ନୂଆଦିଲ୍ଲୀ,୧୯/୨: ପଶ୍ଚିମବଙ୍ଗରେ ପଲିଟିକାଲ୍ କନ୍ସଲଟାନ୍ସି ଫାର୍ମ ଆଇ-ପିଏସି ସହ ଜଡ଼ିତ ଚଢ଼ାଉ ମାମଲା ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ମମତା ସରକାର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ବିରୋଧୀଙ୍କ ଶାସିତ ରାଜ୍ୟରେ ଇଡିକୁ କେନ୍ଦ୍ର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପଶ୍ଚିମବଙ୍ଗ ସରକାର ଅଭିଯୋଗ ଆଣିଥିଲେ । ଜବାବରେ ଇଡି ପକ୍ଷରୁ ଏଜେନ୍ସି କାହାର ଅସ୍ତ୍ର ହୋଇନଥିବା ଦର୍ଶାଯାଇଥିଲା । ଓଲଟା ରାଜ୍ୟରେ ଏଜେନ୍ସିକୁ ଧମକା ଯାଇଥିବା କୁହାଯାଇଥିଲା ।
ମାମଲାଟି ଏହିପରି । ଇଡି ପକ୍ଷରୁ ଆଇ- ପିଏସି ଚଢ଼ାଉ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଅଣାଯାଇଥିବା ବାଧାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ୍ ହୋଇଥିଲା । ସେଥିରେ ଏଜେନ୍ସି ଦର୍ଶାଇଥିଲା ଯେ, ଜାନୁଆରୀ ୮ ତାରିଖରେ ଆଇ-ପିଏସିର ଅଫିସ୍ ଉପରେ ଚଢ଼ାଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ପୁଲିସ ଅଧିକାରୀମାନେ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ମମତା ନିଜେ ଟିଏମ୍ସିର ଅନ୍ୟ ନେତାଙ୍କ ସହ ଆଇ-ପିଏସି ଅଫିସ୍ ପହଞ୍ଚିଥିଲେ । ଏହାପରେ ଖୁବ୍ ହଙ୍ଗାମା ହୋଇଥିଲା । ସେ ଅଫିସ୍ରୁ ଅନେକ ଫାଇଲ୍ ନେଇ ବାହାରକୁ ବାହାରିଥିଲେ । ଇଡିର ସେହି ପିଟିସନ୍ ନେଇ ଆଜି ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ କେଭି ବିଶ୍ୱନାଥନ୍ଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା ।
ଆହୁରି ପଢନ୍ତୁ-ସୁଦୃଢ଼ ହେବ ପଶ୍ଚିମ ଓଡ଼ିଶାରେ ଟ୍ରେନ୍ ସେବା: ଆଜି ଜୁନାଗଡ଼ ରୋଡ୍ ଏବଂ ଟିଟିଲାଗଡ଼ ମଧ୍ୟରେ ସମ୍ପ୍ରସାରିତ ଭାଗର ଉଦ୍ଘାଟନ
ଏହି ସମୟରେ ରାଜ୍ୟ ସରକାରଙ୍କ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଥିଲେ, ବିରୋଧୀଙ୍କ ଶାସିତ ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦମନ କରିବାକୁ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଜେନ୍ସି ଏଥିନେଇ ଜବାବ ରଖିବା ଆବଶ୍ୟକ । ପରେ ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍(ଏଏସ୍ଜି) ଏସ୍ ଭି ରାଜୁ ଏହାର କଡ଼ା ବିରୋଧ କରିଥିଲେ । ସେ କହିଥିଲେ ଯେ, ଇଡିକୁ ଅସ୍ତ୍ର କରାଯାଉନାହିଁ । ବରଂ ଏଜେନ୍ସିକୁ ଆତଙ୍କିତ କରାଯାଉଛି । ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ସୁପ୍ରିମକୋର୍ଟ କାହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି, କାହାକୁ ଧମକାଯାଉଛି ଆମେ ତାହା ସ୍ଥିର କରିବୁ ବୋଲି କହିଥିଲେ । ଏଥିସହ ମାମଲା ଶୁଣାଣିକୁ ମାର୍ଚ୍ଚ ୧୮ ଯାଏ ସ୍ଥଗିତ ରଖିଥିଲେ । ସୂଚନଥାଉକି, ଆଇ-ପିଏସି ଅର୍ଥାତ୍ ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ କମିଟି ଏକ ରାଜନୈତିକ କନ୍ସଲଟାନ୍ସି କମ୍ପାନି । ଏହା ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ସହିତ କାମ କରିଥାଏ । ତେବେ କମ୍ପାନି ଏବଂ ତାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନ୍ଙ୍କ ବିରୋଧରେ ବହୁ କୋଟିର କୋଇଲା ଦୁର୍ନୀତି ମାମଲାରେ ମନି ଲଣ୍ଡରିଂର ଅଭିଯୋଗ ରହିଛି ।