ପାଟଣାଗଡ଼, ୨୮/୦୭: କାନ୍ଧରେ ପତ୍ନୀଙ୍କ ମୃତଦେହ ବୋହି ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଜୀବନ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର "ଲାସ୍'ର ପ୍ରଯୋଜକ ସମ୍ୱଲପୁରର ମନୋଜ ବାଗଙ୍କୁ ସେ କାଠଗଡ଼ାକୁ ଟାଣିଛନ୍ତି । ଏ ନେଇ ସେ ତାଙ୍କ ଓକିଲଙ୍କ ସହ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ମାମଲା ବୌଦ୍ଧିକ ସମ୍ପତ୍ତିଗତ ହୋଇଥିବାରୁ ତାଙ୍କୁ ଅଦାଲତର ଆଶ୍ରୟ ନେବାକୁ ଥାନା ପକ୍ଷରୁ କୁହାଯାଇଛି ।

ଦାନ ମାଝୀ ଅଭିଯୋଗ କରିଛନ୍ତି, ତାଙ୍କ ଜୀବନ ଓ କାହାଣୀକୁ ଆଧାର କରି କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍' ତିଆରି କରାଯାଇଛି । ଜୀବନର ସବୁଠାରୁ ଦୁଃଖଦାୟକ ଘଟଣାବଳୀକୁ ନେଇ ସିନେମା କରିବା ପୂର୍ବରୁ ତାଙ୍କର ସମ୍ମତି ନେବା ଆବଶ୍ୟକ ଥିଲା । ସିନେମା ପ୍ରସ୍ତୁତ ପୂର୍ବରୁ ପ୍ରଯୋଜକ ମନୋଜ ବାଗ୍ କିମ୍ବା ସିନେମା ସହିତ ଜଡ଼ିତ କୌଣସି ସଦସ୍ୟ ତାଙ୍କୁ ଯୋଗାଯୋଗ କରି ନାହାନ୍ତି । ତେଣୁ ସେ ଏଭଳି ଆଇନଗତ ପଦକ୍ଷେପ ନେଉଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ :- Jatra News: ସରିଥିଲା ଟିକେଟ୍ କଟା, ରେକର୍ଡ ଡ୍ୟାନ୍ସର ମଜା ନେଉଥିଲେ ଦର୍ଶକ...'ଅଭିମାନିନୀ ମୁଁ ଅଳକାନନ୍ଦାର' ମଞ୍ଚକୁ ଆସିଲେନି ନାୟିକା ପୂଜା

ପ୍ରଯୋଜକ ମନୋଜ ବାଗ୍ ଏକାଧାରରେ ଜଣେ ନିର୍ଦ୍ଦେଶକ, ସମ୍ପାଦକ, ଲେଖକ, ଅଭିନେତା ଏବଂ ପ୍ରଯୋଜକ । ସେ "ଲାଶ୍'ର ନିର୍ଦ୍ଦେଶନା ଦେବା ସହ ଏହାର ପ୍ରଯୋଜନା ମଧ୍ୟ କରିଥିଲେ । ଏହା ଇଣ୍ଡୋ-ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏସ୍ଆଇଏଫ୍ଏଫ୍) ରେ ପ୍ରଦଶିର୍ତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ଦାନ ମାଝୀଙ୍କ ଘଟଣା ବିଶ୍ୱବ୍ୟାପୀ ଚର୍ଚ୍ଚିତ ଘଟଣା ପାଲଟିଥିଲା । ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ସ୍ତ୍ରୀଙ୍କ ଶବ ନେବାକୁ ଦାନ ମାଝୀଙ୍କୁ ଆମ୍ବୁଲାନ୍ସ ମିଳି ନ ଥିଲା । ଶେଷରେ ସେ କାନ୍ଧରେ ମୃତଦେହ ବୋହି ଘରକୁ ଆଣିଥିଲେ । କଳାହାଣ୍ଡି ଜିଲ୍ଲାର ବିକଳ ସ୍ୱାସ୍ଥ୍ୟସେବାକୁ ବଖାଣିବାକୁ ଏହି ଘଟଣା ଯଥେଷ୍ଟ ଥିଲା । ଏହାପରେ ସରକାରୀ ଓ ବେସରକାରୀସ୍ତରରେ ଦାନ ମାଝୀଙ୍କୁ ସହାୟତାର ସୁଅ ଛୁଟିଥିଲା । ଏ ସମ୍ପର୍କରେ ଏସଡିପିଓ ସଦାନନ୍ଦ ପୂଝାରୀ ଓ ଥାନାଅଧିକାରୀ ହରିବନ୍ଧୁ ଗଡ଼ତ୍ୟା କହିଛନ୍ତି, ଦାନ ମାଝି ତାଙ୍କ ଆଇନଜୀବୀଙ୍କ ସହ ଥାନାକୁ ଆସି ଅଭିଯୋଗ କରିଥିଲେ । ତେବେ ମାମଲାଟି ବୌଦ୍ଧିକ ସମ୍ପତ୍ତି ସମ୍ବନ୍ଧୀୟ ହୋଇଥିବାରୁ ତାଙ୍କୁ ଉଚିତ ଆଇନଗତ ପ୍ରକ୍ର ିୟା ପାଇଁ ଅଦାଲତର ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।