ନୂଆଦିଲ୍ଲୀ,୦୭/୦୬:ଏଲନ ମସ୍କ ବିଶ୍ୱର ପ୍ରଥମ ଟ୍ରିଲିଅନେୟାର ବା ଲକ୍ଷେ କୋଟିର ସମ୍ପତ୍ତିର ଅଧିକାରୀ ହେବାକୁ ଯାଉଛନ୍ତି । ଆସନ୍ତା ମାସରେ ସ୍ପେଶ ଏକ୍ସ ଷ୍ଟକ୍ ବଜାରରେ ସୂଚୀଭୁକ୍ତ ହେବାକୁ ଯାଉଛି । ୮୫୬ ବିଲିୟନ ଡଲାରର ତାଙ୍କର ସମ୍ଭାବ୍ୟ ଅଂଶଧନକୁ ଆଧାର କରି କମ୍ପାନି ଆଇପିଓ ମୂଲ୍ୟ ନିର୍ଦ୍ଧାରଣ ନେଇ ଟାର୍ଗେଟ କରିଛି । ସ୍ପେଶ ଏକ୍ସ ଷ୍ଟକ ବଜାରକୁ ଏ ନେଇ ସୂଚନା ଦେଇଛି ।
ଆଇପିଓ ଅଫରିଂରେ ଜରିଆରେ କମ୍ପାନିର ମୂଲ୍ୟ ୧.୭୭ ଟ୍ରିଲିଅନ ଡଲାର ଟପିବ ବୋଲି ବିଶେଷଜ୍ଞ ଆକଳନ କରିଛି । କୌଣସି ଆଇପିଓ କ୍ଷେତ୍ରରେ ଏହା ରେକର୍ଡ ହେବ । କମ୍ପାନି ୫୫୫,୫୫୫,୫୫୫ ଶେୟାର ଜାରି କରିବ । ପ୍ରତ୍ୟେକର ମୂଲ୍ୟ ୧୩୫ ଡଲାର ରହିବ । ଏବେ ସ୍ପେଶ ଏକ୍ସ ଷ୍ଟକର ଚାହିଦା ଅଧିକ ରହିଛି । ଏଲନ ମସ୍କ ସ୍ପେଶ ଏକ୍ସରେ ୪୨% ଇକ୍ୱିଟି ହାସଲ କରିଛନ୍ତି । ଶେୟାର ପିଛା ୧୩୫ ଡଲାର ଆଇପିଓ ମୂଲ୍ୟରେ ଇକ୍ୱିଟି ଅଂଶର ମୋଟ ମୂଲ୍ୟ ୮୫୬.୫ ବିଲିୟନ ଡଲାର ହେବ ।
ଅନ୍ୟପଟେ ଏଲନ ମସ୍କଙ୍କ ନିକଟରେ ୭୧୭ ନିୟୁତ ଟେସ୍ଲା ଶେୟାର ରହିଛି । ବର୍ତ୍ତମାନ ଟେସଲାର ପ୍ରତି ଶେୟାର ପିଛା ମୂଲ୍ୟ ୪୨୦ ଡଲାର ରହିଛି । ଟେସଲାରେ ଥିବା ମସ୍କଙ୍କର ଶେୟାରର ମୋଟ ମୂଲ୍ୟ ୩୦୧.୧ ବିଲିୟନ ଡଲାର ହେବ । ସ୍ପେଶ ଏକ୍ସର ୮୬୬ ବିଲିୟନ ଡଲାର ଶେୟାର ଏବଂ ଟେସ୍ଲାର ୩୦୧ ବିଲିୟନ ଡଲାର ଶେୟାରକୁ ମିଶାଇଲେ ୨ କମ୍ପାନିରେ ମସ୍କଙ୍କ ଶେୟାର ୧.୧୬୮ ଟ୍ରିଲିୟନ ଡଲାର ଛୁଇଁବ । ଯେଉଁଥିରେ ନ୍ୟୁରାଲିଙ୍କର ଶେୟାରକୁ ସାମିଲ କରାଯାଇନାହିଁ । ସ୍ପେଶ ଏକ୍ସର ଚୂଡାନ୍ତ ଶେୟାର ମୂଲ୍ୟ ଜୁନ ୧୧ରେ ନିର୍ଦ୍ଧାରିତ ହୋଇପାରେ । ଏହାର ପରଦିନଠାରୁ ଏହା ନାସ୍ଡାକରେ ଟ୍ରେଡିଂ ଆରମ୍ଭ କରିବ ।