ଭୁବନେଶ୍ୱର,୨୪/୦୫: ବିଗିଡ଼ିଯିବ ମୌସୁମୀ ପ୍ରବାହ ।  ଅନିୟମିତ ହେବ ବର୍ଷା । ସବୁଠାରୁ  ଗମ୍ଭୀର ପ୍ରଭାବ ପଡ଼ିବ ଜୁଲାଇ,  ଅଗଷ୍ଟ ମାସରେ । ଏହି ସମୟରେ  ବର୍ଷା ପରିମାଣ କମିଯାଇପାରେ ।

ଏମିତି ସ୍ଥିତି ଆସିଲେ ଚାଷ  ଉପରେ ସାଧିବ ଦାଉ । ରୁଆ,  ବେଉଷଣବେଳକୁ ମୌସୁମୀ ବର୍ଷା  ନିଅଣ୍ଟିଆ ରହିପାରେ । ମୌସୁମୀ  ଋତୁରେ ବି ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ଘଟିବ ।  

ଶୀତ ହଜିଯିବ । ଶୀତ ଋତୁ ବି ତତଲା ରହିପାରେ । ସମ୍ଭାବ୍ୟ  ସୁପର ଏଲ୍‌-ନିନୋ ସ୍ଥିତିର ଏଭଳି  ସାଂଘାତିକ ପ୍ରଭାବ ପଡ଼ିପାରେ  ଓଡ଼ିଶାରେ । ଏଭଳି ଆଶଙ୍କା କରିଛନ୍ତି  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ । ସେ  କହିଛନ୍ତି, ଏବେଠାରୁ କିଛି ସ୍ପଷ୍ଟ  କୁହାଯାଇପାରିବ ନାହିଁ । ଜୁନ୍‌ ବେଳକୁ  ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ ।

 ବିଭିନ୍ନ ତଥ୍ୟକୁ ଆଧାର କରି  ପ୍ରଫେସର ପଶୁପାଳକ ଦର୍ଶାଇଛନ୍ତି,  ସୁପର ଏଲ୍‌-ନିନୋ ପ୍ରଭାବରେ  ମୌସୁମୀ ପବନ ଦୁର୍ବଳ ହେବା ସହ  ଭାରତୀୟ ମହାସାଗରରେ ପ୍ରତିକୂଳ ବାୟୁର ଗତି ରହିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ  ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଖରା  ପ୍ରକୋପ ଦୀର୍ଘ ଦିନ ଧରି ରହିପାରେ । ଭୂତଳ ଜଳସ୍ତର  ହ୍ରାସ ଓ ପାଣି ସଙ୍କଟ ଦେଖା ଦେଇପାରେ । ଉପକୂଳ  ଓଡ଼ିଶାର ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱରରେ  ଲଘୁଚାପ ପ୍ରଭାବରେ ଆଂଶିକ ବର୍ଷା ରହିବ । ହେଲେ  ବାୟୁମଣ୍ଡଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇପାରେ ।  ବର୍ଷାଭାବରୁ ଚାଷ କାମରେ ବଡ଼ ବ୍ୟାଘାତ ଦେଖା  ଦେଇପାରେ ।  

ପ୍ରଫେସର ପଶୁପାଳକ କହିଛନ୍ତି, ଏଲ୍‌-ନିନୋ  ବର୍ଷଗୁଡ଼ିକରେ ସାରା ଭାରତରେ ଯେଉଁଭଳି ପରିସ୍ଥିତି  ହୁଏ, ଓଡ଼ିଶାରେ ସବୁବେଳେ ସେମିତି ହୁଏ ନାହିଁ ।  କେତେକ ଏଲ୍‌ନିନୋ ବର୍ଷରେ ବିଶେଷ କରି ପଶ୍ଚିମ  ଓଡ଼ିଶା ଜିଲ୍ଲାଗୁଡ଼ିକରେ ଭୟଙ୍କର ମରୁଡ଼ି ଓ ଜଳାଭାବ  ଦେଖାଦେଇଛି । ଆଉ କେତେକ ବର୍ଷରେ ମୌସୁମୀ  ଦୁର୍ବଳ ଥିଲେ ମଧ୍ୟ ଲଘୁଚାପ ଯୋଗୁ ଓଡ଼ିଶା ବଡ଼  ମରୁଡ଼ି ଦାଉରୁ ରକ୍ଷା ପାଇଯାଇଛି । ଭାରତର ଅନ୍ୟ  ଅଞ୍ଚଳ ତୁଳନାରେ ଓଡ଼ିଶାର ସ୍ଥିତି ସ୍ୱତନ୍ତ୍ର । ମଧ୍ୟ ଓ  ପଶ୍ଚିମ ଭାରତର ରାଜ୍ୟଗୁଡ଼ିକ କେବଳ ଆରବ ସାଗରରୁ ଆସୁଥିବା ମୌସୁମୀ ପବନ ଉପରେ ସମ୍ପୂର୍ଣ୍ଣ ନିର୍ଭର  କରନ୍ତି । କିନ୍ତୁ ଓଡ଼ିଶା ମୌସୁମୀ ସହ ବଙ୍ଗୋପସାଗରୀୟ  ଲଘୁଚାପ, ମୌସୁମୀ ଅକ୍ଷରେଖାର ଗତି ଏବଂ ସ୍ଥାନୀୟ କାଳବୈଶାଖୀ ବର୍ଷାରେ ଉପକୃତ ହୋଇଥାଏ । ଏହି  କାରଣରୁ ଏଲ୍‌ନିନୋ ସମୟରେ ଓଡ଼ିଶାର ସବୁ ଜିଲ୍ଲାରେ  ସମାନ ପରିସ୍ଥିତି ଦେଖାଯାଏ ନାହିଁ ।

 ତେବେ ୧୯୮୨, ୧୯୮୭, ୨୦୦୨ ଏବଂ ୨୦୦୯  ଏଲ୍‌-ନିନୋ ବର୍ଷରେ ଓଡ଼ିଶା ଭୟଙ୍କର ମରୁଡ଼ି  ଭୋଗିଥିଲା । ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଅଭାବ ସହ  ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଭାଙ୍ଗି ପଡ଼ିଥିଲା ।  ୨୦୦୨ ମସିହା ଆଧୁନିକ ଓଡ଼ିଶା ପାଇଁ ସବୁଠାରୁ  ଭୟାନକ ମରୁଡ଼ି ବର୍ଷ ଥିଲା । ଜୁଲାଇ ଏବଂ ଅଗଷ୍ଟ  ଭଳି ମୁଖ୍ୟ ବର୍ଷା ମାସରେ ସପ୍ତାହ ସପ୍ତାହ ଧରି ଆଦୌ  ବର୍ଷା ହୋଇନଥିଲା । ନଦୀ-ନାଳ, ଡ୍ୟାମ୍‌ ଶୁଖିଗଲା । ଧାନ  ରୁଆ ଏବଂ ବେଉଷଣ ସମୟରେ ବର୍ଷା ନହେବାରୁ ଚାଷୀ  ବଡ଼ କ୍ଷତି ସହିଥିଲେ । ୨୦୦୯ରେ ଶକ୍ତିଶାଳୀ ଏଲ୍‌ନିନୋ  ବର୍ଷରେ ଓଡ଼ିଶାରେ ଜଳାଶୟଗୁଡ଼ିକର ଜଳସ୍ତର ବହୁତ  କମିଯାଇଥିଲା । ପଶ୍ଚିମ ଓଡ଼ିଶାରେ ପିଇବା ପାଣି ପାଇଁ  ହାହାକାର ସ୍ଥିତି ଦେଖା ଦେଇଥିଲା । ପ୍ରବଳ ତାତି,  ମରୁଡ଼ି ଦେଖା ଦେଇଥିଲା ।  

ତେବେ ୨୦୦୪, ୨୦୧୪ ଓ ୨୦୧୫ ଭଳି ଏଲ୍‌ନିନୋ  ବର୍ଷରେ ରାଜ୍ୟରେ ଆଂଶିକ ପ୍ରଭାବ ପଡ଼ିଥିଲା । ଦୀର୍ଘ  ଦିନ ଧରି ବର୍ଷା ନହେବାରୁ କେତେକୂ ଜିଲ୍ଲାରେ ଗଜା  ମରୁଡ଼ି ସ୍ଥିତି ଉପୁଜିଥିଲା । ଏହି ବର୍ଷଗୁଡ଼ିକରେ ବିଶେଷ  କରି ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଓ ଗରମ  ଅନୁଭୂତ ହାଇଥିଲା ।  ହେଲେ ୧୯୯୭-୯୮ ସୁପର ଏଲ୍‌ନିନୋ ବର୍ଷରେ  ଲଘୁଚାପଜନିତ ବର୍ଷା ଯୋଗୁ ଓଡ଼ିଶାରେ ଭଲ ବର୍ଷା  ହୋଇଥିଲା । ଏଲ୍‌-ନିନୋ ବର୍ଷରେ ବଙ୍ଗୋପସାଗରରେ  ବାତ୍ୟା ସଂଖ୍ୟା ସାଧାରଣ ଅପେକ୍ଷା କିଛି ମାତ୍ରାରେ କମିପାରେ । କିନ୍ତୁ ବାତ୍ୟାର ଭୟ ସମ୍ପୂର୍ଣ୍ଣ ଦୂର ହୁଏନାହିଁ ।  ବଙ୍ଗୋପସାଗର ପାଣି ସବୁବେଳେ ଗରମ ରହୁଥିବାରୁ,  ଯଦି କୌଣସି ସମୟରେ ଆକାଶର ପବନ ଅନୁକୂଳ ହୋଇଯାଏ, ତେବେ ହଠାତ୍‌ ସାଧାରଣ ଲଘୁଚାପ  ମଧ୍ୟ ଭୟଙ୍କର ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ  ମୁହାଁଇପାରେ । ଏଲ୍‌-ନିନୋ ଶୀତ ଦିନକୁ ମଧ୍ୟ ପ୍ରଭାବିତ  କରେ । ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତ  କମିପାରେ । କିନ୍ତୁ ବଢ଼ିପାରେ କୁହୁଡ଼ି । ଏଲ-ନିନୋ  ପ୍ରଭାବ ୨୦୨୭ର ପ୍ରଥମ ୬ ମାସ ପର୍ଯ୍ୟନ୍ତ ରହିପାରେ ।  ତେଣୁ ଆଗାମୀ ବର୍ଷର ଜଳ ପରିଚାଳନା ଆହୁରି  ଚିନ୍ତାଜନକ ହୋଇପାରେ ।  

ଅଧିକ ପଢ଼ନ୍ତୁ :- Super el nino: ‘ସୁପର ଏଲ୍ ନିନୋ’କୁ ନେଇ ସତର୍କବାଣୀ, ମାଡ଼ି ଆସିବ ବିନାଶ, ବିଗିଡିବ ଜଳବାୟୁ, ଭାରତରେ ଦୁର୍ବଳ ପାଲଟିବ ମୌସୁମୀ

ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁ କହିଛନ୍ତି,  ଚଳିତବର୍ଷ ଏଲ୍‌ନିନୋ ପ୍ରଭାବ ଆରମ୍ଭ ହୋଇସାରିଲାଣି ।  ଏଥର ସୁପର ଏଲ୍‌ନିନୋ ପ୍ରଭାବ ପଡ଼ିବା ନିଶ୍ଚିତ ।  ଓଡ଼ିଶାରେ ଏହାର ପ୍ରଭାବରେ ମୌସୁମୀ ବର୍ଷା  ଅନିୟମିତ ରହିପାରେ । ଅନୁମାନ କରାଯାଉଛି, ଉତ୍ତର  ଓଡ଼ିଶାରେ ବର୍ଷା ସ୍ୱାଭାବିକ ରହିପାରେ । କିନ୍ତୁ, ଦକ୍ଷିଣ  ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା କମିପାରେ । କେତେକ  ଜିଲ୍ଲାରେ ମରୁଡ଼ି ପ୍ରଭାବ ଦେଖିବାକୁ ମିଳିପାରେ । ବର୍ଷା  କେଉଁଠି କମ୍‌ ସମୟରେ ଅତ୍ୟଧିକ ତ ଆଉ କେଉଁଠି  ଶୁଖିଲା ରହିପାରେ । ମଝିରେ ମଝିରେ ମୌସୁମୀ  ବର୍ଷା ହଜିଯାଇପାରେ । ଶୀତରେ ବି ଗରମ ଅନୁଭୂତ  ହୋଇପାରେ । ୨୦୨୭ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ  ରହିପାରେ ।