ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ସ ଓ ମିନେରାଲ୍ସରେ ଭରା ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯେପରିକି ପ୍ରୋଟିନ୍‌, ଏହା ଶରୀର ପାଇଁ ଖୁବ୍‌ ଜରୁରି । ପ୍ରୋଟିନ୍‌ର ପ୍ରମୁଖ ସ୍ରୋତ ହେଉଛି ଅଣ୍ଡା । ତେଣୁ ବିଶେଷଜ୍ଞ ନିୟମିତ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡା ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତା’ ସହ ଓଜନ ନିୟନ୍ତ୍ରିତ ରହିଥାଏ । କିନ୍ତୁ କିଛି ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରି ନଥାନ୍ତି । ତେବେ ସେମାନଙ୍କୁ ଆବଶ୍ୟକ ପ୍ରୋଟିନ୍‌ ମିଳିବା ସହଜ ନୁହେଁ । ତେଣୁ ଏମାନେ ପ୍ରୋଟିନ୍‌ର ଅଭାବକୁ ଦୂର କରିବା ପାଇଁ ଡାଏଟ୍‌ରେ ନିମ୍ନ ଖାଦ୍ୟଗୁଡିକୁ ସାମିଲ୍‌ କରିପାରିବେ । 

ଟୋଫୁ ବା ସୋୟା ପନୀର:ଟୋଫୁରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାବ୍ୟତୀତ ଏଥିରେ କ୍ୟାଲସିୟମ୍‌, ଆଇରନ୍‌ ପରି ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ଦୂର ହୋଇଥାଏ । 

ଚିଆ ସିଡ୍‌ସ୍‌: ଏହାକୁ ସୁପର୍‌ ଫୁଡ୍‌ ମାନ୍ୟତା ଦିଆଯାଇଛି । ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍‌ ବ୍ୟତୀତ ଫାଇବର, କ୍ୟାଲସିୟମ୍‌ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।

 କିନୁଆ: କିନୁଆରେ ପର୍ଯ୍ୟାପ୍ତ ମାତ୍ରାର ପ୍ରୋଟିନ୍‌ ମିଳିଥାଏ । ସେହିପରି ଏଥିରେ ଆମିନୋ ଏସିଡ୍‌ ମଧ୍ୟ ମିଳିଥାଏ, ଯାହା ଶରୀରରୁ ପ୍ରୋଟିନ୍‌ର ଅଭାବକୁ ବହୁ ମାତ୍ରାରେ ଦୂର କରିଥାଏ । 

ଆଭୋକାଡୋ: ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ସ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାକୁ ଆପଣ ସାଲାଡ୍‌ ଓ ସ୍ୟାଣ୍ଡୱିଚ୍‌ରେ ଖାଇପାରିବେ । 

ଛତୁ: ଛତୁ ବହୁ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାକୁ ଭଜା ବା ତରକାରୀ କରି ଖାଇପାରିବେ ।