ବାଉଁଶୁଣୀ,୧୦/୭ : ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ । ଛୁରା ମାଡ଼ରେ ୩ଜଣ ଗୁରୁତର ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି ।  

ସୂଚନା ଅନୁସାରେ, ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ବାଉଁଶୁଣୀ ଛକରୁ ଗୋଛାପଦା ଆଡ଼କୁ ଏକ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ଶୌଚ ପାଇଁ ଆସୁଥିବା ଜଣେ ନାବାଳିକାକୁ ମଂଗଳା ମୁଣ୍ଡା ପୁରୁଣା କ୍ରସର୍ ନିକଟରେ ବାଇକ ଧକ୍କା ଦେଇଥିଲl l ରାସ୍ତାରେ ଯାଉଥିବା ଲୋକେ ନାବାଳିକାକୁ ଉଦ୍ଧାର କରି ବାଇକ ଚାଳକକୁ କାବୁ କରିଥିଲେ । ମଦ୍ୟପାନ କରିଥିବା ବାଇକ ଚାଳକ ନିଜ ପାଖରେ ରଖିଥିବା ଏକ ଛୁରାରେ ଲୋକଙ୍କୁ ଆକ୍ରମଣ କରିଥିଲା l ଫଳରେ ମାଉଲୀମୁଣ୍ଡା ଗ୍ରାମର ଜିତନ ଲାଲ୍ ମାଝୀ, ନିତୁ ମେହେର, ଖମ୍ବେଶ୍ବରୀ ଝୁଲି ର ତ୍ରିଲୋଚନ ଦଲାର ଗୁରୁତର ଆହତ ହୋଇଛନ୍ତି l ସେହିପରି ମଙ୍ଗଳାମୁଣ୍ଡା ଗ୍ରାମର ଭକ୍ତରାମ୍ ମେହେର, ଗୋଛା ପଡା ଗ୍ରାମର ରାଜନ୍ ସେଠୀ ଆହତ ହୋଇଥିଲେ। ଲୋକଙ୍କ ମାଡ଼ରେ ଛୁରା ମାଡ କରିଥିବା ହିରୋ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି ।

ଖବରପାଇ ବାଉଁଶୁଣୀ ପୋଲିସ୍ ପହଞ୍ଚି ବାଇକ ଓ ଛୁରା ଜବତ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି l ଗୁରୁତର ଥିବା ୩ଜଣଙ୍କୁ ସୋନପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ମିଳିଛି।