ହାଇଦ୍ରାବାଦ, ୧୪/୦୨ : ହାଇଦ୍ରାବାଦରେ ୩୦ କୋଟିର ଅବୈଧ ସରୋଗେସୀ ରାକେଟ୍ ର ପର୍ଦ୍ଦାଫାସ୍। ସରୋଗେସୀ ଓ ଶିଶୁ ଚାଲାଣର ବଡ଼ ନେଟୱାର୍କ ଚଳାଉଥିଲେ ଡାକ୍ତରାଣୀ। ଗରିବ ମହିଳାଙ୍କ ଠାରୁ ଛୁଆ କିଣି ନିସନ୍ତାନ ଦମ୍ପତିଙ୍କୁ କରି ଦେଉଥିଲେ ବିକ୍ରି। ଅଭିଯୋଗ ପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ। 

ସୂଚନାନୁଯାୟୀ, ବେଆଇନ ସରୋଗେସୀ ଏବଂ ଶିଶୁ ଚାଲାଣ ରାକେଟ୍‌ ସହ ଜଡି଼ତ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ତେଲଙ୍ଗାନାର ଜଣେ ଡାକ୍ତରଙ୍କୁ ବାନ୍ଧିଛି। ଅଭିଯୁକ୍ତ ଆଥୁଲୁରି ନାମରଥାଙ୍କୁ ନାମପଲ୍ଲୀର ମେଟ୍ରୋପଲିଟାନ୍‌ ସେସନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ୨୬ ତାରିଖ ଯାଏ ନ୍ୟାୟିକ ହାଜତକୁ ପଠାଇଛନ୍ତି । ନାମରଥା ୟୁନିଭର୍ସାଲ ସ୍ରିଷ୍ଟି ଫର୍ଟିଲିଟି ସେଣ୍ଟର ନାମକ ଏକ ଫର୍ଟିଲିଟି କ୍ଲିନିକ୍‌ ଚଳାଉଥିଲେ । ସେଠାରେ ସେ ସରୋଗେସୀ ସେବା ଦେବାର ପ୍ରତିଶ୍ରୁତି ଆଳରେ ସନ୍ତାନହୀନ ଦମ୍ପତିଙ୍କ ନିକଟରୁ ବିପୁଳ ପରିମାଣର ଅର୍ଥ ଲୁଟୁଥିଲେ । କିଛି କ୍ଷେତ୍ରରେ ଫର୍ଟିଲିଟି ଚିକିତ୍ସା ନାମରେ ସେ ଦମ୍ପତିଙ୍କ ନିକଟରୁ ୩୦-୪୦ ଲକ୍ଷ ଟଙ୍କା ଯାଏ ନେଉଥିଲେ । ଏହାପରେ କିନ୍ତୁ ଗରିବ ମହିଳାଙ୍କ ନିକଟରୁ ଖୁବ୍‌ କମ୍‌ ଅର୍ଥ ବିନିମୟରେ କିଣାଯାଇଥିବା ପିଲାଙ୍କୁ ସରୋଗେସୀ ପିଲା କହି ସେହି ଦମ୍ପତିଙ୍କୁ ଧରାଇ ଦିଆଯାଉଥିଲା । ସେଥିଲାଗି ଜାଲ୍‌ ମେଡିକାଲ୍‌ ରେକର୍ଡ ଏବଂ ଡିଏନ୍‌ଏ ରିପୋର୍ଟ ପ୍ରସ୍ତୁତ କରାଯାଉଥିଲା । 

ରାଜସ୍ଥାନର ଏକ ଦମ୍ପତିଙ୍କୁ ଡାକ୍ତରାଣୀଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ସ୍ୱତନ୍ତ୍ର ଭାବେ ସେମାନଙ୍କ ପିଲାର ଡିଏନଏ ପରୀକ୍ଷା କରାଇଥିଲେ । ଡିଏନ୍‌ଏ ପରୀକ୍ଷାରୁ ପିଲାର ସେମାନଙ୍କ ସହ କୌଣସି ଜୈବିକ ସଂପର୍କ ନଥିବା ଜଣାପଡ଼ିଲା । ଏହାପରେ ଅନ୍ୟ କିଛି ଦମ୍ପତିଙ୍କ ଅଭିଯୋଗ ଆଧାରରେ ନାମରଥାଙ୍କ ବିରୋଧରେ ଏଫଆଇଆର୍‌ ହୋଇଥିଲା । ପରେ ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ରାକେଟରେ ସଂପୃକ୍ତି ଲାଗି ଗତବର୍ଷ ଜୁଲାଇ ମାସରେ ପ୍ରଥମେ ନାମରଥାଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ କ୍ଲିନିକର କିଛି ଲୋକଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ଏଫଆଇଆରକୁ ଭିତ୍ତି କରି ଇଡି ଦୁର୍ନୀତି ନିବାରଣ ଆଇନର ଧାରା ଅନୁସାରେ ମାମଲା କରିଥିଲା ।

ଏହି ଖବରଟିକୁ ପଢନ୍ତୁ- ଭାରତ ପାଇଁ କଳାଦିନ; ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ, ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ