କଟକ/ବାରଙ୍ଗ/ନରାଜ,୦୧/୧୧: ସତୁରୀ ବର୍ଷର ଜଣେ ବୃଦ୍ଧ, ନିଜ ପୁଅ-ବୋହୂଙ୍କ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଛି । କାଳେ ଦୁହେଁ ନିଆଁରୁ ବର୍ତ୍ତିଯିବେ, ସେଥିପାଇଁ ଘର କବାଟକୁ ବାହାରପଟୁ  ବନ୍ଦ ବି କରିଦେଇଛି । ପତି-ପତ୍ନୀ  ଦୁହିଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ  ଆସି ଗୁରୁତର ଅବସ୍ଥାରେ ସେମାନଙ୍କୁ  ଉଦ୍ଧାର କରି ଏସ୍‌ସିବି ମେଡିକାଲ୍‌  ପଠାଇଛନ୍ତି । ଅଭିଯୁକ୍ତ ବାପାକୁ ପୁଲିସ  ଘର ଛାତ ଉପରୁ ଧରି ଅଟକ ରଖିଛି ।  ଏଭଳି ଏକ ଅମାନୁଷିକ, ହୃଦୟଥରା  ଅପରାଧ ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା  ଗୋଡ଼ିସାହି ଅନ୍ତର୍ଗତ ବାରସିଂଗା ଗ୍ରାମରେ ।  

ଏହି ଗ୍ରାମର ଗୋବର୍ଦ୍ଧନ  ରାଉତ(୭୦)ଙ୍କ ପତ୍ନୀଙ୍କର ଦେହାନ୍ତ  ହୋଇଯାଇଛି । ଗୋବର୍ଦ୍ଧନ ନିକଟସ୍ଥ  ବଜାରରେ ଏକ ଛୋଟ ଦୋକାନ  କରିଛନ୍ତି । ଘରେ ତାଙ୍କ ବୁଢ଼ୀ ମା’, ପୁଅ  ଦୀନବନ୍ଧୁ ରାଉତ(୪୪), ବୋହୂ ପୂଜା  ଓରଫ ସସ୍ମିତା ରାଉତ(୨୭) ଓ ୫  ବର୍ଷର ନାତି ରହନ୍ତି । ତେବେ ଗତ କିଛି  ଦିନ ହେବ ପୁଅ ଦୀନବନ୍ଧୁ ଓ ବୋହୂ  ପୂଜାଙ୍କ ସହିତ ଗୋବର୍ଦ୍ଧନଙ୍କର ମନାନ୍ତର  ଓ ବିବାଦ ଚାଲିଥିଲା । ଗ୍ରାମବାସୀଙ୍କ କହିବାନୁସାରେ ଗୋବର୍ଦ୍ଧନ ଅନେକ  ସମୟରେ ମଦ, ଗଞ୍ଜେଇ ସେବନ  କରନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ  ଗୋବର୍ଦ୍ଧନ ଦ୍ୱିତୀୟ ବିବାହ କରିବାକୁ  ଚାହୁଁଥିଲେ । ହେଲେ ଏହାକୁ ପୁଅ- ବୋହୂ ଓ ବାହା ହୋଇଯାଇଥିବା ଝିଅ  ବିରୋଧ କରିଥିଲେ । ଯାହାକୁ ନେଇ  ଘରେ ବିବାଦୀୟ ପରିସ୍ଥିତି, ଉଚ୍ଚବାଚ, କଳିଗୋଳ ଲାଗି ରହିଥିଲା ।  

ଶନିବାର ରାତି ପ୍ରାୟ ସାଢ଼େ ୯ଟା  ହେବ । ପୁଅ ଦୀନବନ୍ଧୁ ଓ ବୋହୂ ପୂଜା  ଘରେ ବସି ଖାଉଥିଲେ । ଅନ୍ୟ ଏକ ଘରେ ଗୋବର୍ଦ୍ଧନର ମା’ ତାର ଅଣନାତି ଅର୍ଥାତ  ଦୀନବନ୍ଧୁଙ୍କ ୫ ବର୍ଷର ପୁଅକୁ ନେଇ ଶୋଇଥିଲେ । ହଠାତ୍‌  ଗୋବର୍ଦ୍ଧନ ଏକ ଜରିରେ କିଛି ପେଟ୍ରୋଲ୍‌ ଭର୍ତ୍ତି କରି ଆଣି  ଦୀନବନ୍ଧୁ ଓ ପୂଜାଙ୍କ ଉପରକୁ ପକାଇ ହାତରେ ଧରିଥିବା  ନିଆଁ ହୁଳାରେ ନିଆଁ ଲଗାଇ ତୁରନ୍ତ କବାଟ ବନ୍ଦ କରି  ଦେଇଥିଲା । ଦୁହେଁ ଭିତରେ ଜଳିବାକୁ ଲାଗିବାରୁ ପୁଣି  ହାତରେ ଧରିଥିବା କିଛି ପେଟ୍ରୋଲ୍‌କୁ ଦୁହିଙ୍କ ଉପରକୁ  ଝରକା ବାଟେ ଛାଟିଦେଇଥିଲା । ଘରେ ପତି-ପତ୍ନୀ ଦୁହେଁ  ହୁତୁହୁତୁ ହୋଇ ଜଳୁଥିବା ବେଳେ ଗୋବର୍ଦ୍ଧନ ସେଠାରୁ  ପଳାଇ ଯାଇଥିଲା । ଏହା ଭିତରେ ଦୀନବନ୍ଧୁ ଓ ପୂଜାଙ୍କ  ଚିତ୍କାର ଶୁଣି ପଡ଼ୋଶୀମାନେ ଆସି କବାଟ ଖୋଲି ଦୁହିଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଏସ୍‌ସିବି ସ୍ଥାନାନ୍ତର କରିଥିଲେ । 

ଅନ୍ୟପଟେ ସୂଚନା ପାଇ  ବାରଙ୍ଗ ପୁଲିସ ଓ ବାରଙ୍ଗ ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ  ପ୍ରଧାନ ପହଞ୍ଚି ଘରେ ଖୋଜାଖୋଜି କରିଥିଲେ । ଛାତ ଉପରେ ଖୋଜିବା ପରେ ସେଠାରୁ ଗୋବର୍ଦ୍ଧନକୁ ଠାବ  କରାଯାଇଥିଲା । ତାକୁ ବାରଙ୍ଗ ଥାନାକୁ ନେଇ ଅଟକ ରଖି  ପୁଲିସ ପଚରାଉଚରା କରିଥିଲା । ନିଆଁ ଲଗାଇବା ବେଳେ  ଗୋବର୍ଦ୍ଧନ ସାମାନ୍ୟ ଆହତ ହୋଇଥିବାରୁ ତାକୁ ମଧ୍ୟ ଏସ୍‌ସିବି  ପଠାଯାଇଛି । ଦୀନବନ୍ଧୁ ଓ ପୂଜାଙ୍କ ଅବସ୍ଥା ଗୁରୁତର ଥିବା  ଏସ୍‌ସିବି ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ପଛର  ପ୍ରକୃତ କାରଣ ଜଣା ପଡ଼ିନଥିଲେ ବି ପୂର୍ବ ବିବାଦ ପାଇଁ ଯୋଜନାବଦ୍ଧ ଭାବେ ଗୋବର୍ଦ୍ଧନ ଏହି ଅମାନୁଷିକ କାଣ୍ଡ  ଭିଆଇଥିବା ପୁଲିସ ଓ ଗ୍ରାମବାସୀ ଆଶଙ୍କା କରୁଛନ୍ତି । ଘଟଣାଟି  ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖାଲି ସେତିକି ନୁହେଁ,  ଗୋବର୍ଦ୍ଧନର ଏପରି ଅମାନବୀୟ କାଣ୍ଡକୁ ନେଇ ବାରସିଙ୍ଗା  ଗ୍ରାମରେ ଲୋକଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିିଛି।