ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦।୪: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ମିଳିତ ଭାବେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ 'ନୌସେନା ସ୍ୱଳ୍ପ ଦୂରଗାମୀ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର' (NASM-SR) ର ସଫଳ ପରୀକ୍ଷଣ କରିଛନ୍ତି । ଭାରତୀୟ ନୌସେନାର ଏକ ହେଲିକପ୍ଟର ପ୍ଲାଟଫର୍ମରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା ।

ଗୋଟିଏ ହେଲିକପ୍ଟରରୁ ଦୁଇଟି କ୍ଷେପଣାସ୍ତ୍ର: ପ୍ରଥମ 'କଲେକ୍ଟିଭ୍ ଲଞ୍ଚ'

ଏହି ପରୀକ୍ଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ, ଗୋଟିଏ ହେଲିକପ୍ଟରରୁ ଅତି ଦ୍ରୁତ ଗତିରେ ଦୁଇଟି କ୍ଷେପଣାସ୍ତ୍ର ଯାଇଥିଲା । ଏହା ଏହି ଉନ୍ନତ ବାୟୁ-ପ୍ରବେଶିତ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଥମ ସାମୂହିକ ବା 'କଲେକ୍ଟିଭ୍ ଲଞ୍ଚ' ଥିଲା । କ୍ଷେପଣାସ୍ତ୍ରଗୁଡ଼ିକ ସଠିକ୍ ଭାବେ ନିଜର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି, ଯାହା ଭାରତର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିଛି ।

ଶୁଭେଚ୍ଛା ଦେଲେ ରାଜନାଥ ସିଂହ:

ଏହି ଐତିହାସିକ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO, ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଏବଂ ସମ୍ପୃକ୍ତ ଶିଳ୍ପ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ଫଳରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣାତ୍ମକ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଆହୁରି ଆଗକୁ ବଢ଼ିବ ।

ଅତ୍ୟାଧୁନିକ ଆର୍ମୋଡ୍ ପ୍ଲାଟଫର୍ମର ଉନ୍ମୋଚନ:

ଏହା ପୂର୍ବରୁ ଗତ ଏପ୍ରିଲ ୨୫ ତାରିଖରେ ମହାରାଷ୍ଟ୍ରର ଅହିଲ୍ୟାନଗରସ୍ଥିତ DRDO ପ୍ରୟୋଗଶାଳାରେ ଉନ୍ନତ ଆର୍ମୋଡ୍ ପ୍ଲାଟଫର୍ମର ଉନ୍ମୋଚନ କରାଯାଇଥିଲା । DRDO ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ଲାଟଫର୍ମଗୁଡ଼ିକର ଅନାବରଣ କରିଥିଲେ । ଏହି ଗାଡ଼ିଗୁଡ଼ିକ ନୌସେନା ଏବଂ ସ୍ଥଳସେନାର ଆଧୁନିକ ଅପରେସନାଲ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି ।

୯୦% ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଲକ୍ଷ୍ୟ:

ଏହି ନୂତନ ପ୍ଲାଟଫର୍ମଗୁଡ଼ିକରେ ୩୦ ମିମି କ୍ରୁଲେସ୍ ଟରେଟ୍ ଏବଂ ୭.୬୨ ମିମି PKT ଗନ୍ ଲଗାଯାଇଛି, ଯାହା ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଲଞ୍ଚ କରିବା ପାଇଁ ମଧ୍ୟ ସକ୍ଷମ । ବର୍ତ୍ତମାନ ଏଥିରେ ୬୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି । ଭବିଷ୍ୟତରେ ଏହି ସ୍ୱଦେଶୀ ସାମଗ୍ରୀର ପରିମାଣକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସଫଳ ପରୀକ୍ଷଣ ଏବଂ ନୂତନ ପ୍ଲାଟଫର୍ମର ବିକାଶ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିଛି ।

ଆହୁରି ପଢ଼ନ୍ତୁ... ​​​​​​​ବେଙ୍ଗାଲୁରୁରେ ପ୍ରଳୟଙ୍କରୀ ବର୍ଷା: ହସ୍ପିଟାଲ କାନ୍ଥ ଭୁଶୁଡ଼ି ୮ ମୃତ, ଅନେକ ଦବି ରହିଥିବା ଆଶଙ୍କା