ପୁରୀ,୧୨/୦୪: ପକ୍ଷାଘାତ ଆକ୍ରାନ୍ତ ମହିଳାକୁ ପତିତପାବନ ଦର୍ଶନ କରାଇଲେ ସ୍ୱାମୀ ଓ ଝିଅ । ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ସମସ୍ତଙ୍କ ଆଖି ଲୁହରେ ଜକେଇ ଯାଇଥିଲା। ଯାହା ବୟାନ କରୁଥିଲା ସମ୍ପୂର୍ଣ୍ଣ ଅକ୍ଷମ ହୋଇ ହୁଇଲ ଚେୟାରରେ ବସିଥିବା ମହିଳାଙ୍କ କରୁଣ ଭାବାବେଗକୁ । ଭାବର ଠାକୁରଙ୍କୁ ତାଙ୍କ ମନ କଥା କହିବା ବେଳର ଏହି ଦୃଶ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରିଦେଇଥିଲା ।

ଶନିବାର ସିଂହଦ୍ୱାର ଆଗରେ ଏହି ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଅକ୍ଷମ ମହିଳା ଜଣକ ବ୍ରହ୍ମପୁରର ରୁନୁ ପାଣିଗ୍ରାହୀ । ସ୍ୱାମୀ କାଶୀନାଥ ପାଣିଗ୍ରାହୀ ଓ ଝିଅ ସନ୍ତୋଷୀନି ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ନେଇ ଆସିଥିଲେ । ହୁଇଲ ଚେୟାର ଯୋଗାଡ଼ କରି ସିଂହଦ୍ୱାରରେ ରୁନୁଙ୍କୁ ଧରି ପହଞ୍ଚିଥିଲେ । ରୁନୁ ୨୦୨୧ରୁ ମୁମ୍ବାଇରେ ରହି ଆସୁଛନ୍ତି । ଆଉ ସ୍ନାୟୁରୋଗ ଯୋଗୁଁ ଅକ୍ଷମ ଭଳି ଜୀବନ କାଟୁଛନ୍ତି । ଡାକ୍ତର ବି ମୁହଁ ଫେରାଇ ଦେବାପରେ ଏବେ କାଳିଆ କରୁଣା ଶେଷ ଭରସା ହୋଇଛି । ତେଣୁ ସ୍ୱାମୀ ଆଉ ଝିଅ ତାଙ୍କୁ ସିଂହଦ୍ୱାର ଯାଏ ନେଇ ଆସିଛନ୍ତି । ତା ଆଗକୁ ହ୍ୱିଲ ଚେୟାର ଯିବା ପରମ୍ପରା ଅନୁଯାୟୀ ସମ୍ଭବ ନୁହେଁ । ତେଣୁ ସେଇଠି ରହି ପତିତପାବନଙ୍କୁ ଦର୍ଶନ କରିଛନ୍ତି ରୁନୁ । ପ୍ରବଳ ଖରା ହେଉଥିବାରୁ ଝିଅ ମା’ ପାଟିରେ ପାଣି ବୋତଲ ଖୋଲି ପାଣି ଦେଉଥିଲେ । ସ୍ୱାମୀ ତାଙ୍କ ହାତ ଧରି ଉପରକୁ ଟେକି ଜୟ ଜଗନ୍ନାଥ କାଳିଆ ଠାକୁର ଡାକ ଦେଉଥିଲେ । ବିଶ୍ୱନିଅନ୍ତା କାଳିଆ ଠାକୁର । ତାଙ୍କୁ କେଉଁ କଥା ଅଛପା । ଏବେ ସେ ଯାହା କରିବେ ବୋଲି ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ।

ଅଧିକ ପଢ଼ନ୍ତୁ :-  କି ସଙ୍କେତ ଦେଉଛନ୍ତି ମହାପ୍ରଭୁ ? ନୀଳଚକ୍ର ଉପରେ ବସିଲା ଚିଲ, ଦକ୍ଷିଣରୁ ଉତ୍ତରକୁ ଉଡ଼ିଲା ବାନା