ଲକ୍ଷ୍ନୌ, ୧୧।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଚୌଧୁରୀ ଚରଣ ସିଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ଶନିବାର ସକାଳେ ଦୁବାଇରୁ କାଠମାଣ୍ଡୁ ଯାଉଥିବା ଏକ ଆନ୍ତର୍ଜାତୀୟ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ବିମାନରେ ଇନ୍ଧନ କମ୍ ଥିବା ଜଣାପଡ଼ିବା ପରେ ପାଇଲଟ୍ ଏହି ନିଷ୍ପତ୍ତି ନେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇ ଦୁବାଇର ବିମାନ ସଂଖ୍ୟା FZ 1133 ଶନିବାର ସକାଳ ୮ଟା ୨୨ ମିନିଟ୍ ସମୟରେ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନଟି ଦୁବାଇରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ମାତ୍ର ଆକାଶ ମାର୍ଗରେ ଥିବାବେଳେ ବିମାନରେ ଇନ୍ଧନ କମ୍ ଥିବା ବୈଷୟିକ ସୂଚନା ମିଳିଥିଲା । ବିପଦକୁ ଆଖିରେ ରଖି ପାଇଲଟ୍ ତୁରନ୍ତ ଏଟିସି (ATC) ସହ ଯୋଗାଯୋଗ କରିଥିଲେ ଏବଂ ଲକ୍ଷ୍ନୌରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଏହା ବି ପଢ଼ନ୍ତୁ... ଫ୍ରାନ୍ସ ସହ ବଡ଼ ପ୍ରତିରକ୍ଷା ଡିଲ୍ :୧୧୪ ନୂଆ ରାଫେଲ୍ କିଣିବ ଭାରତ, ସ୍ୱଦେଶୀରେ ତିଆରି ହେବ ୯୬ଟି ଜେଟ୍

ସୁରକ୍ଷିତ ଅଛନ୍ତି ୧୫୪ ଯାତ୍ରୀ:

ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ, ଏହି ବିମାନରେ ମୋଟ ୧୫୪ ଜଣ ଯାତ୍ରୀ ଥିଲେ । ଜରୁରୀ ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା ବେଳେ ବିମାନଟି ବର୍ତ୍ତମାନ ବିମାନବନ୍ଦରରେ ରହିଛି । ବିମାନବନ୍ଦର ପ୍ରଶାସନ ପୁରା ସ୍ଥିତି ଉପରେ ନଜର ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ବାଗଡୋଗରାରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଧୂଆଁ ଦେଖାଯିବା ପରେ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଥିଲା । ସେହି ବିମାନରେ ୧୪୮ ଯାତ୍ରୀ ଏବଂ ୬ ଜଣ କ୍ରୁ ମେମ୍ବର ସୁରକ୍ଷିତ ରହିଥିଲେ । ସେହି ସମୟରେ ପାଇଲଟ୍ 'ପ୍ୟାନ୍-ପ୍ୟାନ୍' (PAN-PAN) କଲ୍ କରି ବିମାନକୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।

ଏୟାରଲାଇନ୍ସର ପ୍ରତିକ୍ରିୟା:

ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ଡାଇଭର୍ସନ କରାଯାଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ ଦୁଃଖ ପ୍ରକାଶ କରିଛି । ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ଜଳଖିଆ ଓ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ମିଳିଛି ।