ନୂଆଦିଲ୍ଲୀ,୧୮/୦୫: ଟିମ୍ ଇଣ୍ଡିଆରେ ଷ୍ଟାର କଲ୍‌ଚରକୁ ନେଇ ମୁହାଁମୁହିଁ ଦ୍ରାବିଡ୍- ଗମ୍ଭୀର । ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଗୌତମ୍ ଗମ୍ଭୀର 'ସୁପରଷ୍ଟାର ସଂସ୍କୃତି' ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାର କଡ଼ା ଜବାବ ଦେଇଛନ୍ତି ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ୍ । ଭାରତୀୟ କ୍ରିକେଟ୍ ଦଳରେ ‘ଷ୍ଟାର କଲଚର’କୁ ନାପସନ୍ଦ କରନ୍ତି କୋଚ ଗୌତମ ଗମ୍ଭୀର । ତେଣୁ ଏଭଳି ପରମ୍ପରାର ପୂର୍ଣ୍ଣଚ୍ଛେଦ ହେବା ଦରକାର ବୋଲି ସେ ପୂର୍ବରୁ କହି ଆସୁଛନ୍ତି । ସେହି ଅନୁସାରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ମାତ୍ର ଗମ୍ଭୀରଙ୍କ ସହ ଏକମତ ନୁହଁନ୍ତି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ବଡ଼ ଖେଳାଳିଙ୍କୁ ଦଳରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ । ଭିନ୍ନ ସୁବିଧା ସୁଯୋଗ ମିଳେ । କିନ୍ତୁ ଏଭଳି ପରମ୍ପରାକୁ ଭଲ ପାଆନ୍ତି ନାହିଁ ଗମ୍ଭୀର । ତେଣୁ ବିଭିନ୍ନ ସମୟରେ ସେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ଆସିଛନ୍ତି ।

ତାଙ୍କର କହିବାର କଥା ହେଉଛି ବ୍ୟକ୍ତିଗତ ନୁହେଁ, ଦଳୀୟ ସଫଳତାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଦ୍ରାବିଡ଼ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ‘ଯେ କୌଣସି କ୍ରୀଡ଼ା ହେଉ, ତାକୁ ତା’ର ହିରୋର ଆବଶ୍ୟକତା ରହିଛି । ମୁଁ ଏହା ଭାବୁ ନାହିଁ ଯେ ବିନା ପ୍ରଦର୍ଶନରେ ପ୍ରଶଂସକ କାହାକୁ ହିରୋ ବୋଲି ମାନିବେ । ବିଶେଷ କରି ଭାରତରେ ଯଦି ପଡ଼ିଆରେ ତୁମେ ଭଲ ପ୍ରଦର୍ଶନ କରୁଛ ତେବେ ତୁମକୁ ପ୍ରଶଂସା କରାଯାଏ । ଖରାପ ପ୍ରଦର୍ଶନ କଲେ ସମାଲୋଚିତ ହେବାକୁ ପଡ଼େ । ପ୍ରଶଂସକମାନଙ୍କର ଫୋକସ ତୁମ ଉପରେ ରହିଥାଏ । ଯଦି ଜଣେ କିମ୍ବଦନ୍ତୀ କିମ୍ବା ସୁପରଷ୍ଟାର ହେଉଛନ୍ତି ତେବେ ତାଙ୍କୁ ପଡ଼ିଆରେ ବହୁତ କିଛି କରିବାକୁ ପଡ଼ିଥାଏ । ବିଶେଷ କରି ଦଳକୁ ଜିତାଇବାରେ ସହାୟକ ହେବାକୁ ହୁଏ ।’

ଦ୍ରାବିଡ଼ଙ୍କ ସମୟରେ ଭାରତୀୟ ଦଳରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହ୍ୱାଗ ଖେଳୁଥିଲେ । ‘ସେସମୟ ଏମିତି ଥିଲା ଗୋଟିଏ ଦଳରେ ଏକାଧିକ ତାରକା ଖେଳାଳି ଖେଳୁଥିଲେ ବୋଲି ଦ୍ରାବିଡ଼ କହିଛନ୍ତି । ଭାରତୀୟ ଟେଷ୍ଟ ଦଳର ପ୍ରଦର୍ଶନକୁ ନେଇ ସେ କହିଛନ୍ତି, ‘ରୋହିତ ଶର୍ମା, ବିରାଟ କୋହଲି ଓ ଆର.ଅଶ୍ୱିନଙ୍କ ଭଳି ଖେଳାଳି ଅବସର ନେବା ପରେ ଦଳରେ ସନ୍ତୁଳନ ବିଗାଡ଼ିଛି । କିନ୍ତୁ ଏଭଳି ସମୟରେ ଦଳକୁ ସମର୍ଥନର ଆବଶ୍ୟକତା ରହିଛି ।’

ଏହା ବି ପଢନ୍ତୁ...ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନକୁ ଧୁଳି ଚଟାଇଲା ଦିଲ୍ଲୀ; ପ୍ଳେ ଅଫ୍ ଦୌଡ଼ରେ ବଡ଼ ଖେଳ, ୫ ଓ୍ବିକେଟରେ ଜିତିଲା ମ୍ୟାଚ୍  

ରାହୁଲ ଦ୍ରାବିଡ୍ ଆହୁରି କହିଛନ୍ତି, '' ମୁଁ ଭାବୁଛି ଏହି ଖେଳରେ ବହୁତ ସଫଳତା ଅଛି । ବିଶେଷ କରି ଧଳାବଲ୍ କ୍ରିକେଟରେ ଗତ ୧୦-୧୫ ବର୍ଷ ମଧ୍ୟରେ ମୁଁ ୨୦୧୧ ବିଶ୍ୱକପ ପରେ କହୁଛି, ହୁଏତ ଆମେ ବହୁତ ଆଇସିସି ଟ୍ରଫି ଜିତିନାହୁଁ । ଯାହା ଆମେ ଗତ କିଛି ବର୍ଷ ମଧ୍ୟରେ ଜିତିଛୁ, କିନ୍ତୁ ନିଶ୍ଚିତ ଭାବରେ ସବୁବେଳେ ଶ୍ରେଷ୍ଠ ଦୁଇ କିମ୍ବା ୩ଟି ଦଳରେ ଏବଂ ବହୁତ ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲରେ । ତେଣୁ ସେହି ଆଶା ଅଛି ପ୍ରତିଥର ଭାରତ ଖେଳିବା ସମୟରେ ଦଳକୁ ଭଲ କରିବାକୁ ପଡିବ ଏବଂ ଜିତିବାକୁ ହେବ ମୁଁ ଭାବୁଛି ଏହା ଭଲ କଥା । ''