ମୁମ୍ବାଇ,୦୭/୦୬: ବଲିଉଡ୍‌  ଅଭିନେତା ଡିନୋ ମାରିଆଙ୍କ ମୁମ୍ବାଇ ଏବଂ  କେରଳରେ ଥିବା ତାଙ୍କ ଘର ଓ ଅନ୍ୟାନ ୧୫  ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ଶୁକ୍ରବାର ଚଢ଼ାଉ କରିଥିଲେ। ଆଜି ଅଭିନେତା ଡିନୋ ମାରିଆଙ୍କୁ ପୁଣି ସମନ୍ ଜାରି କରିଛି। ତାଙ୍କୁ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହେବା ସହ ପଚରାଉଚରାରେ ସହଯୋଗ କରିବାକୁ କୁହାଯାଇଛି। ଆସନ୍ତା ସପ୍ତାହରେ ହାଜର ହେବାକୁ ନୋଟିସ ଜାରି କରିଛି ଇଡି। 

 ମିଠି ନଦୀ  ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ  ମାମଲାରେ ଇଡି ତାଙ୍କ ଘରେ ଛାନଭିନ୍‌  କରିିଥିଲା । ମହାରାଷ୍ଟ୍ରରେ ନଦୀ ସଫେଇ ନାଁରେ  ହୋଇଥିବା ୬୫ କୋଟି ଟଙ୍କା ଦୁର୍ନୀତି  ମାମଲାରେ ଶିବସେନା (ଉଦ୍ଧବ ଗୋଷ୍ଠୀ)  ନେତା ଆଦିତ୍ୟ ଠାକ୍‌ରେଙ୍କ ନିକଟତମ ସହଯୋଗୀ ଡିନୋ ମାରିଆଙ୍କ ନାଁ ରହିଛି ।  ଏହା ପୂର୍ବରୁ ମୁମ୍ବାଇ ପୁଲିସର ଆର୍ଥିକ ଅପରାଧ  ଶାଖା (ଇଓଡବ୍ଲ୍ୟୁ) ଡିନୋ ମାରିଆଙ୍କୁ ଦୁଇଥର ପଚରାଉଚରା କରିଥିଲା । ଇଓଡବ୍ଲ୍ୟୁ ହିଁ ଏହି  ମାମଲାରେ ପ୍ରାରମ୍ଭିକ ଏତଲା ଦାଏର  କରିଥିଲା । ପରେ ଇଡି ମନିଲଣ୍ଡରିଂ ଦିଗରୁ  ତଦନ୍ତ ଆଗକୁ ବଢ଼ାଇଛି । ଡିନୋ ମାରିଆଙ୍କ  ସମେତ ବିଏମ୍‌ସି ସହକାରୀ ଯନ୍ତ୍ରୀ ପ୍ରଶାନ୍ତ  ରାମୁଗାଡେ ଏବଂ ଅନ୍ୟ କେତେଜଣ  ଠିକାଦାରଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା । ପୂର୍ବରୁ ଇଓଡବ୍ଲ୍ୟୁ ବିଏମ୍‌ସି ଅଧିକାରୀ ଏବଂ  ଠିକାଦାରଙ୍କ ସମେତ ପ୍ରାୟ ୧୩ ଜଣଙ୍କ  ବିରୋଧରେ ମାମଲା ରୁଜୁ କରିଥିଲା । 

ରିପୋର୍ଟ ଅନୁସାରେ, ବ୍ରିହନ ମୁମ୍ବାଇ  ନଗରନିଗମ(ବିଏମ୍‌ସି) ଦ୍ୱାରା ମିଠି ନଦୀ  ସଫେଇ କରାଯାଇଥିଲା । ଏଥିପାଇଁ ସ୍ଲଜ୍‌  ପୁଶର ଏବଂ ଡ୍ରେଜିଂ ମେସିନ ବ୍ୟବହାର  ହୋଇଥିଲା । ମେସିନଗୁଡ଼ିକୁ କୋଚିର  କମ୍ପାନୀ ମେଟ୍‌ପ୍ରପ୍‌ ଟେକ୍ନିକାଲ ସର୍ଭିସେସ୍‌  ପ୍ରାଇଭେଟ ଲିମିଟେଡ୍‌ଠାରୁ ଅଧିକ ଟଙ୍କାରେ  ନିଆଯାଇଥିଲା । ୨୦୦୭ରୁ ୨୦୧୧ ମଧ୍ୟରେ  ନଦୀ ସଫେଇ କାମ ହୋଇଥିବାବେଳେ  ଟେଣ୍ଡରରେ ହେରଫେର କରାଯାଇ  ଉପକରଣ କ୍ରୟ ଲାଗି କେତେଜଣ ନିର୍ଦ୍ଦିଷ୍ଟ  ସପ୍ଲାୟରଙ୍କୁ ଫାଇଦା ପହଞ୍ଚାଯାଇଥିଲା ।  ଫଳରେ ବିଏମ୍‌ସିକୁ ବହୁ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା