ଲଣ୍ଡନ, ୧୫/୦୭: ଲର୍ଡ୍ସରେ ତୃତୀୟ ଟେଷ୍ଟ ଅତି ରୋମାଞ୍ଚକର ହୋଇଥିଲା । ଶେଷରେ ଭାରତ ମାତ୍ର ୨୨  ରନ୍‌ରେ ମ୍ୟାଚକୁ ହାତଛଡ଼ା କରିଥିଲା । ମ୍ୟାଚ୍‌ ପରାଜୟକୁ ନେଇ ଅଧିନାୟକ ଶୁଭମନ ଗିଲ ଆଦୌ ଦୁଃଖିତ ନୁହେଁ  ବରଂ ସେ ଗର୍ବିତ ବୋଲି କହିଛନ୍ତି । 

ଗିଲ୍‌ କହିଛନ୍ତି, ‘ମ୍ୟାଚ୍‌ ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ  ଥିଲା । ଆମ ଦଳର ସବୁଠୁ ମୂଲ୍ୟବାନ ଖେଳାଳି ହେଉଛନ୍ତି  ବୀନ୍ଦ୍ର ଜାଡେଜା । ତାଙ୍କ ପ୍ରଦର୍ଶନ ଅତି ପ୍ରଶଂସନୀୟ ରହିଲା । ଚତୁର୍ଥ ଦିନର ଶେଷ ଘଣ୍ଟା ଏବଂ ଅନ୍ତିମ ଦିବସର  ପ୍ରଥମ ଘଣ୍ଟା ବ୍ୟାଟିଂ ପାଇଁ ଆଦୌ ସହଜ ନଥିଲା । ଶୀର୍ଷ  କ୍ରମରେ ଏକ ଭାଗିଦାରୀ ଆବଶ୍ୟକ ଥିଲା । ଦୁର୍ଭାଗ୍ୟକୁ  ଶୀର୍ଷକ୍ରମ ପ୍ରଥମ ଥର ବିଫଳ ହେଲା । ଜାଡେଜା ଏବଂ  ନିମ୍ନକ୍ରମର ବ୍ୟାଟର ମ୍ୟାଚ୍‌ ବଞ୍ଚାଇ ରଖିଥିଲେ । ସେମାନଙ୍କ  ଯୋଗଦାନ ବେଶ ପ୍ରଶଂସନୀୟ ଥିଲା । ଆମେ ଜାଣିଥିଲୁ  ଅନ୍ତିମ ଦିବସରେ ବ୍ୟାଟିଂ କରିବା ସହଜ ହେବ ନାହିଁ ।’

 ‘ପ୍ରଥମ ଇନିଂସରେ ରିଷଭ ପନ୍ତଙ୍କ ରନ ଆଉଟ୍‌  ମ୍ୟାଚର ସବୁଠୁ ବଡ଼ ମୁହୂର୍ତ୍ତ ଥିଲା । ତାଳମେଳର ଅଭାବ  ଯୋଗୁ ଏଭଳି ଘଟିଥିଲା । ପନ୍ତ ନିଜେ ରନ ପାଇଁ ଡାକି  ଥିଲେ ବୋଲି ସେ କହିଥିଲେ । ଇଂଲଣ୍ଡ ତୃତୀୟ ଟେଷ୍ଟରେ  ବିଜୟୀ ହୋଇ ୨-୧ରେ ସିରିଜ ଅଗ୍ରଣୀ ଲାଭ କରିଛି ।