ଲାଞ୍ଜିଗଡ, ୧୭/୯(ଆପ୍ର)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି l ଏଭଳି ଏକ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁରେ।
ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁର ଧନୁର୍ଜୟ ହରିଜନଙ୍କ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁରେ ରହୁଛନ୍ତି l ମଙ୍ଗଳବାର ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ନିକଟରେ ଭୀଷଣ ଗର୍ଜନ କରିଥିଲେ l ଗର୍ଜନ ଶୁଣି ପରିବାର ଲୋକ ଜୀବନ ବିକଳରେ ଘର ଛାଡି ନିକଟସ୍ଥ ପଡୋଶୀ ଘରକୁ ପଳାଇବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ହେଲେ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଧନୁର୍ଜୟ ହରିଜନଙ୍କ ଘର ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବା ପତ୍ରକୁ ମାଡି ଚକଟି ହାତୀ ନଷ୍ଟ କରି ଦେଇଥିଲେ l
ବର୍ତ୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟ କରୁଛନ୍ତି। ଖବର ପାଇ ମୂଷାନାଲ ସେକ୍ସନ ବନପାଳ ଚିନ୍ତାମଣି ମାଝୀ ଏବଂ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି I