ତେହରାନ,୧୬/୦୩: ଯୁଦ୍ଧ ବେଳେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଇରାନରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଦେଶର ଉତ୍ତରପଶ୍ଚିମ ଭାଗରେ ଏହି ଗିରଫଦାରି ହୋଇଛି । ରିପୋର୍ଟ ମୁତାବକ, ଅଭିଯୁକ୍ତମାନେ ଇରାନର ସାମରିକ ଓ ରଣନୀତିକ ସମ୍ପତ୍ତି ଓ ଠିକଣା ବାବଦରେ ଇସ୍ରାଏଲକୁ ତଥ୍ୟ ଦେଉଥିଲେ । ଇରାନୀ ସେନାର ଗତିବିଧି ସଂକ୍ରାନ୍ତରେ ସୂଚନା ହାସଲ କରି ସେମାନେ ପଠାଉଥିଲେ । ଏହାଦ୍ୱାରା ଇସ୍ରାଏଲ ସେନା ସଠିକ ଆକ୍ରମଣ କରିବାକୁ ସମର୍ଥ ହେଉଥିବା କୁହାଯାଉଛି । ତେବେ ଏହା ପୂର୍ବରୁ ମଧ୍ୟ ସମାନ ଅଭିଯୋଗରେ ଇରାନ ସରକାର ଅନେକ ଲୋକଙ୍କୁ ଗିରଫ କରିଥିବା ନଜିର ରହିଛି । ଇରାନର ସୁରକ୍ଷା ଚେକ୍ପଏଣ୍ଟଗୁଡ଼ିକ ଉପରେ ଇସ୍ରାଏଲ ରବିବାର ନୂଆ ପର୍ଯ୍ୟାୟର ଆକ୍ରମଣ କରିଥିବା ବେଳେ ଏହି ଗିରଫଦାରି ହୋଇଛି ।
ଷ୍ଟୁଡେଣ୍ଟ ନ୍ୟୁଜ୍ ନେଟୱର୍କ ମୁତାବକ, ଦେଶର ପଶ୍ଚିମ ପ୍ରଦେଶ ଲୋରେସ୍ତାନରେ ୩ ଜଣଙ୍କୁ ଅଟକ ରଖାଯାଇଛି। ସେମାନେ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ସରକାରଙ୍କ ବିରୋଧରେ ମତାଉଥିବା ଅଭିଯୋଗ ରହିଛି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ଇରାନରେ ସରକାରୀ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହାପରେ ସରକାର ଆକ୍ସନକୁ ଆସି ବିକ୍ଷୋଭକାରୀଙ୍କୁ ରୋକିଥିଲେ । ଆମେରିକା ଓ ଇସ୍ରାଏଲ ମିଶି ଲୋକଙ୍କୁ ମତାଇ ଆନ୍ଦୋଳନ କରାଉଥିବା ଇରାନ ଅଭିଯୋଗ କରିଥିଲା । ଏହି ଘଟଣାରେ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ :- ଖାମେନେଇ ମହାନତା, ଗର୍ଭବତୀଙ୍କ ମୃତ୍ୟୁ ପରେ ଭାରତରେ ନିର୍ମାଣ କରାଇଥିଲେ ହସ୍ପିଟାଲ