କେସିଙ୍ଗା,୮|୧୨(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରୁ ରୁପ୍ରା ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାର କେନ୍ଦୁପତ୍ର ଗୋଦାମ ସଂଲଗ୍ନ ପ୍ରାୟ ୩ ଶହ ମିଟର ଏବଂ ଡୁମେରମୁଣ୍ଡା ଖାସପଡା ମଧ୍ୟରେ ଯାଇଥିବା ପ୍ରାୟ ୨ ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଏହି ବିଷୟ ଉପରେ ରବିବାର 'ପ୍ରମେୟ' ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି ଏବଂ ଆଜି ତାହା କାମ ଆରମ୍ଭ ହୋଇଛି।       

   ସୂଚନାଯୋଗ୍ୟ ଯେ, ରାସ୍ତାର ଦୁଇଟି ସ୍ଥାନରେ ପ୍ରାୟ ୫ ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ   ଅଞ୍ଚଳର ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥାକୁ ଦେଖି ପୂର୍ତ୍ତ ବିଭାଗ ତରଫରୁ ଗତ ବର୍ଷା ଦିନରେ ଖାଲଖମା ହୋଇଥିବା ସ୍ଥାନକୁ ମେଟାଲ ଏବଂ କ୍ରସର ଗୁଣ୍ଡ ପକାଇ ମରାମତି କାର୍ଯ୍ୟ କରାଯାଇଥିଲା। ପିଚୁ କାମ ହୋଇନଥିବା ଯୋଗୁଁ ବର୍ତ୍ତମାନ ରାସ୍ତାଟି ଧୂଳିମୟ ହୋଇ ପଥଚାରୀ ମାନଙ୍କୁ ଅଣନିଃଶ୍ବାସୀ କରି ପକାଉଛି । ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ କେସିଙ୍ଗା ଠାରୁ ନର୍ଲା ଏବଂ ମ.ରାମପୁର ବ୍ଲକ ଅଞ୍ଚଳକୁ ଯିବା ପାଇଁ ସଂଯୋଗ ହୋଇଛି।

ପ୍ରତିଦିନ ଶହ ଶହ ସଂଖ୍ୟାରେ ବଡ଼ ବଡ଼ ତଥା ଭାରୀଯାନ ଗାଡି ଗୁଡ଼ିକ ଚଳାଚଳ କରୁଥିବା ଯୋଗୁଁ ଶୋଚନୀୟ ହୋଇ ପଡିରହିଥିବା ରାସ୍ତା ଧୂଳିମୟ ପରିବେଶ ସୃଷ୍ଟି ହେଉଛି। ରାସ୍ତା ପାର୍ଶ୍ବରେ ଘର କରି ବସବାସ କରୁଥିବା ଲୋକେ ତଥା ଦୋକାନୀ ବ୍ୟବସାୟୀ ମାନେ ଧୂଳିମୟ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏପରିକି ଧୂଳି ଗୁଣ୍ଡ ଉଡ଼ିବା ଯୋଗୁଁ ଅଞ୍ଚଳର ଲୋକେ ଡଷ୍ଟ ଏଲର୍ଜି,ଶ୍ବାସ ରୋଗର ଶିକାର ହେବାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବାରୁ ଶେଷରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଚଳର ଜନସାଧାରଣଙ୍କୁ ନେଇ ରାସ୍ତାରୋକ କରିବାକୁ ଚେତାବନୀ ଦିଆଯିବା ପ୍ରସଙ୍ଗ ଉପରେ ଗତକାଲି ଖବର ପ୍ରକାଶ ପାଇଥିଲା। ପ୍ରକାଶିତ ଖବର ଜିଲ୍ଲା ପ୍ରଶାସନ ପାଖକୁ ପହଞ୍ଚିବା ପରେ ତାହା ତତ୍ପରତା ଦେଖିବାକୁ ମିଳିଛି ଏବଂ ଆଜି ଠାରୁ କାମ ଆରମ୍ଭ ହୋଇଛି ।