ନୂଆଦିଲ୍ଲୀ,୧୩/୦୨: ଚନ୍ଦ୍ରରେ ଏଆଇ ସାଟେଲାଇଟ୍ କାରଖାନା ବସାଇବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭବିଷ୍ୟତକୁ ଉର୍ଜ୍ଜା ଯୋଗାଇବା ପାଇଁ ସେ ଚନ୍ଦ୍ରରେ କାରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି । ଏକ୍ସଏଆଇରେ ନିଜ କର୍ମଚାରୀଙ୍କ ସହ ବୈଠକରେ ଏହି ମହତ୍ୱାକାଂକ୍ଷୀ ବିଚାର ବିଷୟରେ ସେ ଆଲୋଚନା କରିଛନ୍ତି । ମସ୍କ କହିଛନ୍ତି, ଚନ୍ଦ୍ରରେ ସହର ଗଢ଼ିବା ଏବଂ ସେଠାରୁ ମଙ୍ଗଳ ଗ୍ରହ ଓ ପୂରା ସୌରମଣ୍ଡଳର ଯାତ୍ରା ଖୁବ୍ ରୋମାଞ୍ଚକର ହେବ ।
ଭିନ୍ନ ଭିନ୍ନ ନକ୍ଷତ୍ର ମଣ୍ଡଳକୁ ଯାତ୍ରା ସମୟରେ ଏଲିୟନ୍ଙ୍କ ସହ ଆମର ସାକ୍ଷାତ ମଧ୍ୟ ହୋଇପାରେ । ଏ ସବୁ ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ବାହାରକୁ ବାହାରିବା ଆଉ ବ୍ରହ୍ମାଣ୍ଡର ଅନ୍ୱେଷଣ କରିବା । ଏହି ମାର୍ଗ ହିଁ ଆମ ବିଚାରକୁ ବାସ୍ତବତାରେ ରୂପାନ୍ତରିତ କରିବ । ସେ ଆହୁରି କହିଛନ୍ତି, ବର୍ତ୍ତମାନର ଏଆଇ ରେସ୍ରେ ଏକ୍ସଏଆଇକୁ ଆଗରେ ରହିବାକୁ ହେଲେ, ପୃଥିବୀର ପାରମ୍ପରିକ ଡାଟା ସେଣ୍ଟର୍ଠୁ ବହୁ ଆଗକୁ ଚିନ୍ତା କରିବାକୁ ହେବ । ଏହି କ୍ରମରେ ସେ ଚନ୍ଦ୍ରରେ ଏକ ଏଆଇ କାରଖାନା ନିର୍ମାଣର ପ୍ରସ୍ତାବ ଆଣିଛନ୍ତି, ଯାହା ଏଆଇ-କେନ୍ଦ୍ରିତ ସାଟେଲାଇଟ୍ ନିର୍ମାଣ କରିବ । ମାସ୍ ଡ୍ରାଇଭର୍ ନାମରେ ପରିଚିତ ଶକ୍ତିଶାଳୀ ବିଦ୍ୟୁତ୍ଚୁମ୍ବକୀୟ ପ୍ରଣାଳୀ ପ୍ରୟୋଗ କରି ସେଗୁଡ଼ିକୁ କକ୍ଷରେ ସ୍ଥାପିତ କରିବ ।
ଆହୁରି ପଢନ୍ତୁ- ଭୟଭୀତ କରି ଆଉ ଆଦାୟ ହେବନି ଋଣ, ରିକଭରି ଏଜେଣ୍ଟଙ୍କ ଖରାପ ବ୍ୟବହାର ପାଇଁ ଦାୟୀ ରହିବେ ବ୍ୟାଙ୍କ
ବୈଠକରେ ମସ୍କ କହିଛନ୍ତି, ମାନବ ସଭ୍ୟତାର ଉର୍ଜ୍ଜା ଉପଯୋଗକୁ ଦେଖିଲେ, ବର୍ତ୍ତମାନ ଆମେ ପୃଥିବୀ ଉର୍ଜ୍ଜାର କେବଳ ୧ ପ୍ରତିଶତ ଉପଯୋଗ କରୁଛୁ । ଯଦି ଆମେ ସୂର୍ଯ୍ୟର ମୋଟ୍ ଉର୍ଜ୍ଜାର ୧୦ ଲକ୍ଷତମ ଅଂଶ ହାସଲ କରିବା, ତେବେ ବର୍ତ୍ତମାନର ମାନବ ସଭ୍ୟତା ଉପଯୋଗ କରୁଥିବା ଉର୍ଜ୍ଜାଠୁ ପ୍ରାୟ ୧୦ ଲକ୍ଷ ଗୁଣ ଅଧିକ ହେବ । ଆମର ଆଗାମୀ ପଦକ୍ଷେପ ‘ଆର୍ଥ ଅର୍ବିଟାଲ ଡାଟା ସେଣ୍ଟର୍’ । ସ୍ପେସ୍ଏକ୍ସ ସାହାଯ୍ୟରେ ଆମେ ପ୍ରତି ବର୍ଷ ୧୦୦ରୁ ୨୦୦ ଗୀଗାୱାଟ୍ କ୍ଷମତାସମ୍ପନ୍ନ ଡାଟା ସେଣ୍ଟର୍ ମହାକାଶରେ ଲଞ୍ଚ୍ କରିବା । ଆମକୁ ୧ ଟେରାୱାଟ୍ରୁ ଆଗକୁ ଯିବାକୁ ହେଲେ ଚନ୍ଦ୍ରକୁ ଯିବାକୁ ପଡ଼ିବ । ମସ୍କଙ୍କ ଦୂରଦୃଷ୍ଟି ଡାଇସନ୍ ସ୍ଫିୟର ଅବଧାରଣା ଉପରେ ଆଧାରିତ । ଏହା ଏଭଳି ଏକ ବିଶାଳ ଢାଞ୍ଚା, ଯାହା ଉର୍ଜ୍ଜା ସଞ୍ଚୟ ଲାଗି ସୂର୍ଯ୍ୟକୁ ଚତୁଃପାଶ୍ୱର୍ରୁ ଢାଙ୍କିଦିଏ । ମାସ୍ ଡ୍ରାଇଭର୍ ଜରିଆରେ ମସ୍କ ଚନ୍ଦ୍ରକୁ ଏଆଇ ସାଟେଲାଇଟ୍ ପଠାଇବେ, ଯାହା ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଏଭଳି ଏକ ଜାଲ ବା ଘେରା ସୃଷ୍ଟି କରିବେ, ଯାହା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ବିଜୁଳି ସଞ୍ଚୟ ହେବ ।