ପେନ୍‌ସିଲ୍‌ଭାନିଆ,୨୧/୧୦: ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଦେଶର ବିଶିଷ୍ଟ ଅରବପତି ବ୍ୟବସାୟୀ ଏଲନ୍‌  ମସ୍କ ଇଭିଏମ୍‌କୁ ନେଇ ବିସ୍ଫୋରକ ବୟାନ  ଦେଇଛନ୍ତି । 

ମସ୍କ କହିଛନ୍ତି, ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ଦ୍ୱାରା ନିର୍ବାଚନରେ ଜାଲିଆତି ହୋଇଥାଏ । ୨୦୨୦ ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ହାରିବା ପଛରେ ଏହା ହିଁ ମୁଖ୍ୟ କାରଣ । ତେଣୁ ଏଥର ବାଲଟ୍‌ ପେପରରେ ମତଦାନ ହେବା ଉଚିତ । ସ୍ପେସ୍‌ଏକ୍ସ ଏବଂ ଟେସ୍‌ଲା ମୋଟର୍ସର ସିଇଓ ମସ୍କ ଏହି  ପରିପ୍ରେକ୍ଷୀରେ ଡୋମିନିୟନ୍‌ କମ୍ପାନିର ଭୋଟିଂ ମେସିନ୍‌  ଉପରେ ଅଙ୍ଗୁଳି ଉଠାଇଛନ୍ତି । 

କହିଛନ୍ତି, ଫିଲାଡେଲ୍‌ଫିଆ  ଓ ଆରିଜୋନା ବ୍ୟତୀତ ଏହି ମେସିନ୍‌ଗୁଡ଼ିକୁ ଅନ୍ୟ  କେଉଁଠାରେ ବ୍ୟବହାର କରାଯାଇ ନ ଥାଏ । ଏହି ଦୁଇଟି  ସ୍ଥାନରେ ହିଁ ରିପବ୍ଲିକାନ୍‌ ପାର୍ଟି ହାରିଥିଲା । ଏହା ଏକ  ଆଶ୍ଚର୍ଯ୍ୟଜନକ ସଂଯୋଗ । ତାଙ୍କ ଯୁକ୍ତି ହେଉଛି ଯଦି  କମ୍ପ୍ୟୁଟର ପ୍ରୋଗ୍ରାମକୁ ସହଜରେ ହ୍ୟାକ୍‌ କରାଯାଇ  ପାରୁଛି, ତେବେ ଇଭିଏମ୍‌କୁ କାହିଁକି ହ୍ୟାକ୍‌ କରାଯାଇ  ପାରିବ ନାହିଁ । 

ଅନ୍ୟପକ୍ଷରେ ଡୋମିନିୟନ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି, ଆମ ସଂସ୍ଥା ଫିଲାଡେଲ୍‌ଫିଆ  ପ୍ରଦେଶରେ ସେବା ଦିଏନାହିଁ । ତା’ଛଡ଼ା ଆମ ମେସିନ୍‌  ଭୋଟରଙ୍କ ଦ୍ୱାରା ବାଲଟ୍‌ ପେପର୍‌ରେ ଦିଆଯାଉଥିବା  ଭୋଟ୍‌ଗୁଡ଼ିକୁ ମିଳାଇଥାଏ । ଆମେ ଅନେକ ଥର  ମେସିନ୍‌ ଓ ବାଲଟ୍‌ ପେପର୍‌ର ଭୋଟ କାଉଣ୍ଟକୁ ମିଶାଇ  ସମୀକ୍ଷା କରିସାରିଛୁ । ଆମ ମେସିନ୍‌ ଠିକ୍‌ ଫଳାଫଳ  ଦେଇଥିବା ପ୍ରମାଣିତ ହୋଇସାରିଛି । ଉଲ୍ଲେଖଯୋଗ୍ୟ,  ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ପଦ  ପାଇଁ ନିର୍ବାଚନ ହେବାକୁ ଯାଉଛି । ରିପବ୍ଲିକାନ୍‌ ପାର୍ଟି  ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ତୃତୀୟ ଥର ପାଇଁ ମଇଦାନକୁ  ଓହ୍ଲାଇଛନ୍ତି । ଡେମୋକ୍ରାଟିକ୍‌ ପାର୍ଟି ତରଫରୁ କମଳା  ହାରିସ ପ୍ରାର୍ଥୀ ହୋଇଛନ୍ତି । ଏଲନ୍‌ ମସ୍କ ଖୋଲାଖୋଲି  ଭାବେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଛନ୍ତି । ସେ ରିପବ୍ଲିକାନ୍‌  ପାର୍ଟିର ପଲିଟିକାଲ ଆକ୍ସନ କମିଟିକୁ ୭୫ ନିୟୁତ  ଡଲାର (ପ୍ରାୟ ୬୩୦ କୋଟି ଟଙ୍କା)ର ପାଣ୍ଠି ବି  ପ୍ରଦାନ କରିଛନ୍ତି । ଏଥିସହ ମସ୍କ ୨୦୨୪ ନିର୍ବାଚନରେ  ସର୍ବାଧିକ ପାଣ୍ଠି ଦେଇଥିବା ବ୍ୟବସାୟୀ ବି ହୋଇଛନ୍ତି ।