ନୂଆଦିଲ୍ଲୀ, ୧୪।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ମହଙ୍ଗା ହେବ ଆପଣଙ୍କ ବିମାନ ଯାତ୍ରା । ଆଜି ଅର୍ଥାତ୍ ୧୪ ମାର୍ଚ୍ଚ ୨୦୨୬ରୁ ଦେଶର ଅଗ୍ରଣୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ତା’ର ଟିକେଟ୍ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ବିମାନ ଇନ୍ଧନ (ATF) ଦରରେ ଅହେତୁକ ବୃଦ୍ଧି ଯୋଗୁଁ କମ୍ପାନୀ ଏହି ଅତିରିକ୍ତ 'ଇନ୍ଧନ ଶୁଳ୍କ' ବା ଫୁଏଲ୍ ଚାର୍ଜ ଲାଗୁ କରିଛି । ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ୧୪ ମାର୍ଚ୍ଚରୁ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ମଧ୍ୟ-ପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ବିମାନ ଇନ୍ଧନ ଦରରେ ପ୍ରାୟ ୮୫% ବୃଦ୍ଧି ଘଟିଛି । ଯେଉଁ ଜେଟ୍ ଫ୍ୟୁଏଲ୍ ପୂର୍ବରୁ ବ୍ୟାରେଲ୍ ପିଛା ୮୫-୯୦ ଡଲାର ମିଳୁଥିଲା, ତାହା ଏବେ ବୃଦ୍ଧି ପାଇ ୧୫୦-୨୦୦ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ... ଏଲ୍‌ପିଜି ସଂକଟ ; ରେସ୍ତୋରାଁ ମେନ୍ୟୁରୁ ହଟିଗଲାଣି ରୁଟି, ଦୋସା, ପୁରି

ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ବିଦେଶୀ ରୁଟ୍ରେ ବିମାନ ଟିକେଟ୍ ଉପରେ ଲାଗୁ ହେଉଥିବା ସରଚାର୍ଜରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ବିଶେଷ କରି ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆକୁ ଯାଉଥିବା ଯାତ୍ରୀଙ୍କୁ ଏବେ ଅଧିକ ଶୁଳ୍କ ଦେବାକୁ ପଡ଼ିବ । ଏୟାରଲାଇନ୍ସ ଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁଯାୟୀ, ରୁଟ୍ ଅନୁସାରେ ଟିକେଟ୍ ପିଛା ସରଚାର୍ଜ ବୃଦ୍ଧି ପାଇଛି । ପଶ୍ଚିମ ଏସିଆ ରୁଟ୍ ପାଇଁ ପ୍ରତି ଟିକେଟ୍ ପିଛା ୧୦ ଆମେରିକୀୟ ଡଲାର ସରଚାର୍ଜ ଧାର୍ଯ୍ୟ କରାଯାଇଛି । ଆଫ୍ରିକା ଅଭିମୁଖେ ଯାଉଥିବା ବିମାନ ଗୁଡ଼ିକରେ ଏହି ଶୁଳ୍କରେ ସବୁଠାରୁ ବଡ଼ ବୃଦ୍ଧି ଘଟିଛି । ପୂର୍ବରୁ ଏହା ୩୦ ଡଲାର ଥିବାବେଳେ ଏବେ ଏହାକୁ ୯୦ ଆମେରିକୀୟ ଡଲାରକୁ ବୃଦ୍ଧି କରାଯାଇଛି । ଦକ୍ଷିଣ-ପୂର୍ବ ଏସିଆ ଯେପରିକି ସିଙ୍ଗାପୁର ଓ ବ୍ୟାଙ୍କକକ୍ ଭଳି ସହରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ସରଚାର୍ଜ ୨୦ ଡଲାରରୁ ବଢ଼ି ୬୦ ଆମେରିକୀୟ ଡଲାରରେ ପହଞ୍ଚିଛି ।

କାହିଁକି ବଢ଼ିଲା ଭଡ଼ା ?

ଇନ୍ଧନ ଖର୍ଚ୍ଚ: ଯେକୌଣସି ଏୟାରଲାଇନ୍ସର ମୋଟ ପରିଚାଳନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ କେବଳ ଇନ୍ଧନ ବାବଦରେ ଯାଇଥାଏ ।

ଯୁଦ୍ଧର ପ୍ରଭାବ: ବିଶ୍ୱ ବଜାରରେ କଞ୍ଚା ତୈଳ ଦର ବଢ଼ିବା ଯୋଗୁଁ କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ିଛି ।

ଅନ୍ୟ ସଂସ୍ଥାଙ୍କ ନିଷ୍ପତ୍ତି: କେବଳ ଇଣ୍ଡିଗୋ ନୁହେଁ, ଏୟାର ଇଣ୍ଡିଆ ଓ ସ୍ପାଇସ୍ଜେଟ୍ ମଧ୍ୟ ସେମାନଙ୍କ ଟିକେଟ୍ ଦରରେ ପରିବର୍ତ୍ତନ କରିଛନ୍ତି । ଏୟାର ଇଣ୍ଡିଆ ଘରୋଇ ରୁଟ୍ ପାଇଁ ପ୍ରାୟ ୩୯୯ ଟଙ୍କାର ଅତିରିକ୍ତ ଚାର୍ଜ ଲଗାଉଛି ।

ଯାତ୍ରୀଙ୍କ ଉପରେ କେଉଁ ପ୍ରଭାବ ପଡ଼ିବ ?

ଇଣ୍ଡିଗୋ ଏହି ବର୍ଦ୍ଧିତ ଶୁଳ୍କ ପାଇଁ ଯାତ୍ରୀଙ୍କ ନିକଟରେ ଦୁଃଖ ପ୍ରକାଶ କରିଛି । କମ୍ପାନୀ କହିଛି ଯେ, ବଜାର ସ୍ଥିତି ସୁଧୁରିଲେ ଏହି ଶୁଳ୍କ ହ୍ରାସ କରାଯାଇପାରେ । କିନ୍ତୁ, ବର୍ତ୍ତମାନ ପାଇଁ ହୋଲି କିମ୍ବା ଗ୍ରୀଷ୍ମକାଳୀନ ଛୁଟିରେ ବାହାରକୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପକେଟ୍ ଉପରେ ଏହା ବଡ଼ ବୋଝ ସାଜିବ ।