ନବରଙ୍ଗପୁର, ୩।୧୨: ବଜାରରେ ବଢ଼ିଛି ଅଣ୍ଡାଦର । ଗୋଟା ୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ଦର ବଢ଼ିବା ପରେ ସାଧାରଣ ଖାଉଟିଙ୍କ ସହ ସ୍କୁଲର ମଧ୍ୟାହ୍ନଭୋଜନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଦୁଇ ବର୍ଷ ହେଲା ଜିଲ୍ଲାରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଥିଲେ ବି ତାହା ଯଥେଷ୍ଟ ନୁହେଁ । ଫଳରେ ଏବେବି ଅଣ୍ଡା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଏକ ଗବେଷୋଣା ସଂସ୍ଥାର ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲା ଓ ରାଜ୍ୟର ଜନସଂଖ୍ୟା ତୁଳନାରେ ଅଣ୍ଡାର ଚାହିଦା ରହିଛି । ବର୍ଷକୁ ଜଣେ ବ୍ୟକ୍ତି ପିଛା ୧୮୦ଟି ଅଣ୍ଡା ଆବଶ୍ୟକତା ରହିଛି । କିନ୍ତୁ, ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ଜଣେ ବ୍ୟକ୍ତି ପିଛା ବାର୍ଷିକ ୭୦ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି । ଓଡ଼ିଶା ଅଣ୍ଡା ଉତ୍ପାଦନ ରାଜ୍ୟ ମଧ୍ୟରେ ପଛରେ ପଡ଼ିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ଦୃଷ୍ଟି କୋଣରୁ ଜଣେ ବ୍ୟକ୍ତି ପାଇଁ ମାତ୍ର ୧୫ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି ।

ଜିଲ୍ଲା ପ୍ରାଣୀଧନ ଚିକିତ୍ସକ ଡାକ୍ତର ରାଧେଶ୍ୟାମ୍ ନାଏକ କହିଛନ୍ତି, ଜିଲ୍ଲାରେ ପ୍ରତି ମାସରେ ୪ ଲକ୍ଷ ୬୩ ହଜାର ୭୦୦ ଅଣ୍ଡା ଉତ୍ପାଦନ ହେଉଛି । ଏଥିପାଇଁ ସରକାରୀ ପ୍ରୋତ୍ସାହନରେ ୨ ବର୍ଷ ମଧ୍ୟରେ ଜିଲ୍ଲାରେ ୩ଟି ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯାଇଛି । ୩ ଜଣ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିବା ପରେ ଝରିଗାଁରେ ୨୨ ହଜାର କ୍ଷମତା ବିଶିଷ୍ଟ ଅଣ୍ଡା ଉତ୍ପାଦନ ହେଉଛି । ସେହିପରି ଚନ୍ଦାହାଣ୍ଡିରେ ୧୫ ହଜାର ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୫ ହଜାର ଅଣ୍ଡା ଉତ୍ପାଦନ ହେଉଛି । ସେହିପରି କୋଷାଗୁମୁଡ଼ା, ଉମରକୋଟ, ଚନ୍ଦାହାଣ୍ଡି ବ୍ଲକ୍ର ୩ଟି ଫାର୍ମରେ ୧ ହଜାର ଲେଖାଏଁ ଅଣ୍ଡାଦିଆ କୁକୁଡ଼ା ଫାର୍ମ ରହିଛି । ଜିଲ୍ଲାର ପ୍ରାୟ ୮ଟି ଛୋଟବଡ଼ ଫାର୍ମରେ ମାସକୁ ୪ ଲକ୍ଷ ୬୩ ହଜାର ୭୦୦ ଅଣ୍ଡା ଉତ୍ପାଦନ ହୋଇପାରୁଛି । ଆଗାମୀ ଦିନରେ ପୁଣି ୩ ପ୍ରକଳ୍ପ ସରକାରୀ ମଞ୍ଜୁରି ଅପେକ୍ଷାରେ ରହିଛି । ଜିଲ୍ଲାର ଉଦ୍ୟୋଗୀ ଆଗେଇ ଆସିଲେ ବିଭାଗ ସଂପୂର୍ଣ୍ଣ ସହଯୋଗ କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ରହିଛି ।

ଅଣ୍ଡା ଦର ବଢ଼ିବା ପରେ ସ୍କୁଲରେ ମଧ୍ୟାହ୍ନଭୋଜନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣରେ ପ୍ରଭାବିତ ହୋଇଛି । ନୂଆ ସରକାର ଆସିବା ପରେ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ପିଲା ପିଛା ୧୧ ଟଙ୍କା ୧୫ ପଇସା ଓ ଉଚ୍ଚପ୍ରାଥମିକରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପିଲା ପିଛା ୧୪ଟଙ୍କା ୭୪ ପଇସା ବୃଦ୍ଧି କରାଯାଇଛି । ଏଥିରେ ଅଣ୍ଡା, ପନିପିରିବା, ଡାଲି, ତେଲ, ଲୁଣ ଖର୍ଚ୍ଚ ହେଉଛି । ସେହିପରି ଅଙ୍ଗନବାଡି କେନ୍ଦ୍ରରେ ଜଣେ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ପିଛା ୭ ଟଙ୍କା ୭୦ ପଇସାରୁ ୯ ଟଙ୍କା ୭୦ ପଇସା ରହିଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ କହିଛନ୍ତି, ଋତୁ ଅନୁଯାୟୀ ଅଣ୍ଡାର ଦର ବଢୁଛି ଓ କମୁଛି । କିନ୍ତୁ, ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ଅର୍ନ୍ତଭୁକ୍ତ ରହିଛି । ଅଣ୍ଡାଦର ବୃଦ୍ଧି ଯୋଗୁ ମଧ୍ୟାହ୍ନ ଭୋଜନରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ ।