ବ୍ରହ୍ମପୁର, ୪।୨: ସାରା ରାଜ୍ୟରେ ବୈଧ୍ୟ ପ୍ରଦୂଷଣ ପ୍ରମାଣପତ୍ର (ପିୟୁସି) ପାଇଁ ଗାଡ଼ି ଚାଳକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଅନ୍ୟପଟେ ଗାଡ଼ି ଉପରେ ୬ ମାସ ପୂର୍ବର ଚାଲାଣ ଥିଲେ ପିୟୁସି ହେଉନାହିଁ । ଏଭଳି ସ୍ଥିତିରେ ଅଡୁଆ କରୁଛି ଆର୍ଟିଓ ଚାଲାଣ ଏପିକେ ଫାଇଲ୍ । ସାମାଜିକ ଗଣମାଧ୍ୟମ ହ୍ୱାଟ୍ସଆପ୍ରେ ଏହିପରି ଏପିକେ ଫାଇଲ୍ ସହ ଇଂରାଜୀ ଲେଖାଟିଏ ଲୋକଙ୍କୁ ହରଡ଼ଘଣାରେ ପକାଉଛି । ଲୋକଙ୍କ ଦୁର୍ବଳତାକୁ ଅସ୍ତ୍ର କରିଛନ୍ତି ସାଇବର୍ ଠକ । ଏହି ମେସେଜ୍ ଓ ଏପିକେ ଫାଇଲ୍ ଜରିଆରେ ମୋବାଇଲ୍ ହ୍ୟାକ୍ କରିବା ସହ ସମସ୍ତ ତଥ୍ୟ ସାଙ୍ଗକୁ ବ୍ୟାଙ୍କ୍ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି । ଏହିପରି ଅନେକ ଅଭିଯୋଗ ଏବେ ବ୍ରହ୍ମପୁର ସାଇବର୍ ଥାନାକୁ ଆସୁଛି । ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ କହିଛନ୍ତି ଯେ- ସଭିଏଁ ଏବେ ଅଧିକ ସତର୍କ ହେବାର ସମୟ ଆସିଛି ।
କୌଣସି ଅଜଣା ବ୍ୟକ୍ତିଙ୍କ ସହ କିଛି ବି ସେୟାର କରନ୍ତୁ ନାହିଁ । ଚାଲାଣ ନେଇ କୌଣସି ମେସେଜ୍ ଆସିଲେ ବିଚଳିତ ନହୋଇ ନିକଟସ୍ଥ ଆର୍ଟିଓ କାର୍ଯ୍ୟାଳୟ କିମ୍ବା ସହାୟତା କେନ୍ଦ୍ରକୁ ଯାଇ ଯାଞ୍ଚ କରନ୍ତୁ ବୋଲି ସେ କହିଛନ୍ତି । ହ୍ୱାଟ୍ସଆପ୍ରେ ଏବେ ଆର୍ଟିଓ ଚାଲାଣ ଏପିକେ ଫାଇଲ୍ ଘୁରି ବୁଲିଛି । ପ୍ରତିଦିନ ବିଭିନ୍ନ ଗ୍ରୁପ୍ରେ ଏହିପରି ମେସେଜ୍ ଆସୁଛି । ଏପିକେ ଫାଇଲ୍ ସହ ଏକ ମେସେଜ୍ ଆସୁଛି ଯେଉଁଥିରେ ଲେଖା ଥାଉଛି ଯେ- “ଡିୟର ଭେଇକଲ୍ ଓନର୍, ଏ ଟ୍ରାଫିକ୍ ରୁଲସ୍ ଭାଓଲେସନ ହାଜ୍ ବିନ୍ ରେକର୍ଡଡ୍ ଅନ୍ ଟୁ ଡେ’/୨୦୨୬... ଫାଇନ୍ ଆମାଉଣ୍ଟ-୫୦୦, ଭାଓଲେସନ ସିଗନାଲ ଜମ୍ପ୍ ସିସିଟିଭି କ୍ୟାପଚର୍ଡ, ଆଭୋଏଡ୍ ଲିଗାଲ୍ ଆକସନ, ପେ’ ନାଓ.... କ୍ଲିକ୍ ଆଣ୍ଡ ଓପନ ପିଡିଏଫ୍ ଫାଇଲ୍ ଆଣ୍ଡ ଚେକ୍ ୟୋର୍ ଚାଲାଣ ଡିଟେଲ୍ସ” । ଲୋକେ ଭୟରେ ଏହାକୁ ଖୋଲିବା କ୍ଷଣି ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଯାଉଛି । ଏପରିକି ହ୍ୟାକ୍ ହୋଇଥିବା ମୋବାଇଲ୍ ଫୋନରେ ଥିବା ସମସ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ ଓ ଫୋନ୍ ନମ୍ବରକୁ ଏହି ମେସେଜ ପୁଣି ଯାଉଛି । ଫଳରେ ପୁଣି ଅନ୍ୟ ଜଣେ ଏହିପରି ଠକେଇର ଶିକାର ହେଉଛନ୍ତି । ଏଥିରେ କୌଣସି ରୋକ ଲାଗିପାରୁନି ।
ଏହିପରି ଏପିକେ ଫାଇଲର ଶିକାର ହୋଇଥିବା ଗାନ୍ଧୀନଗରର ଅଭୟ ପାଢ଼ୀ କହିଛନ୍ତି ଯେ, ଗତ ୧୫ ତାରିଖ ସନ୍ଧ୍ୟାରେ ମୋର ମୋବାଇଲ୍ ଫୋନକୁ ଏହିପରି ଏକ ମେସେଜ୍ ଆସିଥିଲା । ମୁଁ ମନା କରିବା ସତ୍ତ୍ୱେ ଜଣେ ବନ୍ଧୁ ଉକ୍ତ ଏପିକେ ଫାଇଲ୍ ଛୁଇଁଥିଲେ । ଉକ୍ତ ଫାଇଲ୍ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ନମ୍ବରରୁ ଆସିଥିଲା । ଏହାର ୩ ଘଣ୍ଟା ପରେ ମୋର ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଥିବା ଜାଣିବାକୁ ପାଇଥିଲି । ମୋର ମୋବାଇଲରୁ କିଛି ତଥ୍ୟ ଯାଇଥିଲା । କିନ୍ତୁ କୌଣସି ଟଙ୍କା ଠକେଇ ହୋଇ ନଥିଲା । ଏହାପରେ ମୋ ନମ୍ବରରୁ ସମାନ ମେସେଜ୍ ଯାଇଥିଲା । ସେଥିରେ ଅନ୍ୟ ଦୁଇ ଜଣ ବନ୍ଧୁ ପୁଣି ଠକେଇର ଶିକାର ହୋଇଥିଲେ । ସାଇବର ଥାନାକୁ ଯାଇ ତୁରନ୍ତ ଜଣାଇବାକୁ ତାଙ୍କୁ ପରାମର୍ଶ ଦେଇଥିଲି । ଏହିପରି ଠକେଇ ରୋକିବା ପାଇଁ ପୁଲିସ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ... ହ୍ଵାଟ୍ସଆପରେ ୨୪ ଘଣ୍ଟିଆ ରାଜସ୍ଵ ସେବା, ମନ୍ତ୍ରୀଙ୍କୁ କରିପାରିବେ ସିଧାସଳଖ ଅଭିଯୋଗ, ଦୁର୍ନୀତି କରିଥିଲେ ଆକ୍ସନ୍...