ଦଶମନ୍ତପୁର, ୩୧/୫: ଆବାସ ଘର ପାଇଁ ଆବେଦନ କରି କରି ବହୁ ବର୍ଷରୁ ଥକି ପଡିଛନ୍ତି। କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରି ନାହାଁନ୍ତି। ଝାଟିମାଟି କୁଡ଼ିଆ ଘରେ, ବର୍ଷ ତମାମ ଖରା ବର୍ଷା ଆଶ୍ରୟ ନେଇ ଆସୁଛନ୍ତି। ହେଲେ ଗତ କାଲି, ବିଳମ୍ବିତ ରାତ୍ରରେ ଶୋଇଥିବା ଅବସ୍ଥାରେ, ହଠାତ୍ ବର୍ଷା ପାଣିରେ ଭିଜି ଘରର ମାଟି କାନ୍ଥ ଭୁଷୁଡି ପଡିଲା। ଏଥିରୁ ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ ଦମ୍ପତ୍ତି।
ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦମ୍ପତି ଦ୍ୱୟ ହେଉଛନ୍ତି ମଶୁ ଦରା ଏବଂ ତାଙ୍କ ସ୍ତ୍ରୀ ରାଧିକା ଦରା। ଗତକାଲି ବିଳମ୍ବିତ ରାତ୍ରୀରେ ବର୍ଷା ପାଣିରେ ଭିଜି ହଠାତ୍ ଘର ଭୁଶୁଡ଼ି ପଡ଼ିଥିବା କୁହାଯାଇଛି। ବୃଦ୍ଧ ଦମ୍ପତିଙ୍କ ପାଖରେ କେହି ନାହାଁନ୍ତି। ପରିବାର କହିଲେ ଏକ ମାତ୍ର ଝିଅ। ସେ ବଡ଼ ହେଲା ପରେ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି। ବର୍ତ୍ତମାନ ବୃଦ୍ଧ ଦମ୍ପତି ପରଷ୍ପର ଉପରେ ନିର୍ଭର କରି କଚା ମାଟି ଘରେ କଷ୍ଟେ ମଷ୍ଟେ ରହୁଛନ୍ତି। ଅନ୍ୟପଟେ ଜୀବିକା କହିଲେ ମାସିକ ମିଳୁଥିବା ଭତ୍ତା ଟଙ୍କା ଓ ୧୦ କେଜି ଚାଉଳ ଉପରେ ଭରସା କରି ଚଳୁଛନ୍ତି। ଜମିବାଡ଼ି ବୋଲି କିଛି ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଘର ସଜାଡ଼ିବାକୁ ସକ୍ଷମ ନାହିଁ ବୋଲି କହିଛନ୍ତି। ବର୍ତମାନ ଘର କାନ୍ଥ ଭୁଷୁଡି ଯିବା ପରେ ଅସହାୟ ହୋଇ, ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି।
ସେମାନେ ନିବେଦନ କରିବା ଅନୁସାରେ, ସରକାର ଆମ ପ୍ରତି ଦୃଷ୍ଟି ଦେଇ ଖଣ୍ଡେ ଆବାସ ଘର ଯୋଗାଇ ଦେଲେ କିଛି ଦିନ ସଂସାରରେ ଶାନ୍ତିରେ କଟେଇ ପାରିବୁ। ନ ହେଲେ ଆମକୁ କ'ଣ ସ୍ବର୍ଗରେ ଆବାସ ଘର ପ୍ରଶାସନ ଦେବ କି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଅନେକ ଥର ଆବାସ ଘର ପାଇଁ ପଲି ସଭା ଓ ଗ୍ରାମ ସଭାରେ ଆବେଦନ କରି ଆସୁଛନ୍ତି। କିନ୍ତୁ ତାଙ୍କ ଭାଗ୍ୟରେ ଆବାସ ଘର ସ୍ୱପ୍ନ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଆନନ୍ଦ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ ନ ଲାଗିବା ଦ୍ବାରା ପ୍ରତିକ୍ରିୟା ମିଳିପାରିନାହିଁ। ତଥାପି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି, ଏହି ବୃଦ୍ଧ ଦମ୍ପତିକୁ ଆବାସ ଘର ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।