ଫିରିଙ୍ଗିଆ,୨୯/୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅଧୀନରେ ଥିବା କ୍ରାଣ୍ଡିବାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଗାଁ ପାଖରେ ଥିବା ବାଘ ନଦୀକୁ ଗାଧୋଇବାକୁ ଯାଇ ନଦୀ ପାଣିରେ ବୁଡ଼ିବା ଫଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି I ମୃତକ କ୍ରାଣ୍ଡିବାଲି ଗାଁର କୃଷ୍ଣ ବେହେରା(୫୫) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ରବିବାର ସବୁ ଦିନ ପରି ବୃଦ୍ଧ ଜଣଙ୍କ ଗାଁ ପାଖରେ ଥିବା ବାଘ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ଯୋଗୁ ନଦୀ ପାଣିରେ ବୁଡ଼ି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ବୃଦ୍ଧ ଜଣଙ୍କ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ସମୟରେ ବୃଦ୍ଧ ଜଣଙ୍କ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ I ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିବାରୁ ତାଙ୍କ ପୁଅ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ତାଙ୍କୁ ନିଜ ବାଇକରେ ଗୋଛାପଡା ମେଡ଼ିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ପରେ ଗୋଛାପଡ଼ା ପୋଲିସ ମେଡ଼ିକାଲରେ ପହଂଚି ଶବ ଜବତ କରିବା ସହ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି I ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସଂଜିତ ବେହେରା ।