ନୂଆଦିଲ୍ଲୀ – କୋଟିପତି ବ୍ୟବସାୟୀ ଏଲନ ମସ୍କ ଭବିଷ୍ୟତ ଉପରେ ତାଙ୍କର ଦାବିକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ସମ୍ପ୍ରତି ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ ଯୁକ୍ତି ଦେଇଛନ୍ତି ଯେ, ନିକଟ ଭବିଷ୍ୟତରେ, AI ଏତେ ଶକ୍ତି ବ୍ୟବହାର କରିବ ଯେ ପୃଥିବୀର ଶକ୍ତି ଭିତ୍ତିଭୂମି ଏହାକୁ ପୂରଣ କରିବାରେ ଅକ୍ଷମ ହୋଇଯିବ। ମସ୍କ ଦାବି କରିଛନ୍ତି ଯେ,ଏହି କାରଣରୁ ଉନ୍ନତ କମ୍ପ୍ୟୁଟିଂକୁ ଖୁବ୍ ଶୀଘ୍ର ପୃଥିବୀ ବାହାରକୁ ନେଇ ଯିବାକୁ ପଡ଼ିବ।

କେବଳ ଏତିକି ନୁହେଁ , ମସ୍କ ଏହି ଘଟଣା ପାଇଁ ଅଧିକ ଦୂରର କଥା ମଧ୍ୟ କହି ନାହାନ୍ତି, ସେ କହିଛନ୍ତି ଯେ, ଏହା ମାତ୍ର ଦୁଇରୁ ତିନି ବର୍ଷ ମଧ୍ୟରେ ଘଟିବ। ସୌରଶକ୍ତିର ମାତ୍ରାଧିକ ଯୋଗୁଁ, ମହାକାଶରେ ବଡ଼ ଧରଣର AI ସିଷ୍ଟମ ଚଲାଇବା ପୃଥିବୀ ତୁଳନାରେ ଅଧିକ ସହଜ ହେବ।

ଏକ ପଡକାଷ୍ଟ ବେଳେ AI ର ଶକ୍ତି ବ୍ୟବହାର ବିଷୟରେ କହିବାକୁ ଯାଇ ମସ୍କ କହିଥିଲେ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ବିଦ୍ୟୁତ୍ ବ୍ୟବହାର। ସେ କହିଛନ୍ତି -ଆମେରିକା ହାରାହାରି ପ୍ରାୟ ଅଧା ଟେରାୱାଟ୍ ବିଦ୍ୟୁତ୍ ବ୍ୟବହାର କରେ, ଏବଂ ଏହାକୁ ହିଗୁଣିତ କରିବା ଅତ୍ଯନ୍ତ କଷ୍ଟକର ଏବଂ ରାଜନୈତିକ ଭାବେ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଏହା ତୁଳନାରେ , ମହାକାଶ ଏକ ଅଧିକ ସୁବିଧାଜନକ ସମାଧାନ ପ୍ରଦାନ କରିଥାଏ। ପୃଥିବୀ କକ୍ଷରେ ଲାଗିଥିବା ସୌର ପ୍ୟାନେଲଗୁଡ଼ିକ ଲାଗାତାର ସୂର୍ଯ୍ୟକିରଣ ଗ୍ରହଣ କରନ୍ତି ଏବଂ ବାୟୁମଣ୍ଡଳୀୟ କ୍ଷତିରୁ ସୁରକ୍ଷିତ ରୁହନ୍ତି , ଯେଉଁଥିରେ ଏହି ପ୍ୟାନେଲ ପୃଥିବୀରେ ଲାଗିଥିବା ପ୍ୟାନେଲଗୁଡ଼ିକ ତୁଳନାରେ ବହୁ ଗୁଣ ଅଧିକ ଶକ୍ତି ଉତ୍ପାଦନ କରିପାରେ।

ମସ୍କ ଯୁକ୍ତି ବାଢିଛନ୍ତି ଯେ, ଯେତିକି ଯେତିକି ସାଟେଲାଇଟ୍ ଲଞ୍ଚ ଓ ଲୋକଙ୍କୁ ମହାକାଶକୁ ନେଇଯିବା ଖର୍ଚ୍ଚ ହ୍ରାସ ପାଇବ , ସେମିତି ଆର୍ବିଟାଲରେ ΑΙ ଭିତ୍ତିଭୂମିରେ ମଦଧ୍ୟ ସୁଧାର ହେବ। ମସ୍କ କହିଛନ୍ତି ଯଦି ଏମିତି ହେବ ତ ପୁଣି କମ୍ୟୁଟିଂର ଆଗାମୀ ପିଢି ପାଇଁ ମହାକାଶ ଉପଯୁକ୍ତ ସ୍ଥାନ ହେବ ।