ରାୟଗଡ଼ା, ୪।୨: ଆସୁନି ଅନୁଦାନ । ଜିଲ୍ଲାର ୨୦୮୭ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଣ୍ଡା ଯୋଗାଣ ବନ୍ଦ ହୋଇଯାଇଛି । ଏଥିଯୋଗୁ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ଅଣ୍ଡା ପାଇବାରୁ ବଞ୍ଚିତ ହୋଇଛନ୍ତି । ଗତ ମାସେ ହେଲା ଏଭଳି ସ୍ଥିତି ଲାଗି ରହିଛି । ପ୍ରାକ୍ଶିକ୍ଷାରେ ଦୈନିକ କେନ୍ଦ୍ରକୁ ଆସୁଥିବା ଶିଶୁଙ୍କୁ ବାଦଦେଲେ ଅନ୍ୟସବୁ ଯୋଜନାରେ ଅଣ୍ଡା ବଣ୍ଟନ ବନ୍ଦ ରହିଛି । କର୍ମୀଙ୍କୁ ଦୀର୍ଘମାସ ହେଲା ମିଳିନାହିଁ ଅଣ୍ଡା ବାବଦ ଟଙ୍କା । ଉଧାରରେ ଅଣ୍ଡା ଦିଆଯିବ ନାହିଁ ବୋଲି ଅଙ୍ଗନବାଡ଼ି କର୍ମୀମାନେ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ରାୟଗଡ଼ା ଏକ ଆକାକ୍ଷା ଜିଲ୍ଲା । ଶିଶୁ ଓ ମାତୃ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏଠି ସବୁବେଳେ ଉଦ୍ବେଗ ଲାଗିରହୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକ୍‌ଶିକ୍ଷା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ପୁଷ୍ଟି ସାଧନକୁ ପ୍ରାଧାନ୍ୟତା ଦିଆଯାଉଛି । କିଶୋରୀ ବାଳିକା, ଗର୍ଭବତୀ, ପ୍ରସୂତିଙ୍କ ପୁଷ୍ଟି ସାଧାନ ଲାଗି ସ୍ୱତନ୍ତ୍ର ଯୋଜନାରେ ଅଣ୍ଡା ଦେଇ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି । ବିଡ଼ମ୍ବନାର ବିଷୟ ଗତ ଜାନୁଆରୀ ପହିଲାରୁ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଦିଆଯାଉଥିବା ସମସ୍ତ ପୁଷ୍ଟି ସାଧନ ଯୋଜନାର ପ୍ରାୟ ୩୮ ହଜାର ହିତାଧିକାରୀଙ୍କୁ ଅଣ୍ଡା ପ୍ରଦାନ ବନ୍ଦ ରହିଛି । 

୬ ହଜାର କିଶୋରୀ, ପ୍ରାୟ ୮ ହଜାର ଗର୍ଭବତୀ, ୫ ହଜାର ପ୍ରସୂତି ଏବଂ ଅପପୁଷ୍ଟି ଶିକାର ହେଉଥିବା ଶିଶୁଙ୍କୁ ଦିଅଯାଉନାହିଁ ଅଣ୍ଡା । ଅଣ୍ଡା ବନ୍ଦ ହୋଇ ୪ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ଅଦ୍ୟାବଧି ବିଭାଗ ତତ୍ପରତା ପ୍ରକାଶ କରିନଥିବା ଅଙ୍ଗନବାଡ଼ି କର୍ମୀମାନେ ଅଭିଯୋଗ କରିଛନ୍ତି । ଗ୍ରାମୀଣ ସ୍ଥିତିକୁ ଦେଖି କିଶୋରୀ ବାଳିକାଙ୍କ ନାଁରେ ଯୋଜନା ପ୍ରଣୟନ କରାଯାଇଥିଲା । ଯେଉଁ ବାଳିକାମାନେ ବିଦ୍ୟାଳୟ ବାହାରେ ରହିଛନ୍ତି ସେମାନଙ୍କୁ ଅଣ୍ଡା ଦେଇ ପୁଷ୍ଟି ହୀନତାରୁ ରୋକିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ସେହିପରି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନା(ଏମଏସପିୱାଇ)ରେ ମଧ୍ୟ ଜିଲ୍ଲାରେ ପ୍ରାୟ ୫ ହଜାର ହିତାଧିକାରୀ ରହିଛନ୍ତି । ଏହି ଯୋଜନା ମାଧ୍ୟମରେ ଗର୍ଭବତୀ, ପ୍ରସୂତିଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ କାର୍ଯ୍ୟ ସମ୍ପାଦନ କରାଯାଉଥିଲା । ଅନୁଦାନ ମିଳୁନଥିବାରୁ ଯୋଜନାରେ ଅଣ୍ଡା ଯୋଗାଣ ବନ୍ଦ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଘାଷିତ ଏହି ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି ।

ଗତ ନଭେମ୍ବରରୁ ଗରମ ରନ୍ଧା ଖାଦ୍ୟ ଟଙ୍କା ମଧ୍ୟ ମିଳିନାହିଁ । ପ୍ରତି ତିନିମାସକୁ ଥରେ ଏହି ଟଙ୍କା ଅଗ୍ରୀମ ରୂପେ ଯୋଗାଇ ଦେବା କଥା । କିନ୍ତୁ, ଏଥିରେ ମଧ୍ୟ ବିଳମ୍ବ ଦେଖାଦେଇଛି । କେବଳ ଏତିକି ନୁହେଁ ଅଣ୍ଡାର ବର୍ଦ୍ଧିତ ଦରକୁ ଦେଖି ଗତ ମାର୍ଚ୍ଚ ମାସରୁ ଅଣ୍ଡାର ମୂଲ୍ୟ ମୁଖ୍ୟମନ୍ତ୍ରୀ ୨ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିଛନ୍ତି । ପରିତାପର ବିଷୟ ବର୍ଦ୍ଧିତ ଟଙ୍କା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ ଭିତରେ ସମନ୍ୱୟ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଙ୍ଗନବାଡ଼ି ର୍କମୀମାନେ କହିଛନ୍ତି । ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୀନତି ଦେଓଙ୍କୁ ପଚାରିବାରୁ ସବୁ ଠିକଠାକ ଚାଲିଛି ଓ କେଉଁଠି ମଧ୍ୟ ଅଣ୍ଡା ପ୍ରଦାନ ବନ୍ଦ ହୋଇନାହିଁ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ... ଭୁଲ୍‌ରେ ବି କ୍ଲିକ୍ କରନ୍ତୁନି ଏହି PDF ଫାଇଲ୍; ସାଇବର ଠକଙ୍କ ଅସ୍ତ୍ର, ଛୁଇଁବା କ୍ଷଣି ମୋବାଇଲ୍ ହ୍ୟାକ୍