ ମଧ୍ୟରୁ ଅନେକ ନିଖୋଜ। ବିଶ୍ୱସ୍ତ ସେନାଧିକାରୀଙ୍କୁ ବି ତ୍ରାହି ମିଳିନି। ଜିନ୍ପିଙ୍ଗ୍ ଙ୍କ ଅନାବଶ୍ୟକ ସନ୍ଦେହ ହେଉଛି ଏହାର ମୂଳ କାରଣ। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଖୁଲାସା। ଚୀନ୍ର ସେନାରେ ଗତ ୩ ବର୍ଷ ମଧ୍ୟରେ ଯେଉଁଭଳି ଭାବେ ପରିବର୍ତ୍ତନ ହୋଇଛି, ତାହା ଦେଶର ଇତିହାସରେ ପୂର୍ବରୁ କେବେ ଘଟି ନ ଥିଲା । ୨୦୨୩ ପ୍ରାରମ୍ଭରେ ଚୀନ୍ ପାଖରେ ଅନ୍ୟୂନ ୩୦ ଜେନେରାଲ ଓ ଆଡମିରାଲ ଥିଲେ । ସେମାନେ ସ୍ୱତନ୍ତ୍ର ବିଭାଗ ଓ ଥିଏଟର କମାଣ୍ଡର କମାଣ ସମ୍ଭାଳୁଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପଦରୁ ହଟାଇ ଦିଆଯାଇଛି । ଆଉ କିଛି ସେନାଧିକାରୀ ଅଚାନକ ଗାଏବ ହୋଇଯାଇଛନ୍ତି ।
ଅନେକ ଅଧିକାରୀ ନିଖୋଜ
ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ଚୀନ୍ର ଯେଉଁ ୩୦ ଜେନେରାଲ ଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୭ ଜଣ ସକ୍ରିୟ ଅଛନ୍ତି । ସେନାର ବଡ଼ ବଡ଼ ବିଭାଗରେ ରହି ଦାୟିତ୍ୱ ନିର୍ବାହ କରୁଛନ୍ତି । ବାକି ୨୩ ଜଣଙ୍କୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ପଦରୁ ହଟାଇ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କୁ ଦେଶରେ ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକ ଚୀନ୍ର ଇତିହାସରେ ସେନାରେ ଏତେ ବଡ଼ ଧରଣର ପରିବର୍ତ୍ତନ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ଏଭଳି ଭୟଙ୍କର ପଦକ୍ଷେପ ଯୋଗୁ ଚୀନ୍ ସେନାର ଶୀର୍ଷ ସ୍ତର ନେତୃତ୍ୱରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ଅନାବଶ୍ୟକ ସନ୍ଦେହ ହିଁ ମୁଖ୍ୟ କାରଣ
ଆମେରିକୀୟ ଗୁଇନ୍ଦା ଏଜେନ୍ସିଙ୍କ ସହ ଜଡ଼ିତ ବିଶେଷଜ୍ଞଙ୍କ ଅନୁସାରେ, ଜିନ୍ପିଙ୍ଗ୍ ଅନାବଶ୍ୟକ ଭାବେ ନିଜ ସେନା ଅଧିକାରୀଙ୍କୁ ସନ୍ଦେହ କରୁଛନ୍ତି । ଯେଉଁ ସେନା ଅଧିକାରୀଙ୍କୁ ନେଇ ତାଙ୍କର ସାମାନ୍ୟ ସନ୍ଦେହ ହେଉଛି, ସେମାନଙ୍କୁ ସେ ତୁରନ୍ତ ହଟାଇ ଦେଉଛନ୍ତି । ୨୦୧୬ରେ ସି ଜିନ୍ପିଙ୍ଗ୍ ଚୀନ୍ର ସେନା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ପୂର୍ବରୁ ଏହାର ସେନା ୭ଟି ସାମରିକ ଅଞ୍ଚଳରେ ବାଣ୍ଟି ହୋଇଥିଲା । ଜିନ୍ପିଙ୍ଗ୍ ଏହାକୁ ଶେଷ କରି ୫ଟି ଥିଏଟର କମାଣ୍ଡରେ ବିଭକ୍ତ କରିଥିଲେ, ଯଦ୍ଦ୍ୱାରା ବିଭିନ୍ନ ମୋର୍ଚ୍ଚାରେ ଦ୍ରୁତ ଗତିରେ ନିଷ୍ପତ୍ତି ନିଆଯାଇ ପାରିବ । ସେନା, ନୌସେନା, ବାୟୁସେନା ଓ ମିସାଇଲ ଫୋର୍ସ ମିଳିତ ଭାବେ କାମ କରିବେ ଏବଂ ଯୁଦ୍ଧ ସ୍ଥିତିରେ ‘ଏକ କମାଣ୍ଡ, ଏକ ଦାୟିତ୍ୱ’ କାର୍ଯ୍ୟ କରିବ । ତନ୍ମଧ୍ୟରୁ ସଦର୍ନ ଥିଏଟର କମାଣ୍ଡର, ୱେଷ୍ଟର୍ନ ଥିଏଟର କମାଣ୍ଡ ଏବଂ ନର୍ଦର୍ନ ଥିଏଟର କମାଣ୍ଡରେ ସର୍ବାଧିକ ଅଧିକାରୀଙ୍କୁ ହଟାଇ ଦିଆଯାଇଛି । ଏକମାତ୍ର ସେଣ୍ଟ୍ରାଲ ଥିଏଟର କମାଣ୍ଡରେ ସ୍ୱଳ୍ପ ଅଧିକାରୀଙ୍କୁ କଢ଼ାଯାଇଛି । ଏସବୁ ଥିଏଟର କମାଣ୍ଡ ସେଣ୍ଟ୍ରାଲ ମିଲିଟାରି କମାଣ୍ଡ (ସିଏମ୍ସି)ର ନିର୍ଦ୍ଦେଶରେ କାମ କରୁଥିବା ସାମରିକ ୟୁନିଟ । ଏହା ସେନା, ନୌସେନା, ବାୟୁସେନା, ମିସାଇଲ ଫୋର୍ସକୁ ଏକତ୍ରିତ କରି ଅପରେସନ ଚଳାଇଥାଏ । ଏଥିରେ ଥିବା ୬ ଜେନେରାଲଙ୍କ ମଧ୍ୟରୁ ୫ ଜଣଙ୍କୁ ହଟାଇ ଦିଆଯାଇଛି ।
ବିଶ୍ୱସ୍ତ ସେନାଧିକାରୀଙ୍କୁ ବି ତ୍ରାହି ମିଳିନି
ପଦଚ୍ୟୁତ ୫ ଜେନେରାଲ ହେଉଛନ୍ତି ଉପାଧ୍ୟକ୍ଷ ଝାଙ୍ଗ ୟୁକ୍ସିଆ, ହେ ୱିଡୋଙ୍ଗ, ମିୟାଓ ହୁଆ, ଲିୟୁ ଝେନଲୀ ଓ ଲୀ ଶାଙ୍ଗ୍ଫୁ । ଏକମାତ୍ର ଝାଙ୍ଗ ଶେଙ୍ଗ୍ମିନ୍ ବର୍ତ୍ତମାନ ସଦସ୍ୟ ରହିଛନ୍ତି । ୨୦୨୨ରେ ସେଣ୍ଟ୍ରାଲ ମିଲିଟାରି କମିଶନରେ ଏହି ୬ ଜେନେରାଲଙ୍କୁ ନିଜେ ସି ଜିନ୍ପିଙ୍ଗ୍ ନିଯୁକ୍ତ କରିଥିଲେ । ଜିନ୍ପିଙ୍ଗ୍ ନିଜେ କମିଶନର ଅଧ୍ୟକ୍ଷ ରହିଥିଲେ । ଏବେ ସେଣ୍ଟ୍ରାଲ ମିଲିଟାରି କମିଶନରେ କେବଳ ଜଣେ ଜେନେରାଲ ଶେଙ୍ଗ୍ମିନ୍ ରହିଛନ୍ତି । ଗତ ମାସରେ ଚୀନ୍ ରାଷ୍ଟ୍ରପତି ସିଏମ୍ସିରୁ ଏକସଙ୍ଗେ ଦୁଇଜଣ ଅଧିକାରୀଙ୍କୁ ବିଦା କରିଥିଲେ । ୨୦୨୩ରେ ଜିନ୍ପିଙ୍ଗ୍ଙ୍କୁ ତୃତୀୟ ଥର ରାଷ୍ଟ୍ରପତି ହେବାକୁ ସହାୟତା କରିଥିବା ଜେନେରାଲ ଝାଙ୍ଗ୍ଙ୍କୁ ବି ଛଡ଼ାଯାଇ ନ ଥିଲା । ଝାଙ୍ଗ୍ ସିଏମ୍ସିରେ ଅନ୍ତଃକନ୍ଦଳ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ଝାଙ୍ଗ୍ ୟୁକ୍ସିଆ ମାତ୍ରାଧିକ କ୍ଷମତାଶାଳୀ ହୋଇଯାଇଥିଲେ ।
ଏହି ଖବରଟିକୁ ପଢନ୍ତୁ- ଲିବିୟା ରାଜନୀତିରେ ହଲଚଲ; ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫଙ୍କୁ ଗୁଳି କରି ହତ୍ୟା