ନୂଆଦିଲ୍ଲୀ : ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲକ୍ଷାଦ୍ୱୀପରେ ସ୍ପେଶାଲ ଇଣ୍ଟେସିଭ୍ ରିବିଜନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି । ଏମାନଙ୍କ ସଂଖ୍ୟା ୫୮ ଲକ୍ଷ ରହିଛି । ନୂତନ ଡ୍ରାଫ୍ଟ ତାଲିକାରେ ଯେଉଁ ଭୋଟରଙ୍କ ନାମ ସାମିଲ ନାହିଁ ସେମାନେ ମୃତ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି ବୋଲି କୁହାଯାଇଚଛି।

ଯେଉଁ ମାନଙ୍କ ନାମ ନାହିଁ, ସେମାନଙ୍କୁ ସୁଯୋଗ ଦିଆଯିବ…

ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୪ ରୁ ଡିସେମ୍ବର ୧୧ ମଧ୍ୟରେ କରାଯାଇଥିବା SIR ପରେ ପଶ୍ଚିମବଙ୍ଗରେ ଡ୍ରାଫ୍ଟ ଭୋଟର ତାଲିକାରୁ ୫୮ ଲକ୍ଷ ୨୦ ହଜାର ୮୯୮ ନାମ ବାଦ ଦିଆଯାଇଛି, ଯାହା ରାଜ୍ୟର ଭୋଟର ସଂଖ୍ୟା୭ କୋଟି ୬୬ ଲକ୍ଷ ୩୭ ହଜାର ୫୨୯ ରୁ ହ୍ରାସ ପାଇ ୭ କୋଟି ୮ ଲକ୍ଷ ୧୬ ହଜାର ୬୩୦ରେ ରହିଛି ।

ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ଏବଂ ପୂର୍ବତନ ବ୍ୟୁରୋକ୍ରାଟ ସୁବ୍ରତ ଗୁପ୍ତା ଜନସାଧାରଣଙ୍କ ଆଶଙ୍କାକୁ ଦୂର କରି କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାରୁ ଯେଉଁ ଭୋଟରଙ୍କ ନାମ ବାଦ ଦିଆଯାଇଛି ସେମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ସେ ଆହୁରି କହିଥିଲେ କି, ପ୍ରାୟ ୩୦ ଲକ୍ଷ ଭୋଟର ଯାହାଙ୍କ ବିବରଣୀ ୨୦୦୨ ଭୋଟର ତାଲିକା ସହିତ ମେଳ ଖାଉନାହିଁ, ସେମାନଙ୍କୁ ଶୁଣାଣି ପାଇଁ ଡକାଯିବ, ଯେଉଁଠାରେ ସେମାନଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଡକ୍ୟୁମେଣ୍ଟ ଦାଖଲ କରିବା ଏବଂ ସେମାନଙ୍କର ଯୋଗ୍ୟତା ପ୍ରମାଣ କରିବାର ସୁଯୋଗ ମିଳିବ।

ରାଜସ୍ଥାନରେ ୪୨ ଲକ୍ଷ ଭୋଟରଙ୍କ ନାମ ନାହିଁ…

ନିର୍ବାଚନ କମିଶନ ରିପୋର୍ଟ କରିଛନ୍ତି ଯେ, ରାଜସ୍ଥାନରେ SIR ପ୍ରକ୍ରିୟା ପରେ ୫ କୋଟି ୪୬ ଲକ୍ଷ ୫୬ ହଜାର ୨୧୫ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୨ ଲକ୍ଷ ଭୋଟରଙ୍କୁ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯାଇଛି। ରାଜସ୍ଥାନର ମୋଟ ୫ କୋଟି ୪୬ ଲକ୍ଷ ୫୬ ହଜାର ୨୧୫ ଭୋଟରଙ୍କ ମଧ୍ୟରୁ ୫ କୋଟି ୪ ଲକ୍ଷ ୭୧ ହଜାର ୩୯୬ ଭୋଟର ସେମାନଙ୍କର ଫର୍ମ ଦାଖଲ କରିଛନ୍ତି। ୪୧ ଲକ୍ଷ ୮୪ ହଜାର ୮୧୯ ଫର୍ମ ଜମା ହୋଇ ନାହିଁ ।

ଗୋଆରେ ୧ ଲକ୍ଷରୁ ଅଧିକ ଭୋଟରଙ୍କୁ ବାଦ ଦିଆଯାଇଛି

ଗୋଆର ମୋଟ ୧,୦୮୪,୯୯୨ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ଭୋଟରଙ୍କୁ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଗୋଆର ମୋଟ ୧,୧୮୫,୦୩୪ ଭୋଟରଙ୍କ ମଧ୍ୟରୁ ୧୦,୮୪,୯୯୨ ଜଣ ସେମାନଙ୍କର ଫର୍ମ ଦାଖଲ କରିଛନ୍ତି। ରାଜ୍ୟର ୧୦୦,୦୪୨ ଜଣଙ୍କ ନାମ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।

ଲାକ୍ଷାଦ୍ୱୀପରେ ନୂତନ ଡ୍ରାଫ୍ଟରେ କେତେ ଭୋଟରଙ୍କୁ ବାଦ ଦିଆଯାଇଛି ?

ଲାକ୍ଷାଦ୍ୱୀପରେ SIR ପ୍ରକ୍ରିୟା ନଭେମ୍ବର ୪ ରୁ ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟ ମଧ୍ୟରେ, ୫୭,୮୧୩ ଭୋଟରଙ୍କ ମଧ୍ୟରୁ ୫୬,୩୮୪ ଜଣ ସେମାନଙ୍କର ଫର୍ମ ଦାଖଲ କରିଛନ୍ତି, ଅର୍ଥାତ୍ ନୂତନ ଡ୍ରାଫ୍ଟ ତାଲିକାରେ ୧,୪୨୯ ଜଣଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବା ପରେ, ଯୋଗ୍ୟ ଭୋଟର ମାନେ ଜାନୁଆରୀ ୧୫, ୨୦୨୬ ପର୍ଯ୍ୟନ୍ତ ପୁନଃ ଆବେଦନ କରିପାରିବେ।