ନୂଆଦିଲ୍ଲୀ,୦୬/୦୧: ଜାପାନରେ ଭୂମିକମ୍ପ ଝଟକା । ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଲା ମାଟି । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ ହୋଇଛି । ଜାପାନ ପଶ୍ଟିମ ଚୁଗୋକୁ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ତୀବ୍ରତା ଅଧିକ ଥିଲେ ବି ସୁନାମୀ ଆଲର୍ଟ ଜାରି ହୋଇନାହିଁ । ହେଲେ ଲୋକଙ୍କ ଭିତରେ ଭୟ ଆତଙ୍କ ଖେଳି ଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଲୋକେ ଛାନିଆରେ ଘରୁ ବାହାରି ଆସିଥିଲେ । କୌଣସି ବଡ଼ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇନାହିଁ ।
ଜାପାନ ପାଣିପାଗ ସଂସ୍ଥା (JMA) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଭୂମିକମ୍ପ ଯୋଗୁଁ କୌଣସି ସୁନାମୀ ଚେତାବନୀ ଜାରି କରାଯାଇ ନାହିଁ । ସକାଳେ ଶିମାନେ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ପ୍ରାରମ୍ଭିକ ରିପୋର୍ଟରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ଏବଂ ଅଧିକାରୀମାନେ ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଭୂମିକମ୍ପର ତୀବ୍ରତା ୫.୮ ରଖିଛି । ଜେଏମଏ କହିଛି ଯେ ପୂର୍ବରୁ ୪.୫, ୫.୧, ୩.୮ ଏବଂ ୫.୪ ତୀବ୍ରତାର ଅନେକ ଛୋଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଆଶ୍ୱସ୍ତିର କଥା ଯେ, କୌଣସି ସୁନାମି ଚେତାବନୀ ଜାରି କରାଯାଇ ନଥିଲା ।
ଜାପାନ ପ୍ରଶାନ୍ତ ମହାସାଗରର "ରିଙ୍ଗ ଅଫ୍ ଫାୟାର" ସହିତ ୪ଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ । ଏ ନେଇ ଜାପାନ ବିଶ୍ୱର ସବୁଠାରୁ ଭୂମିକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଜାପାନରେ ପ୍ରତିବର୍ଷ ପ୍ରାୟ ୧, ୫୦୦ ଭୂମିକମ୍ପ ଅନୂଭବ ହୋଇଥାଏ । ଅଧିକାଂଶ ମୃଦୁ ହୋଇଥାଏ, କିନ୍ତୁ କେତେକ ସମୟରେ ଏହା ବହୁତ କ୍ଷତି କରିଥାଏ । ଭୂମିକମ୍ପର ପ୍ରଭାବ ଏହାର ତୀବ୍ରତା, ଗଭୀରତା ଏବଂ ସ୍ଥାନ ଉପରେ ନିର୍ଭର କରେ ।