ନୂଆପଡା,୮।୧୨ : ନୂଆପଡା ଜିଲ୍ଲା ଲଖନା ଥାନା ଲଖନା ପୁରୁଣାବସ୍ତି ଗାଁର ଜଣେ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତ(୪୨) । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ଏବେ ସଂପୃକ୍ତ ଶ୍ରମିକ ସର୍ଦ୍ଦାରଙ୍କୁ ଗିରଫ ଦାବିରେ ଲଖନାରୁ କୁରୁମପୁରି ମୂଖ୍ୟରାସ୍ତା ପୁରୁଣାବସ୍ତି ନିକଟରେ ଅବରୋଧ କରିଛନ୍ତି।
ଗତ କିଛି ଦିନ ତଳେ ଲଖନା ପୁରୁଣାବସ୍ତି ଗାଁର ବାଞ୍ଛାନିଧି ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଝରନି ଗାଁର ଅରମାନ ଖାନଙ୍କ ଠାରୁ ୩୦ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ଗତ ଡ଼ିସେମ୍ବର ୩ରେ ଲଖନା ଗାଁର ରାଜୁ ସୁନାନୀ ବାଞ୍ଛାନିଧିଙ୍କୁ ଧରି ଝରିନୀ ଗାଁକୁ ନେଇଥିଲେ । ୪ ତାରିଖ ରାତିରୁ ବାଞ୍ଛାନିଧି କୁଆଡେ଼ ନିଖୋଜ ହୋଇଥିଲେ। ୬ ତାରିଖ ସକାଳେ ମହୁଲବାହାଲି ଗାଁ ନିକଟ ବାଞ୍ଛାନିଧିଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଆଜି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ବାଞ୍ଛାନିଧିଙ୍କୁ ଅପହର କରି ଯୋଜନା ବଦ୍ଧ ଭାବେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନରେ ମୃତଦେହକୁ ବ୍ୟବଚ୍ଛେଦ କରି ଲଖନାକୁ ଆଣିଥିଲେ। ଅପରାହ୍ନ ୨.୩୦ରେ ଲଖନାରୁ କୁରୁମପୁରି ରାସ୍ତା ପୁରୁଣାବସ୍ତି ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଏହି ଖବର ପାଇ ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜ ଓ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏବେ ଲଖନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି ।