ବେଙ୍ଗାଲୁରୁ, ୩୦।୪: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ବିତ୍ପାତ ସୃଷ୍ଟି କରିଛି । ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ପ୍ରଳୟଙ୍କରୀ ବର୍ଷା ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ସିଭାଜୀ ନଗର ଅଞ୍ଚଳରେ ଥିବା ପ୍ରସିଦ୍ଧ ବୋରିଂ ଏବଂ ଲେଡି କର୍ଜନ ହସ୍ପିଟାଲ ପରିସରର ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଏବେ ମଧ୍ୟ ଭଙ୍ଗା କାନ୍ଥର ମଳବେ ତଳେ କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।

ବର୍ଷାରୁ ବଞ୍ଚିବାକୁ ଆଶ୍ରୟ ନେଉଥିଲେ, କାଳ ସାଜିଲା କାନ୍ଥ:

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା । ବିଜୁଳି ଘଡ଼ଘଡ଼ି ଏବଂ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ଓ କୁଆପଥର ମାଡ଼ରୁ ରକ୍ଷା ପାଇବା ପାଇଁ ସେହି ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ, ଛୋଟ ଦୋକାନୀ ଏବଂ ଶିଶୁମାନେ ହସ୍ପିଟାଲ ପରିସରର କାଉଣ୍ଡ କାନ୍ଥ ପାଖରେ ଆଶ୍ରୟ ନେଇଥିଲେ । ଠିକ୍ ସେତିକି ବେଳେ ଶକ୍ତିଶାଳୀ ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ କାନ୍ଥଟି ହଠାତ୍ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା ।

ଉଦ୍ଧାର କାର୍ଯ୍ୟ ଜାରି, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା:

ଘଟଣା ସ୍ଥଳରେ ହିଁ କିଛି ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଜେପି ନେତା ସି.ଟି. ରବିଙ୍କ କହିବା ଅନୁଯାୟୀ ମୃତ୍ୟୁସଂଖ୍ୟା ୧୦ ପର୍ଯ୍ୟନ୍ତ ବଢ଼ିପାରେ । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ମଳବେ ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ:

ଅଘଟଣ ଖବର ପାଇ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ହସ୍ପିଟାଲ କାନ୍ଥ ଭୁଶୁଡ଼ିବା ନେଇ ସେ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ଦାୟିତ୍ୱହୀନତା ପାଇଁ ତାଗିଦ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମଧ୍ୟ ଘଟଣାସ୍ଥଳ ବୁଲି ଦେଖିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ... ଆକ୍ସିସ୍ ମାଇଁ ଇଣ୍ଡିଆ ପଶ୍ଚିମବଙ୍ଗରେ କାହିଁକି ଜାରି କଲାନି ଏକଜିଟ୍ ପୋଲ୍, ନିର୍ବାଚନୀ ବିଶ୍ଲେଷକ କହିଲେ ୬୦ ରୁ ୭୦% ଭୋଟର.. 

ବେଙ୍ଗାଲୁରୁରେ ଶୋକାକୁଳ ପରିବେଶ:

ଏହି ଦୁର୍ଘଟଣା ପରେ ସମଗ୍ର ସିଭାଜୀ ନଗର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ ପୁରୁଣା କାନ୍ଥ କିମ୍ବା ଗଛ ତଳେ ଆଶ୍ରୟ ନନେବାକୁ ପରାମର୍ଶ ଦିଆଯାଇଛି ।