ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ସନ୍ଧ୍ୟା ୭:୪୯:୪୩ରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜରରେ ଥିଲା । । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହା ପୂର୍ବରୁ ଗୁରୁବାର (୧୦ ଜୁଲାଇ) ସକାଳ ୯:୦୪ ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ ହୋଇଥିଲା । 




ଗତକାଲି ଅନୁଭୂତ ହୋଇଥିବା କୂକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ଝାଜ୍ଜରରେ ଥିଲା । ଅର୍ଜୁନ ନାମକ ଜଣେ ବ୍ୟକ୍ତି ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି, ‘ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯେଉଁମାନେ ବଡ଼ କୋଠାରେ କାମ କରୁଛନ୍ତି ସେମାନେ ସୁରକ୍ଷିତ ରହିବା ଉଚିତ। ଭୂମିକମ୍ପ ହେବା ସମୟରେ ଆମେ ମଣ୍ଡି ହାଉସରେ ଥିଲୁ । ପ୍ରାକୃତିକ ବିପର୍ଯ୍ୟୟ ସାମ୍ନାରେ ଆମେ କିଛି କରିପାରିବୁ ନାହିଁ । ତଥାପି ନିଜକୁ ରକ୍ଷା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଗତକାଲି ମଧ୍ୟ ଏକ ଭୂମିକମ୍ପ ହୋଇଥିଲା । ଆମେ ଅଫିସରେ କାମ କରୁଥିବା ସମୟରେ ୧୦ରୁ ୧୫ ସେକେଣ୍ଡ ପାଇଁ ମାଟି ଥରିଥିଲା । 

ଦିଲ୍ଲୀର ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଭୂମିକମ୍ପ ବିଷୟରେ ସେମାନଙ୍କର ଅଭିଜ୍ଞତା ସେୟାର କରିଛନ୍ତି। ଜଣେ ବ୍ୟକ୍ତି ଟ୍ୱିଟରରେ ଲେଖିଛନ୍ତି, ‘ଆଜି ପୁଣି ଥରେ ଭୂମିକମ୍ପ ଦିଲ୍ଲୀକୁ ଥରାଇ ଦେଇଛି। ଦିଲ୍ଲୀବାସୀଙ୍କର ଏକାଧିକ ସମସ୍ୟା । ଯଦି ସେମାନେ ଘରେ ରୁହନ୍ତି ତେବେ ଭୂମିକମ୍ପ ଏବଂ ଯଦି ସେମାନେ ବାହାରକୁ ଯାଆନ୍ତି ତେବେ ବନ୍ୟା।’ ଅନ୍ୟ ଜଣେ ଲେଖିଛନ୍ତି, ‘କେତେବେଳେ ଭୂମିକମ୍ପ, କେତେବେଳେ ଅନ୍ୟ କୌଣସି ବିପର୍ଯ୍ୟୟ... ମୁଁ ଭାବୁଛି ଯେ, ଦିଲ୍ଲୀବାସୀଙ୍କ ଜୀବନର ସ୍କ୍ରିପ୍ଟ ଜଣେ ବଲିଉଡ୍ ଲେଖକଙ୍କ ଦ୍ୱାରା ଲେଖାଯାଇଛି ।’