ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ବାରଙ୍ଗ ଗୋଡ଼ିସାହି ବାରସିଙ୍ଗାରେ ଅମାନୁଷିକ କାଣ୍ଡ: ପୁଅ-ବୋହୂଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଲା ବୃଦ୍ଧ

Published By : Prameya | December 1, 2024 8:40 AM

କଟକ/ବାରଙ୍ଗ/ନରାଜ,୦୧/୧୧: ସତୁରୀ ବର୍ଷର ଜଣେ ବୃଦ୍ଧ, ନିଜ ପୁଅ-ବୋହୂଙ୍କ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଛି । କାଳେ ଦୁହେଁ ନିଆଁରୁ ବର୍ତ୍ତିଯିବେ, ସେଥିପାଇଁ ଘର କବାଟକୁ ବାହାରପଟୁ  ବନ୍ଦ ବି କରିଦେଇଛି । ପତି-ପତ୍ନୀ  ଦୁହିଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ  ଆସି ଗୁରୁତର ଅବସ୍ଥାରେ ସେମାନଙ୍କୁ  ଉଦ୍ଧାର କରି ଏସ୍‌ସିବି ମେଡିକାଲ୍‌  ପଠାଇଛନ୍ତି । ଅଭିଯୁକ୍ତ ବାପାକୁ ପୁଲିସ  ଘର ଛାତ ଉପରୁ ଧରି ଅଟକ ରଖିଛି ।  ଏଭଳି ଏକ ଅମାନୁଷିକ, ହୃଦୟଥରା  ଅପରାଧ ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା  ଗୋଡ଼ିସାହି ଅନ୍ତର୍ଗତ ବାରସିଂଗା ଗ୍ରାମରେ ।  

ଏହି ଗ୍ରାମର ଗୋବର୍ଦ୍ଧନ  ରାଉତ(୭୦)ଙ୍କ ପତ୍ନୀଙ୍କର ଦେହାନ୍ତ  ହୋଇଯାଇଛି । ଗୋବର୍ଦ୍ଧନ ନିକଟସ୍ଥ  ବଜାରରେ ଏକ ଛୋଟ ଦୋକାନ  କରିଛନ୍ତି । ଘରେ ତାଙ୍କ ବୁଢ଼ୀ ମା’, ପୁଅ  ଦୀନବନ୍ଧୁ ରାଉତ(୪୪), ବୋହୂ ପୂଜା  ଓରଫ ସସ୍ମିତା ରାଉତ(୨୭) ଓ ୫  ବର୍ଷର ନାତି ରହନ୍ତି । ତେବେ ଗତ କିଛି  ଦିନ ହେବ ପୁଅ ଦୀନବନ୍ଧୁ ଓ ବୋହୂ  ପୂଜାଙ୍କ ସହିତ ଗୋବର୍ଦ୍ଧନଙ୍କର ମନାନ୍ତର  ଓ ବିବାଦ ଚାଲିଥିଲା । ଗ୍ରାମବାସୀଙ୍କ କହିବାନୁସାରେ ଗୋବର୍ଦ୍ଧନ ଅନେକ  ସମୟରେ ମଦ, ଗଞ୍ଜେଇ ସେବନ  କରନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ  ଗୋବର୍ଦ୍ଧନ ଦ୍ୱିତୀୟ ବିବାହ କରିବାକୁ  ଚାହୁଁଥିଲେ । ହେଲେ ଏହାକୁ ପୁଅ- ବୋହୂ ଓ ବାହା ହୋଇଯାଇଥିବା ଝିଅ  ବିରୋଧ କରିଥିଲେ । ଯାହାକୁ ନେଇ  ଘରେ ବିବାଦୀୟ ପରିସ୍ଥିତି, ଉଚ୍ଚବାଚ, କଳିଗୋଳ ଲାଗି ରହିଥିଲା ।  

ଶନିବାର ରାତି ପ୍ରାୟ ସାଢ଼େ ୯ଟା  ହେବ । ପୁଅ ଦୀନବନ୍ଧୁ ଓ ବୋହୂ ପୂଜା  ଘରେ ବସି ଖାଉଥିଲେ । ଅନ୍ୟ ଏକ ଘରେ ଗୋବର୍ଦ୍ଧନର ମା’ ତାର ଅଣନାତି ଅର୍ଥାତ  ଦୀନବନ୍ଧୁଙ୍କ ୫ ବର୍ଷର ପୁଅକୁ ନେଇ ଶୋଇଥିଲେ । ହଠାତ୍‌  ଗୋବର୍ଦ୍ଧନ ଏକ ଜରିରେ କିଛି ପେଟ୍ରୋଲ୍‌ ଭର୍ତ୍ତି କରି ଆଣି  ଦୀନବନ୍ଧୁ ଓ ପୂଜାଙ୍କ ଉପରକୁ ପକାଇ ହାତରେ ଧରିଥିବା  ନିଆଁ ହୁଳାରେ ନିଆଁ ଲଗାଇ ତୁରନ୍ତ କବାଟ ବନ୍ଦ କରି  ଦେଇଥିଲା । ଦୁହେଁ ଭିତରେ ଜଳିବାକୁ ଲାଗିବାରୁ ପୁଣି  ହାତରେ ଧରିଥିବା କିଛି ପେଟ୍ରୋଲ୍‌କୁ ଦୁହିଙ୍କ ଉପରକୁ  ଝରକା ବାଟେ ଛାଟିଦେଇଥିଲା । ଘରେ ପତି-ପତ୍ନୀ ଦୁହେଁ  ହୁତୁହୁତୁ ହୋଇ ଜଳୁଥିବା ବେଳେ ଗୋବର୍ଦ୍ଧନ ସେଠାରୁ  ପଳାଇ ଯାଇଥିଲା । ଏହା ଭିତରେ ଦୀନବନ୍ଧୁ ଓ ପୂଜାଙ୍କ  ଚିତ୍କାର ଶୁଣି ପଡ଼ୋଶୀମାନେ ଆସି କବାଟ ଖୋଲି ଦୁହିଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଏସ୍‌ସିବି ସ୍ଥାନାନ୍ତର କରିଥିଲେ । 

ଅନ୍ୟପଟେ ସୂଚନା ପାଇ  ବାରଙ୍ଗ ପୁଲିସ ଓ ବାରଙ୍ଗ ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ  ପ୍ରଧାନ ପହଞ୍ଚି ଘରେ ଖୋଜାଖୋଜି କରିଥିଲେ । ଛାତ ଉପରେ ଖୋଜିବା ପରେ ସେଠାରୁ ଗୋବର୍ଦ୍ଧନକୁ ଠାବ  କରାଯାଇଥିଲା । ତାକୁ ବାରଙ୍ଗ ଥାନାକୁ ନେଇ ଅଟକ ରଖି  ପୁଲିସ ପଚରାଉଚରା କରିଥିଲା । ନିଆଁ ଲଗାଇବା ବେଳେ  ଗୋବର୍ଦ୍ଧନ ସାମାନ୍ୟ ଆହତ ହୋଇଥିବାରୁ ତାକୁ ମଧ୍ୟ ଏସ୍‌ସିବି  ପଠାଯାଇଛି । ଦୀନବନ୍ଧୁ ଓ ପୂଜାଙ୍କ ଅବସ୍ଥା ଗୁରୁତର ଥିବା  ଏସ୍‌ସିବି ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ପଛର  ପ୍ରକୃତ କାରଣ ଜଣା ପଡ଼ିନଥିଲେ ବି ପୂର୍ବ ବିବାଦ ପାଇଁ ଯୋଜନାବଦ୍ଧ ଭାବେ ଗୋବର୍ଦ୍ଧନ ଏହି ଅମାନୁଷିକ କାଣ୍ଡ  ଭିଆଇଥିବା ପୁଲିସ ଓ ଗ୍ରାମବାସୀ ଆଶଙ୍କା କରୁଛନ୍ତି । ଘଟଣାଟି  ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖାଲି ସେତିକି ନୁହେଁ,  ଗୋବର୍ଦ୍ଧନର ଏପରି ଅମାନବୀୟ କାଣ୍ଡକୁ ନେଇ ବାରସିଙ୍ଗା  ଗ୍ରାମରେ ଲୋକଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.