ନୂଆଦିଲ୍ଲୀ,୦୧/୦୯: ଭୂକମ୍ପରେ କମ୍ପିଲା ଧରିତ୍ରୀ । ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଭାରତର ପଡୋଶୀ ଦେଶ ଆଫଗାନିସ୍ତାନ । ଶକ୍ତିଶାଳୀ ଭୂକମ୍ପରେ ନାଙ୍ଗରହାର ପ୍ରୋଭିନ୍ସର ଜଲାଲାବାଦ ଥରି ଉଠିଛି । ରିକ୍ଟର ସ୍କେଲରେ ୬.୩ ତୀବ୍ରତା ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବ ସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । କିଛି ଘର ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦିଲ୍ଲୀ-ଏନ୍‌ସିଆର ଓ ପାକିସ୍ତାନରେ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଆମେରିକା ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ୟୁଏସଜିଏସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ । ଏହାର ଗଭୀରତା ୮ କିଲୋମିଟର ରହିଛି । ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର ଅଜମଲ ଦରୱେଶଙ୍କ ଅନୁଯାୟୀ, ପୂର୍ବ ପ୍ରଦେଶ ନାଙ୍ଗରହାରରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ରୁ ଅଧିକ  ଆହତ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଛି । ପ୍ରାୟ ୨୦ ମିନିଟ୍ ପରେ, ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା  ୧୦ କିଲୋମିଟର ଥିଲା ।  ରବିବାର ସ୍ଥାନୀୟ ସମୟ ରାତି ୧୧ଟା ୪୭ ମିନିଟ୍‌ରେ ଭୂକମ୍ପ ଝଟକା ଲାଗିଥିଲା ।

ଆଫଗାନିସ୍ତାନରେ ଭୂକମ୍ପ - ୨୦୨୩ ଅକ୍ଟୋବର ୭ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରା ପ୍ରାୟ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଆଫଗାନିସ୍ତାନ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଥିଲା । ଏହି ଦେଶ ଭୂକମ୍ପ ପ୍ରବଣ ଅଞ୍ଚଳ । ପ୍ରାୟ ସମୟ ଭୂକମ୍ପ ହୋଇଥାଏ । ଗତ ଗୋଟିଏ ମାସରେ ଆଫଗାନିସ୍ତାନରେ ୫ ଥର ଭୂକମ୍ପ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୨୭ରେ ୫.୪ ତୀବ୍ରତା, ୧୭ ଅଗଷ୍ଟରେ ୪.୯ ତୀବ୍ରତା, ୧୩ ଅଗଷ୍ଟରେ ୪.୨ ତୀବ୍ରତାର  ଭୂକମ୍ପ ହୋଇଥିଲା । ଅଗଷ୍ଟ ୮ରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

କାହିଁକି ହୁଏ ଭୂକମ୍ପ ? ବୈଜ୍ଞାନିକ କାରଣ ଭାବରେ ବୁଝିବା ପାଇଁ, ଆମକୁ ପ୍ରଥମେ ପୃଥିବୀର ଗଠନ ବୁଝିବାକୁ ପଡିବ। ପୃଥିବୀ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ। ଏହା ତଳେ ତରଳ ଲାଭା ଏବଂ ଏହା ଉପରେ ଟେକ୍ଟୋନିକ୍ ପ୍ଲେଟ୍ ଅଛି । ଅନେକ ସମୟରେ ଏହି ପ୍ଲେଟ୍‌ ପରସ୍ପର ସହ ଧକ୍କା ହୋଇଥାଏ । ବାରମ୍ବାର ପରସ୍ପର ସହ ପିଟି ହେବାରୁ ପ୍ଲେଟ୍‌ ବୁଲି ଯାଏ । ଚାପ ପଡିବାରୁ ପ୍ଲେଟ୍ ଭାଙ୍ଗିଯାଏ । ଫଳରେ ତଳୁ ନିର୍ଗତ ହେଉଥିବା ଉର୍ଜା ବାହାରକୁ ଆସିବାକୁ ବାଟ ଖୋଜିଥାଏ । ଯେବେ ଏଥିରୁ  ଅସ୍ଥିରତା ସୃଷ୍ଟି ହୁଏ ସେବେ ଭୂକମ୍ପ ହୁଏ ।