୨୦୨୫ରେ ରେକର୍ଡ ଭାଙ୍ଗିଲା ନିଶା କାରବାର । ମଦ, ଗଞ୍ଜେଇ, ବ୍ରାଉନ୍ସୁଗର କଥା କିଏ ପଚାରେ । ପ୍ରଥମଥର ପାଇଁ ଓଡ଼ିଶାରେ ଗ୍ରାଉଣ୍ଡ କଲା ବିଦେଶୀ ନିଶା ‘ହାଇଡ୍ରୋପୋନିକ’ । ଯେଉଁ ଜହର କଥା ଓଡ଼ିଶା କେବେ ଶୁଣି ନଥିଲା, ୫ କି ୧୦ ଗ୍ରାମ୍ ନୁହେଁ ଭୁବନେଶ୍ୱର ବିମାନବନ୍ଦରରୁ ୮୦ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ହେଲା । ସମସ୍ତଙ୍କ ଆଖି ଟେରା ହୋଇଗଲା । ବର୍ଷକରେ ୨୫ ଟନ୍ର ଗଞ୍ଜେଇ ଜବତ କଲା ପୁଲିସ୍ ଓ ଅବକାରୀ ବିଭାଗ । ଏହାର କାହିଁ କେତେ ଗୁଣର ଗଞ୍ଜେଇ ଲୋକେ ଧୂଆଁ ଆକାରରେ ଉଡ଼ାଇଛନ୍ତି, ତାହାର ହିସାବ ନାହିଁ । ପୁଲିସ୍ ବି ଦୌଡ଼ିଥିଲା ନିଶା ମାଫିଆଙ୍କ ପଛରେ । ଗୁଳି କରି ମାଫିଆଙ୍କୁ ଘାଇଲା ବି କରିଥିଲା । ୨ ହଜାରରୁ ଅଧିକ ନିଶା ବେପାରୀଙ୍କୁ ଜେଲ୍ରେ ବି ପୂରାଇଛି । ସୂଚନା ପାଇଁ ରଖିଥିଲା ପୁଲିସମିତ୍ର । ସେମାନଙ୍କ ସୂଚନାରେ ପୁଲିସ୍ ନିଶା ବେପାରୀଙ୍କ ଉପରେ ଅଙ୍କୁଶ ଲଗାଉଥିଲା । ମାଫିଆମାନେ ପୁଲିସ୍ ମିତ୍ରର ମୁଣ୍ଡ ଗଡ଼ାଇ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଯାହା ଥିଲା ଚଳିତବର୍ଷର ଲୋମହର୍ଷଣକାରୀ ହତ୍ୟାକାଣ୍ଡ...
ଏସ୍ସିୟୁ ଗୁଳିରେ ନିଶା ମାଫିଆ ଘାଇଲା
ପେସାଦାର ନିଶା ମାଫିଆ ଶେଖ୍ ଜାମସେଦକୁ ଢେର ଦିନ ଧରି ଖୋଜୁଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ଏପ୍ରିଲ ମାସ ୧୦ ରାତିରେ ଜୟଦେବ ବାଟିକା ନିକଟରେ ତାକୁ ପିଛା କଲା ଏସ୍ସିୟୁ ଟିମ୍ । ଜାମସେଦ ଓ ପୁଲିସ ଭିତରେ ଗୁଳି ବିନିମୟ ହେଲା । ଶେଷରେ ପୁଲିସ ଗୁଳିରେ ଜାମସେଦ ଘାଇଲା ହେଲା । ଏନ୍କାଉଣ୍ଟର ପରେ ତା'ଠାରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର, ବନ୍ଧୁକ ଓ ଦୁଇଟି ଗୁଳି ମିଳିଥିଲା । ୧୦ ଦିନର ଚିକିତ୍ସା ପରେ ଜାମସେଦ ଏବେ ଝାରପଡ଼ା ଜେଲରେ । କମିଶନରେଟ୍ ପୁଲିସ୍ର ନିଶା ମାଫିଆଙ୍କୁ ଏନ୍କାଉଣ୍ଟରରେ ଏହା ପ୍ରଥମ ଘଟଣା ।
ଜଳ ପଥରେ ନିଶା ବେପାର
ଓଡ଼ିଶାର ଜଳ ପଥ ଏବଂ ଆନ୍ତଃରାଜ୍ୟ ସୀମା ବେଆଇନ୍ ନିଶା କାରବାରକୁ ସୁହାଉଛି । ଜଳ ପଥରେ ବ୍ରାଉନ୍ ସୁଗର ଓଡ଼ିଶାକୁ ଆସୁଥିବା ପ୍ରମାଣ ରହିଛି । ଜଳ ପଥ ଉପରେ ନଜର ରଖିବାକୁ ସରକାର ରାଜ୍ୟର ସବୁ ମେରାଇନ୍ ଥାନାକୁ ନିର୍ଦ୍ଦେଶ ଦେଇଥିଲୋ । ତା’ଛଡ଼ା ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚଳିତ ବର୍ଷ ପ୍ରମୁଖ ପ୍ରସଙ୍ଗ ଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ବେଆଇନ୍ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶା ଦ୍ରବ୍ୟ ସେବନ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସବୁ ଲାଗିଛନ୍ତି, ତଥାପି ଫେଲ୍
ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶାଦ୍ରବ୍ୟ କାରବାର ଉଭୟ ଏନ୍ସିବିଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଏବଂ ରାଜ୍ୟ ପୁଲିସ୍, ଏସ୍ଟିଏଫ୍, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପରିବହନ ବିଭାଗ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ପରସ୍ପର ସମନ୍ୱୟରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଉଥିବା ଗତ ଅଗଷ୍ଟରେ କହିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ତା’ଛଡା ଗୃହ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଅବକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗ ତରଫରୁ ସମନ୍ୱିତ ପଦକ୍ଷେପ ନିଆଯିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ବେପାର କମିବା ବଦଳରେ ବଢ଼ି ଚାଲିଥିଛି ।
୨୭ ବେପାରୀଙ୍କୁ ଦଣ୍ଡ, ୫୫ ଖଲାସ
ପେସାଦାର ନିଶା ବେପାରୀ ଦଣ୍ଡିତ କରିବା ପାଇଁ ପୁଲିସ୍, ଅବକାର ବିଭାଗ ଜୋର୍ ଲଗାଇଥିଲା । ଯେତିକି ନିଶା ବେପାରୀଙ୍କୁ ଜେଲ ଦଣ୍ଡାଦେଶ ମିଳିଲା, ତା’ଠାରୁ ଅଧିକ ନିଶା ବେପାରୀ ଖସିଗଲେ । ୧୧ ମାସରେ ରାଜ୍ୟର ବିଭିନ୍ନ ଅଦାଲତ ୨୭ ଜଣଙ୍କୁ ଦଣ୍ଡିତ କରିଥିଲା । ସେହିପରି ପ୍ରମାଣ ଅଭାବରୁ ୫୫ ଜଣ ନିଶା ବେପାରୀ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଖୋର୍ଦ୍ଧାର କୁଖ୍ୟାତ ବ୍ରାଉନ୍ସୁଗର ବେପାରୀ ବିଭୂତି ଭୂଷଣ ଜେନାକୁ କରୋନା ବେଳେ ଧରିଥିଲା ଏସ୍ଟିଏଫ୍ । ୨୦୨୫ ଫେବ୍ରୁଆରୀ ଦ୍ୱିତୀୟ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ୨୦ ବର୍ଷ ଜେଲ୍ ଦଣ୍ଡ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ ।
ଶେଷ ଠିକଣା ଜଳେଶ୍ୱର
ସମ୍ବଲପୁର ହେଉ ସ୍ମାର୍ଟ ସିଟି ଭୁବନେଶ୍ୱର । କେନ୍ଦ୍ରାପଡା ହେଉ କି କେନ୍ଦୁଝର । ବ୍ରାଉନ୍ ସୁଗର ବେପାରୀ ସବୁଠି ସେମାନଙ୍କ କାୟ ବିସ୍ଥାର କରି ସାରିଛନ୍ତି । ପୁଲିସ୍ ଓ ଅବକାରୀ ବିଭାଗ ଖୁଚୁରା ନିଶା ବେପାରୀଙ୍କଠାରୁ ଆରମ୍ଭ କରି ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରୁଛି । ରାଜ୍ୟ ସବୁ ଜିଲ୍ଲା ପୁଲିସ୍ର ତଦନ୍ତ ମୂଳ ଖିଅ ପହଞ୍ଚୁଛି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ । ପୁଲିସ୍ ଜଳେଶ୍ୱର ଯାଉଛି । ସେଠାରୁ ଖାଲି ହାତରେ ଫେରୁଛି । ବିଦେଶରୁ ପଶ୍ଚିମବଙ୍ଗ ତା’ପରେ ଜେଳଶ୍ୱରରେ ଗଦା ହେଉଛି ବ୍ରାଉନ୍ ସୁଗର । ସେଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ରାଉନ୍ସଗର ଚାଲାଣ ହେଉଛି । ରାଜ୍ୟ ସୀମାପାର ହୋଇ ତଦନ୍ତ କରିବାକୁ କେହି ସାହସ କରି ପାରୁନାହାନ୍ତି ।
ପୁଲିସ ମିତ୍ରଙ୍କ ମୁଣ୍ଡ କାଟି ଦେଲେ
ସେଦିନ ଥିଲା ଜାନୁଆରୀ ୭ । ପ୍ରବାସୀ ଭାରତୀୟ ଦିବସ ପାଇଁ ପୁଲିସ୍ ଛାଉଣି ହୋଇଯାଇଥିଲା ପୂରା ରାଜଧାନୀ । ତଥାପି ନିଶା ବେପାରୀମାନେ ସ୍ପଷ୍ଟ ଦିବାଲୋକରେ ଆତଙ୍କ ରଚିଲେ । ଏନ୍ଏଚ୍-୧୬ର ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ । ପୁଲିସ ମିତ୍ର ସାଜି ବିଭିନ୍ନ ବସ୍ତିରେ ବ୍ରାଉନ୍ସୁଗର ବେପାରକୁ ବିରୋଧ କରିବା ସହଦେବଙ୍କ ପାଇଁ କାଳ ସାଜିଲା । ଝିଅକୁ ସ୍କୁଲ୍ରେ ଛାଡ଼ି ବାଇକ୍ରେ ଘରକୁ ଫେରିବା ବେଳେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ପୁଲିସ ଏହି ମାମଲାରେ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବ୍ରାଉନସୁଗର କାରବାରକୁ ବିରୋଧ ବୋଲି ପୁଲିସ ଦର୍ଶାଇଲା । ମେ’ରେ ହତ୍ୟାର ଅଭିଯୁକ୍ତ ତଥା କେଦାରପଲ୍ଲୀ ବସ୍ତିର ଧଳାଜହର ବେପାରୀଙ୍କୁ ପୁଲିସ ତଡ଼ିପାର୍ କରିଥିଲା । ବୁଲଡୋଜର ମାଡ଼ରେ ଏକାଧିକ ନିଶା ମାଫିଆଙ୍କ ଘର ଧୂଳିସାତ ହୋଇଥିଲା ।
୩୧ କେଜି ବ୍ରାଉନ୍ ସୁଗର ଜବତ
ସବୁଥର ଭଳି ଏଥର ବର୍ଷସାରା ଧଳାଜହରବେପାର ଛାଇଗଲା । ଗତ ୧୧ ମାସ (ଜାନୁଆରୀରୁନଭେମ୍ବର) ମଧ୍ୟରେ ପୁଲିସ୍ ଓ ଅବକାରୀ ବିଭାଗରରାଜ୍ୟରୁ ୧୨ କିଲୋଗ୍ରାମ ୭୯୯ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି ।ବ୍ରାଉନ୍ସୁଗର କାରବାର ନେଇ ୩୬୨ ଜଣଙ୍କୁ ଗିରଫ କରାଯାଇଛି ।ସର୍ବାଧିକ ବ୍ରାଉନ୍ସୁଗର ଭୁବନେଶ୍ୱର ଜବତ ହୋଇଥିଲା । ଭଦ୍ରକ ଜିଲ୍ଲା ପୁଲିସ୍ ବ୍ରାଉନ୍ ସୁଗର ଜବତ କରି ରେକର୍ଡ କରିଥିଲା ।
ସ୍କୁଲ୍-କଲେଜକୁ ନିଶା ମୁକ୍ତ ନିର୍ଦ୍ଦେଶ
ସ୍କୁଲ୍, କଲେଜ୍ ପରିସର ହେଉ କି ଏହା ପାଖ ଅଞ୍ଚଳରେ ବେଆଇନ୍ ନିଶାଦ୍ରବ୍ୟ ବିକ୍ରି, ସେବନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ପୁଲିସ୍, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଟାକ୍ସ ଫୋର୍ସ ଗଠନ କରି ବ୍ୟାପକ ଚଢ଼ାଉ କରିବା ସହ ସଚେତନତା କର । ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ନିଶା ଦ୍ରବ୍ୟ ରୋକିବା ସମ୍ପର୍କରେ ଗତ ଅଗଷ୍ଟ ମାସରେ ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏମିତି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏହି ନିର୍ଦ୍ଦେଶ ପରେ ଏସ୍ଟିଏଫ୍ କେବେଳ ଭୁବନେଶ୍ୱର ବିଭିନ୍ନ ଆଡ଼େ ଚଢ଼ଉ କରିଥିଲା ।
ଫିକା ସଚେତନତା
ସ୍କୁଲ୍ -,କଲେଜ ପାଖ ଅଞ୍ଚଳରେ ବେଆଇନ୍ ନିଶାଦ୍ରବ୍ୟ ବିକ୍ରି, ସେବନ ଓ କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସ୍କୁଲ୍ ଓ କଲେଜ ଡ୍ରଗ୍ ଫ୍ରି କ୍ୟାମ୍ପସ(ନିଶାଦ୍ରବ୍ୟ ମୁକ୍ତ ପରିସର) କରିବା ପାଇଁ ସଚେତନ କରାଯିବା ସହିତ ନିରାପଦ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଜିରୋ ଟଲରାନ୍ସ ନୀତି ପ୍ରତି ସରକାର ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ପିତାମାତା ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ସହିତ ପୁଲିସ ଅଧିକାରୀମାନେ ମିଳିତ ଭାବେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍କୁଲ୍-କଲେଜ ପରିସର ଓ ସଂଲଗ୍ନ ଅଞ୍ଚଳରେ ସଚେତନତା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ ସରକାର । ବର୍ଷ ଶେଷ ହୋଇଗଲା ସତ । ହେଲେ ସବୁ ସଚେତନା ଫିକା ପଡ଼ିଥିଲା ।
ନିଷିଦ୍ଧ କଫ୍ ସିରଫ୍ ବିକ୍ରି
୩୫ଟି ମାମଲାରେ ୧୦୦ ମିଲି ବିଶିଷ୍ଟ ୨୮,୮୭୪ ବୋତଲ କଫ୍ ସିରପ୍ ଜବତ କରି ୮୩ ଜଣଙ୍କୁ ଗିରଫ କରାଯାଇଥିଲା । ସର୍ବାଧିକ ଜବତ ହୋଇଥିଲା କଟକ ଜିଲ୍ଲାରେ । ଗତ ଜୁଲାଇ ମାସ ୩୦ରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଚଢ଼ଉ କରି ୧ କୋଟି ଟଙ୍କାର କଫ୍ ସିରପ୍ ଜବତ କରାଯାଇଛି । ଯାହା ଥିଲା ଚଳିତ ବର୍ଷର ରେକର୍ଡ । ଜବତ ହୋଇଥିବା କଫ୍ ସିରପ୍କୁ ବିକ୍ରି ପାଇଁ ସରକାର ଗତ କିଛି ମାସ ତଳେ ବ୍ୟାନ୍ କରିଥିଲେ । ଏହି ଘଟଣାରେ ୫ ଜଣ ବ୍ୟବସାୟୀଙ୍କୁ ଧରି ଥିଲା ଏସ୍ଟିଏଫ୍ ।
୨୫ ହଜାର କେଜି ଗଞ୍ଜେଇ
୧୧ ମାସ(ଜାନୁଆରୀରୁ ନଭେମ୍ବର)ରେ ଗଞ୍ଜେଇ ଚୋରା ଚାଲାଣ ନେଇ ପୁଲିସ୍ ଓ ଅବକାରୀ ବିଭାଗ ୪୫୨ ଟି ମାମଲା ରୁଜୁ ପୂର୍ବକ ୧୨୬୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ୨୫ ହଜାର ୪୦୮ କେଜି ଗଞ୍ଜେଇ ଜବତ କରିଥିଲା । ସର୍ବାଧିକ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଜବତ ହୋଇଥିଲା । ଏହି ଜିଲ୍ଲାରେ ସାଢ଼େ ୩ ହଜାରରୁ ଅଧିକ ଗଞ୍ଜେଇ ମିଳିଥିଲା । ଦ୍ୱିତୀୟରେ ଥିଲା ଗଞ୍ଜାମ ଜିଲ୍ଲା । ଗଞ୍ଜାମରୁ ୨ ହଜାର ୧୭ କେଜି ମିଳିଥିଲା । ତୃତୀୟରେ ଗଜପତି ଥିଲା । ଭୁବନେଶ୍ୱର ପୁଲିସ୍ ୧୫ ଶହ ୭ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ୭ଟି ଜିଲ୍ଲାରୁ ପୁଲିସ ୧୫ ହଜାରରୁ ଅଧିକ କିଲୋର ଗଞ୍ଜେଇ ଜବତ କରିଥିଲା ।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଗଞ୍ଜେଇ ଚାଷ
ଚଳିତ ବର୍ଷ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଅବକାରୀ ବିଭାଗ ତରଫରୁ ୨୭ ଏକର ଅଫିମ ଚାଷ ନଷ୍ଟ କରାଯାଇଛି । ତା’ଛଡ଼ା ଏହି ୧୧ ମାସର ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବେଆଇନ୍ ଗଞ୍ଜେଇ ଚାଷ କରୁଥିଲେ ମାଫିଆମାନେ ସେମାନଙ୍କ ବିରୋଧରେ ପୁଲିସ୍ ଓ ଅବକାରୀ ବିଭାଗର ୭୧୨ ମାମଲା ରୁଜୁ କରି ୩୫୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଥିଲା । ୨୦୨୪-୨୫ ବର୍ଷରେ ବିଭିନ୍ନ ୧୨ଟି ଜିଲ୍ଲାରେ ମୋଟ ୯୪୧୮.୮୧ ଏକର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା ।
ବାହାର ରାଜ୍ୟରେ ଶିଳାବତୀ
ଓଡ଼ିଶା ଗଞ୍ଜେଇ ନେଇ ବିଭିନ୍ନ ରାଜ୍ୟରେ ବେପାର କରିବା ଅଭିଯୋଗରେ ଅନ୍ୟ ରାଜ୍ୟ ପୁଲିସ ଓଡ଼ିଶାର ୫୭ ଜଣଙ୍କୁ ଗିରଫ କରିଛି । ମୁମ୍ବାଇ ପୁଲିସ୍ ୧୭ ଜଣ ଓଡ଼ିଆଙ୍କୁ ଗିରଫ କରିଥିଲା ବେଳେ ବେଙ୍ଗାଲୁରୁ ପୁଲିସ ୧୧ ଜଣ ଓ ଦିଲ୍ଲୀରେ ସର୍ବାଧିକ ୧୯ ଜଣ ଓଡ଼ିଆ ଗିରଫ ହୋଇଥିଲା । ତେଲଙ୍ଗାନା ପୁଲିସ୍ ଦୁଇ ବ୍ରହ୍ମପୁରର ଦୁଇ ଜଣଙ୍କୁ ଗରଫ କରିଥିଲା । ଅଗଷ୍ଟ ୩୦ରେ ଦିଲ୍ଲୀ ନୋଏଡା ପୁଲିସ୍ ଓଡ଼ିଶାର ୩ ଜଣ ଯୁବକଙ୍କୁ ଗିରଫ କରିଥିଲା । ସେମାନଙ୍କ ଏକ ଟ୍ରକ୍ରେ ୧୦୦ କେଜି ଗଞ୍ଜେଇ ନେଇଯାଉଥିଲେ ।
ବିଦେଶୀ ନିଶା ଚାଲାଣରେ ରେକର୍ଡ଼
ସୁନା ଓ ହୀରା ସ୍ମଗଲିଂ ଭଳି ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଓଡ଼ିଶାକୁ ଆସିଥିଲା ନୂଆ କିସମର ବିଦେଶୀ ନିଶା । ବ୍ୟାଙ୍କକ୍, କ୍ୱାଲାଲମ୍ପୁରରୁ ଆସୁଥିବା ହାଇଡ୍ରୋପୋନିକ୍ କିସମର ବିଦେଶୀ ମାରିଜୁଆନା(ଗଞ୍ଜେଇ) ଏତେ ପରିମାଣର ଜବତ ହୋଇଥିଲା ଯେ, ଯାହା ଇତିହାସ ରଚିଥିଲା । ବର୍ଷକରେ ପ୍ରାୟ ୮୦ କେଜି ବିଦେଶୀ ଗଞ୍ଜେଇ ଜବତ ହୋଇଥିଲା । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ)ର ଅଧିକାରୀ ଓ କଷ୍ଟମ ଅଧିକାରୀ ଅଧ ଡଜନ ଘଟଣାରେ ୧୦ଜଣ ବିମାନ ଯାତ୍ରୀଙ୍କୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହେଁ । ସଭିଏଁ ବାହାର ରାଜ୍ୟର । ଭୁବନେଶ୍ୱର ବିମାନବନ୍ଦରର ଢିଲା ସୁରକ୍ଷାର ସୁଯୋଗ ନେଇ ଏମାନେ ବିଦେଶୀ ନିଶାକୁ ଓଡ଼ିଶା ଦେଇ ଦେଶକୁ ଚାଲାଣ କରୁଥିଲେ । ପଶ୍ଚିମବଙ୍ଗ, କେରଳ, ଉତ୍ତରପ୍ରଦେଶ, ଗୁଜୁରାଟ, ପଞ୍ଜାବକୁ ଏହି ବିଦେଶୀ ନିଶା ଚାଲାଣ ଷଡ଼ଯନ୍ତ୍ର ଭଣ୍ଡୁର ହୋଇଥିଲା ସତ । ତଥାପି ଭୁବନେଶ୍ୱର ବିମାନବନ୍ଦର ସୁରକ୍ଷାକୁ ଭେଦି କୋଟି କୋଟି ମୂଲ୍ୟର ବିଦେଶୀ ନିଶା ଅନ୍ୟ ରାଜ୍ୟକୁ ଚାଲାଣ ହୋଇଛି ।
- ଜୁଲାଇ ୨୯ରେ ବ୍ୟାଙ୍କକରୁ ଉତ୍ତରପ୍ରଦେଶର ୩ ଯୁବକ ବିମାନରେ ୬ଟି ଲଗେଜ ବ୍ୟାଗ୍ରେ ୫୦ କେଜିର ବିଦେଶୀ ଗଞ୍ଜେଇ ଆଣିଥିଲେ । ଯାହାର ଆନୁମାନିକ ବଜାର ମୂଲ୍ୟ ୩୦ କୋଟି ଟଙ୍କା ହେବ ।
- ଅକ୍ଟୋବର ୪ରେ କେରଳର ଜଣେ ଯାତ୍ରୀ ବ୍ୟାଙ୍କକ୍ରୁ ୩ କୋଟି ଟଙ୍କାର ହାଇଡ୍ରୋପୋନିକ ଗଞ୍ଜେଇ ଆଣିବା ବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀଙ୍କ ହାବୁଡ଼ରେ ପଡି଼ଥିଲା ।
- ଜାନୁଆରୀ ୬ରେ ପ୍ରଥମଥର ଓଡି଼ଶାବାସୀ ଦେଖିଥିଲେ ଏହି ହାଇବ୍ରିଡ୍ ଗଞ୍ଜେଇ । ମାଲେସିଆ କ୍ୱାଲାଲମ୍ପୁରରୁ ଆସୁଥିବା ୨ଜଣ ପଶ୍ଚିମବଙ୍ଗ ମହିଳା(ନାସିରା ଖାତୁନ୍ ଓ ଅବିଦା ଖାତୁନ୍)ଙ୍କ ବ୍ୟାଗରୁ ୯ କେଜି ୫୨୪ ଗ୍ରାମ ଓଜନର ବିଦେଶୀ ଗଞ୍ଜେଇ ମିଳିଥିଲା ।
- ଜାନୁଆରୀ ୧୪ ରାତିରେ ବ୍ୟାଙ୍କକ୍ରୁ ଆସୁଥିବା ଜଣେ କେରଳ ବାସିନ୍ଦାଙ୍କ ଯାତ୍ରୀଙ୍କ ଲଗେଜ୍ରୁ ୩.୯୯ କେଜି ଓଜନର ହାଇଡ୍ରୋପୋନିକ ଗଞ୍ଜେଇ ମିଳିଥିଲା । ସେ ୪ଟି କର୍ଣ୍ଣ ଫ୍ଲେକ୍ସ ପ୍ୟାକେଟ୍ରେ ଗଞ୍ଜେଇ ଗୁଡ଼ାଇ ରଖିଥିଲେ ।
- ଅଗଷ୍ଟ ୨ ତାରିଖରେ ଅହମ୍ମଦାବାଦର ରୋହିତ ନାମକ ଯୁବକ ବ୍ୟାଙ୍କକୁ ୮ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ତାଙ୍କ ଲଗେଜରେ ଆଣିବା ବେଳେ ଧରାପଡି଼ଥିଲେ ।
- ଅଗଷ୍ଟ ୨୩ରେ ପଞ୍ଜାବର ପ୍ରେମୀଯୁଗଳ ବ୍ୟାଙ୍କକ୍ରୁ ୪ କୋଟି ମୂଲ୍ୟର ଗଞ୍ଜେଇ ଆଣିବା ବେଳେ ଧରାପଡି଼ଥିଲେ ।