ବେତନଟୀ,୨୦/୧୧(ଆପ୍ର)-ବେତନଟୀ ରେଞ୍ଜ ତଥା ଥାନା ଅଧୀନ ସୁନାହଜା ଗାଁ ମୁଣ୍ଡ ଜଙ୍ଗଲ ପାର୍ଶ୍ଵ ଧାନକ୍ଷେତରୁ ଏକ  ଦନ୍ତାହାତୀର ମୃତଦେହ ବୁଧବାର  ଠାବ କରାଯାଇଛି l ୩ ଦିନ ଧରି ଦୁଇ  ହାତୀ ମଧ୍ୟରେ  ଲଢେଇ ଯୋଗୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

 ସୂଚନା ମୁତାବକ ଦୁଇଟି ଅଳ୍ପବୟସ୍କ ଦନ୍ତାହାତୀ  ତିନିଦିନ ପାଖାପାଖି ହେବ ସୁନାହଜା ଗାଁ ମୁଣ୍ଡ ଧାନକ୍ଷେତ ନିକଟରେ ଲଢେଇ ଲାଗିଥିଲେ।  ଦୁଇ ହାତୀଙ୍କ ଘମାଘଟ ଲଢେଇ ଓ ଗର୍ଜନରେ ଭୟଭୀତ ଗ୍ରାମବାସୀ ଧାନକ୍ଷେତକୁ ଯାଇପାରୁନଥିଲେ l ତେବେ ବୁଧବାର ଅପରାହ୍ନରେ କିଛି ଗ୍ରାମବାସୀ ଧାନକ୍ଷେତ ନିକଟକୁ ଯାଇଥିବା ବେଳେ ସେଠାରେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବରପାଇ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ମନୁୱାର ଖାଁ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି l

 ହାତୀର ମୃତଦେହ ପଡ଼ିଥିବା ସ୍ଥାନରେ ଏକାଧିକ ହାତୀର ପାଦଥିବା ଏବଂ ସେହି ସ୍ଥାନ ଦେଇ କୌଣସି ବିଦ୍ୟୁତ ସରବରାହ ନଥିବା ତଥା ଦୁଇ ଦନ୍ତାହାତୀ ମଧ୍ୟରେ ତିନିଦିନ ଧରି ଘୋମାଘଟ ଲଢେଇ ହେଉଥିବାର ଗ୍ରାମବାସୀ ଦେଖିଥିବାରୁ ଦୁଇ ହାତୀ ଲଢ଼େଇରୁ ଦନ୍ତାହାତୀର ମୃତ୍ୟୁ ଘଟିଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି l ମୃତ  ହାତୀର ବୟସ ୬ରୁ ୭ବର୍ଷ ମଧ୍ୟରେ ହୋଇଥିବା ନେଇ ଅନୁମାନ କରାଯାଉଛି l ଦନ୍ତାହାତର ମୃତଦେହ ଫୁଲି ଯାଇଥିବାରୁ ଏହାର ମୃତ୍ୟୁ ୨୪ଘଣ୍ଟା ପାଖାପାଖି ହେବା ନେଇ ଅନୁମାନ କରାଯାଉଛି l ବନବିଭାଗ ପକ୍ଷରୁ ହାତୀ ମୃତ୍ୟୁକୁ ନେଇ ଅଧିକ ତନାଘନା ଚାଲିଥିବା ବେଳେ ଗୁରୁବାର ଶଵ ବ୍ୟବଚ୍ଛେଦ  କରାଯିବ।