ନୂଆଦିଲ୍ଲୀ - ସୋସିଆଲ୍ ମିଡିଆ ପ୍ଲାଟଫର୍ମ  ଏକ୍ସକୁ ଏକ ସୁପର ଆପରେ ପରିଣତ କରିବା ଦିଗରେ ଏଲନ୍ ମସ୍କ ନେଇଛନ୍ତି ଆଉ ଏକ ବଡ଼ ପଦକ୍ଷେପ। କମ୍ପାନୀ ' ଏକ୍ସ ମନି ' (X Money) ନାମରେ ଏକ ନୂଆ ଡିଜିଟାଲ୍ ବ୍ୟାଙ୍କିଂ ଏବଂ ପେମେଣ୍ଟ ସେବା ଆରମ୍ଭ କରିଛି। ଏହି ସେବା ମାଧ୍ୟମରେ ୟୁଜରମାନେ କେବଳ ପୋଷ୍ଟ କିମ୍ବା ମେସେଜ୍ ନୁହେଁ, ସିଧାସଳଖ ଟଙ୍କା କାରବାର କରିବା ସହ ଅନେକ ବ୍ୟାଙ୍କିଂ ସୁବିଧାର ଲାଭ ଉଠାଇ ପାରିବେ। ଆସନ୍ତୁ ଏବେ ବିସ୍ତୃତରେ ଜାଣିବା ଏହି ଏକ୍ସ ମନି ସମ୍ପର୍କରେ …

ଏଲନ୍ ମସ୍କଙ୍କ ବହୁପ୍ରତୀକ୍ଷିତ ଡିଜିଟାଲ୍ ପେମେଣ୍ଟ ସେବା ଏକ୍ସ ମନି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ଆମେରିକାରେ ' ଏକ୍ସ ପ୍ରିମିୟମ ' ଏବଂ ' ପ୍ରିମିୟମ ପ୍ଲସ୍ ' ସବ୍‌ସ୍କ୍ରାଇବରଙ୍କ ପାଇଁ ଜାରି କରାଯାଇଛି। ଏହାଦ୍ୱାରା ୟୁଜର୍ସ ଗୋଟିଏ ଆପ୍ ମାଧ୍ୟମରେ ସୋସିଆଲ୍ ନେଟୱର୍କିଂ ସହ ଦୈନନ୍ଦିନ ଆର୍ଥିକ କାରବାର କରି ପାରିବେ।

କ’ଣ ରହିଛି 'X Money'ର ବିଶେଷତ୍ୱ ?

ଏଥିରେ ରହିଛି ମାଗଣା ମନି ଟ୍ରାନ୍ସଫର ସୁବିଧା। 'ଏକ୍ସ' ୟୁଜରମାନେ ବିନା କୌଣସି ଶୁଳ୍କରେ ଅନ୍ୟ ୟୁଜରଙ୍କୁ ସିଧାସଳଖ ଟଙ୍କା ପଠାଇ ପାରିବେ। ଜମା ରାଶି ଉପରେ ବାର୍ଷିକ ୬.୦୦ ପ୍ରତିଶତ ପର୍ଯ୍ୟନ୍ତ (ଏପିୱାଇ) ସୁଧ ମିଳିବାର ଦାବି କରାଯାଇଛି। ୟୁଜରଙ୍କୁ ମିଳିବ ମେଟାଲ୍ ଫିନିଶିଂ ବିଶିଷ୍ଟ ବିଶେଷ  ଭିସା ଡେବିଟ କାର୍ଡ , ଯେଉଁଥିରେ ୟୁଜରଙ୍କ ଏକ୍ସ ହ୍ୟାଣ୍ଡେଲ୍ ଲେଖା ରହିବ। କାର୍ଡ ମାଧ୍ୟମରେ କରାଯାଉଥିବା ଖର୍ଚ୍ଚ ଉପରେ ୩% କ୍ୟାଶ୍‌ବ୍ୟାକ୍ ଅଫର୍ ମିଳିବ। ଆପ୍ ମାଧ୍ୟମରେ ବିଲ୍ ପେମେଣ୍ଟ, ୱାୟାର ଟ୍ରାନ୍ସଫର ଏବଂ ଫିଜିକାଲ୍ ଚେକ୍‌ ମଧ୍ୟ ପଠାଯାଇ ପାରିବ।

 ତେବେ ' ଏକ୍ସ ମନି' ନିଜେ କୌଣସି ବ୍ୟାଙ୍କ ଭାବେ କାମ କରେ ନାହିଁ। ଗ୍ରାହକଙ୍କ ଜମା ରାଶି ଆମେରିକାର ରେଗୁଲେଟେଡ୍ 'କ୍ରସ୍ ରିଭର୍ ବ୍ୟାଙ୍କ'ରେ ସୁରକ୍ଷିତ ରହିବ, ଯାହା FDIC ମାଧ୍ୟମରେ ଆସୁ ଥିବାରୁ ପ୍ରତି ଗ୍ରାହକଙ୍କୁ ୨,୫୦,୦୦୦ ଡଲାର ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ପାସୱାର୍ଡ ବଦଳରେ ପାସକି (Passkey) ସୁବିଧା ଦିଆ ଯାଇଛି, ଯାହାଦ୍ୱାରା ଫିଙ୍ଗରପ୍ରିଣ୍ଟ, ଫେସ୍ ଲକ୍ କିମ୍ବା ଡିଭାଇସ୍ ପିନ୍ ଦ୍ୱାରା ସୁରକ୍ଷିତ ଲଗଇନ୍ ଓ କାରବାର ହୋଇ ପାରିବ।

ଭାରତକୁ କେବେ ଆସିବ ଏକ୍ସ ମନି ?

ବର୍ତ୍ତମାନ ଏହା କେବଳ ଆମେରିକାରେ ଲଞ୍ଚ୍ ହୋଇଛି। ଭାରତରେ ଏହାର ଲଞ୍ଚିଂ ନେଇ କୌଣସି ଅଫିସିଆଲ୍ ତାରିଖ ଘୋଷଣା ହୋଇ ନାହିଁ, କିନ୍ତୁ ଏଲନ୍ ମସ୍କ ଏହାକୁ ବିଶ୍ୱର ଅନ୍ୟାନ୍ୟ ବଜାରକୁ ଆଣିବାକୁ ଯୋଜନା ରଖିଛନ୍ତି। ଭବିଷ୍ୟତରେ ଭାରତରେ ଏହା ଆସିଲେ Google Pay, PhonePe ଏବଂ WhatsApp Pay ପରି ଡିଜିଟାଲ୍ ପେମେଣ୍ଟ ଆପ୍‌ ଗୁଡ଼ିକୁ ଦେବ କଡ଼ା ଟକ୍କର ।

ଆହୁରି ମଧ୍ୟ ପଢନ୍ତୁ - China J-20 stealth fighter : ଭାରତ ସୀମାରେ ୧୧ଟି J-20 ଫାଇଟର ଜେଟ୍ ମୁତୟନ କଲା ଚୀନ୍ , ସାଟେଲାଇଟ୍ ଫଟୋରୁ ବଢ଼ିଲା ଟେନସନ୍