ନୂଆଦିଲ୍ଲୀ, ୧୪/୦୩ : ଦୁବାଇରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ। ଅସୁରକ୍ଷିତ ହୋଇପଡ଼ିଛି ଦୁନିଆର ସବୁଠୁ ସୁରକ୍ଷିତ ସହର। ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ ଭୟରେ ଦୁବାଇ ଛାଡ଼ି ପଳାୟନ କରୁଛନ୍ତି ଧନୀ। ପଛରେ ରହିଯାଇଛନ୍ତି ଅସହାୟ ଶ୍ରମିକ। ହୋଟେଲ, ରେଷ୍ଟୁରାଣ୍ଟ ଠାରୁ ନେଇ ପାର୍ଟି ପୁଲ୍ ଏବଂ ବିଚ୍ କ୍ଲବ୍ ସବୁଠି ଖାଁ ଖାଁ। ସବୁଠୁ ବିଳାସପୂର୍ଣ୍ଣ ସହର ଏବେ ପାଲଟିଛି ଘୋଷ୍ଟ ଟାଉନ୍।

ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ ପାଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ବେସ୍ ଗୁଡ଼ିକୁ ଟାର୍ଗେଟ୍ କରୁଛି। ୟୁଏଇରେ ଥିବା ଆମେରିକୀୟ ବେସ୍ ଗୁଡ଼ିକ ଥିବାରୁ ଏଠାରେ ମଧ୍ୟ ଇରାନ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରୁଛି। ଗତ ଦୁଇ ସପ୍ତାହ ମଧ୍ୟରେ ଦୁବାଇ ସମେତ ୟୁଏଇରେ ପ୍ରାୟ ୧୭୦୦ ମିସାଇଲ୍ ଏବଂ ଡ୍ରୋନ୍ ଆଟାକ୍ ହୋଇଛି। ଯେଉଁଥିପାଇଁ ଏବେ ଭୟରେ ଧନୀମାନେ ଦୁବାଇ ଛାଡ଼ି ପଳାୟନ କରୁଛନ୍ତି।

ୟୁଏଇ ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୯୦ ପ୍ରତିଶତ ଆକ୍ରମଣକୁ ଅଟକାଇ ଦେଇଛି। ତଥାପି ବୁର୍ଜ ଅଲ ଅରବ ହୋଟେଲ, ଫେୟାରମାଣ୍ଟ ଦ ପାମ୍, ଦୁବାଇ ଇଣ୍ଟରନ୍ୟାସନାଲ ଫାଇନାନସିଆଲ ସେଣ୍ଟର, ଦୁବାଇ ବିମାନ ବନ୍ଦର ଏବଂ ବହୁ ସ୍କାଇସ୍କ୍ରାପର କ୍ଷତିଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଦୁଇଟି ଡ୍ରୋନ୍ ପଡ଼ିବା ଯୋଗୁଁ ୪ ଜଣ ଲୋକ ଆହତ ହୋଇଛନ୍ତି। ଉଡାଣ ପ୍ରଭାବିତ ହେବାରୁ ଧନୀ ପର୍ଯ୍ୟଟକମାନେ ଚାଟାର୍ଡ ଫ୍ଲାଇଟ୍ ଜରିଆରେ ପଳାୟନ କରୁଛନ୍ତି। ଏପରିକି ନିଜ ପୋଷା ଜନ୍ତୁଙ୍କୁ ବି ଛାଡ଼ି ଚାଲି ଯାଉଛନ୍ତି। ଯାହାଫଳରେ ପର୍ଯ୍ୟଟନ ଶିଳ୍ପକୁ ପ୍ରାୟ ୬୦୦ ମିଲିୟନ ଡଲାରର କ୍ଷତି ହେଉଛି। ଜୁମେରାହ ବିଚ୍ ରେସିଡେନ୍ସ, ରେଷ୍ଟୁରାଣ୍ଟ ଏବଂ ଦୁବାଇ ମଲ୍ ଭଳି ସ୍ଥାନରେ ଯେଉଁଠି ଅସମ୍ଭାଳ ଭିଡ଼ ଯୋଗୁଁ ପାଦ ପକାଇବାକୁ ଜାଗା ନଥିଲା ସେସବୁ ଏବେ ଖାଁ ଖାଁ ପଡ଼ିଛି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଯୁଦ୍ଧ ସ୍ଥିତି ଯୋଗୁଁ ଦୁବାଇରେ ଶ୍ରମିକ ଶ୍ରେଣୀର ଲୋକମାନେ ଅସହାୟ ହୋଇ ପଡ଼ିଛନ୍ତି। ଭାରତ, ପାକିସ୍ତାନ, ନେପାଳ ଭଳି ଦେଶର ଲକ୍ଷାଧିକ ବ୍ଲୁ-କଲର ୱାର୍କର, ଟ୍ୟାକ୍ସି ଡ୍ରାଇଭର, ହୋଟେଲ କର୍ମଚାରୀ ଏଠାରେ ଫସି ଯାଇଛନ୍ତି। କାମ ଠପ୍ ହୋଇଯିବାରୁ ଏମାନଙ୍କ ଦରମା ବନ୍ଦ ହୋଇଯାଇଛି। ବିମାନ ଭଡ଼ା ୩ ଗୁଣା ବଢିଯିବା ଯୋଗୁଁ ଏମାନେ ସ୍ଵଦେଶ ଫେରି ପାରୁ ନାହାଁନ୍ତି। ଏହି ଅସ୍ଥିରତା ମଧ୍ୟରେ ଭାରତ ସରକାର ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ମାର୍ଚ୍ଚ ୧ରୁ ୭ ତାରିଖ ମଧ୍ୟରେ ୫୨ ହଜାରରୁ ଅଧିକ ଭାରତୀୟ ନାଗରିକ ୟୁଏଇ ଏବଂ ଗଲଫ ଦେଶ ଗୁଡ଼ିକରୁ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ବିମାନ ଯାତ୍ରୀଙ୍କୁ ଶକ୍ତ ଝଟ୍କା: ମହଙ୍ଗା ହେଲା ଇଣ୍ଡିଗୋ ଟିକେଟ୍, ଲାଗିବ ନୂଆ 'ଫୁଏଲ୍ ଚାର୍ଜ'